ଜନ୍ମନେଲେ ‘ମହାବୀର’ ଛୁଆ

ବୁଢ଼ୀ ବାଘୁଣୀ ହେଲା ମା, ଗୁମ୍ଫାରେ କଲା ପ୍ରସବ

ଅନୁଗୁଳ : ପୁରୁଣା ବର୍ଷରେ ସାତକୋଶିଆ‌ପ୍ରେମୀଙ୍କୁ ହତବାକ୍‌ କରି ଦେଇଥିବା ମୃତ ଯୁବ ମହାବଳ ‘ମହାବୀର’ ନୂଆବର୍ଷରେ ଆଣି ଦେଇଛି ଖୁସି ଖବର। ମୃତ୍ୟୁ ପୂର୍ବରୁ ଛାଡ଼ି ଯାଇଥିବା ନିଜର ସନ୍ତକ ଶେଷରେ ବୁଢ଼ୀ ବାଘୁଣୀ ଗର୍ଭରୁ ଜନ୍ମ ନେଇଛନ୍ତି। ଯଦିଓ ବାଘୁଣୀ ଗର୍ଭରୁ କେତୋଟି ଶାବକ ଜନ୍ମ ହୋଇଛନ୍ତି, ତାହା ବନ ବିଭାଗ ବି ଏଯାବତ୍‌ ସ୍ପଷ୍ଟ କରି ପାରୁନାହିଁ। କିନ୍ତୁ ଶାବକ ଜନ୍ମ ନେବା ପରେ ସାତକୋଶିଆର ଉଜୁଡ଼ା ମହାବଳ ବୃଦ୍ଧି ସ୍ବପ୍ନ ପୁଣି ଉଜ୍ଜୀବିତ ହୋଇଛି। ଗୁମ୍ଫା ଭିତରେ ଶାବକମାନଙ୍କୁ ରଖି ବାଘୁଣୀ ଲାଳନ ପାଳନ କରୁଥିବା ଜଣାପଡ଼ିଛି।

ସାତକୋଶିଆରେ ପୂର୍ବରୁ ଏକ ବୁଢ଼ୀ ବାଘୁଣୀ ଥିଲା। କିନ୍ତୁ ସାତକୋଶିଆରେ ଅଣ୍ଡିରା ମହାବଳ ନ ଥିଲେ। ସାତକୋଶିଆରେ ନୂଆ ମହାବଳ ବଂଶବିସ୍ତାର ପାଇଁ ଅନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପରେ ମଧ୍ୟପ୍ରଦେଶରୁ ଓଡ଼ିଶା ସରକାର ମହାବଳ ଆଣିଥିଲେ। ‘କାହ୍ନା’ ବ୍ୟାଘ୍ର ପ୍ରକଳ୍ପରୁ ୨୦୧୮ ଜୁନ୍ ୨୧ତାରିଖରେ ଆସିଥିଲା ୩ବର୍ଷୀୟ ଅଣ୍ଡିରା ମହାବଳ ‘ମହାବୀର’। ଏହାର କିଛି ଦିନ ପରେ ବାନ୍ଧବଗଡ଼ରୁ ବାଘୁଣୀ ‘ସୁନ୍ଦରୀ’। କିନ୍ତୁ ସୁନ୍ଦରୀ ସହିତ ମହାବୀରର ମିଳନ ହୋଇପାରିଲା ନାହିଁ। କିନ୍ତୁ ସବୁ ଆଶଙ୍କାକୁ ପଛରେ ପକାଇ ବୁଢ଼ୀ ବାଘୁଣୀ ଗର୍ଭରେ ରହିଲେ ମହାବୀରର ସନ୍ତକ। ସୁନ୍ଦରୀକାଣ୍ଡରେ ସାତକୋଶିଆ କର୍ତୃପକ୍ଷ ପୂରା ମାତିଗଲେ ଓ ମହାବୀରକୁ ଭୁଲିଗଲେ। ଏହାର ସୁଯୋଗ ନେଇ ଶିକାରୀ ଫାଶ ପକାଇ ମହାବୀରକୁ ନଭେମ୍ବର ୧୪ ତାରିଖ ଦିନ ମାରିଦେଲେ।

ମହାବୀରର ମୃତ୍ୟୁ ପରେ ତା’ର ସନ୍ତକ ନିକଟରେ ବାଘୁଣୀ ଗର୍ଭରୁ ଜନ୍ମ ନେଇଛନ୍ତି। ସାତକୋଶିଆ ଜଙ୍ଗଲର ଏକ ସୁରକ୍ଷିତ ଗୁମ୍ଫା ଭିତରେ ବାଘୁଣୀ ଶାବକଙ୍କୁ ଜଗି ରହିଛି। ସାତକୋଶିଆ କର୍ତୃପକ୍ଷ ବି ଏଥିପାଇଁ ଖୁସି ‌େଯତିକି ସତର୍କ ମଧ୍ୟ ସେତିକି। ଯେହେତୁ ବାଘୁଣୀ ପ୍ରସବ କରିବା ପରେ ପୂର୍ବାପେକ୍ଷା ଅଧିକ ହିଂସ୍ର ହୋଇଉଠେ, ତେଣୁ ସୁରକ୍ଷା ଦୃଷ୍ଟିରୁ ଆଖପାଖ ଇଲାକାକୁ ବନ କର୍ମଚାରୀଙ୍କୁ ପଠା ଯାଉନାହିଁ। ଆଖପାଖ ଇଲାକାରେ ବାଘୁଣୀର ଗତିବିଧି ଲକ୍ଷ୍ୟ କରିବା ପାଇଁ ପୂର୍ବରୁ କ୍ୟାମେରା ଖଞ୍ଜା ହୋଇଛି। ନୂଆ କ୍ୟାମେରା ପଠାଇବାକୁ ଉଚ୍ଚ କର୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି।

ଯେହେତୁ ମହାବଳ ପାଇଁ ଅତୀତରେ ଟିକରପଡ଼ାରେ ଲଙ୍କାକାଣ୍ଡ, ପୁଲିସ-ଜନତା ଖଣ୍ଡଯୁଦ୍ଧ, ଗିରଫଦାରୀ ଭଳି ଅନେକ ଦୁଃଖଦ ଘଟଣା ଘଟିଛି। ତେଣୁ ଶାବକ ଜନ୍ମ ଘଟଣାକୁ ସାତକୋଶିଆ କର୍ତୃପକ୍ଷ ଗୋପନୀୟ ରଖୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର