ସୁନ୍ଦରୀ ପୂରା ସୁସ୍ଥ, ମହାବୀର ପାଇଁ ତନାଘନା : ଏନ୍‌କ୍ଲୋଜର୍‌ରେ ଖେଳୁଛି, ବୁଲୁଛି ବାଘୁଣୀ

ଅନୁଗୁଳ : ସାତକୋଶିଆ ଅଣ୍ତିରା ଯୁବ ମହାବଳ ମୃତ୍ୟୁ ଘଟଣା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ବାଘୁଣୀ ‘ସୁନ୍ଦରୀ’ ବି ଅସୁସ୍ଥ ଥିବା ନେଇ ଚର୍ଚ୍ଚା ଚାଲିଛି। ଆଜି କେତେକ ଗଣମାଧ୍ୟମ (ସମ୍ବାଦରେ ନୁହେଁ)ରେ ସୁନ୍ଦରୀ ଅସୁସ୍ଥତା ନେଇ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ବି ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ମାତ୍ର, ସୁନ୍ଦରୀ ଅସୁସ୍ଥ ନୁହେଁ, ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ସାତକୋଶିଆ କ୍ଷେତ୍ର ନିର୍ଦେଶକ ଡ. ସୁଦର୍ଶନ ପଣ୍ତା। ସେ ଆଜି ଗଣମାଧୢମକୁ ସଫା ସଫା କହିଛନ୍ତି, ବାଘୁଣୀ ପୂରା ସୁସ୍ଥ ରହିଛି। ରାଇଗୁଡ଼ା ଏନ୍‌କ୍ଲୋଜର ଭିତରେ ସେ ଘୂରି ବୁଲୁଛି। ଶିକାର ବି କରୁଛି। ଟ୍ରାଙ୍କୁଲାଇଜ୍‌ ପରଠାରୁ ତାକୁ ଦୁଇଟା ବାର‌୍‌ହା ଶିକାର କରିବା ପାଇଁ ଦିଆଯାଇଥିଲା। ଦୁଇ ଦିନ ତଳେ ଏକ ଛେଳି ବି ଖାଇବାକୁ ଦିଆଯାଇଛି। ଟ୍ରାଙ୍କୁଲାଇଜ୍‌ ଡାର୍ଟ ପରେ ବାଘୁଣୀ ଛୋଟାଉଛି କି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବାଘୁଣୀର ଚଲାବୁଲା ପୂରା ସ୍ବାଭାବିକ ରହିଛି। ଏନ୍‌କ୍ଲୋଜରର କୃତ୍ରିମ ଜଳାଶୟରେ ସେ ଗାଧୋଉଥିବାବେଳେ ମଞ୍ଚାକୁ ମଧୢ ଚଢ଼ୁଛି ବୋଲି ଡ. ପଣ୍ତା କହିଛନ୍ତି।

ମଧୢପ୍ରଦେଶରୁ ବାଘ ଆସିବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଘଟଣାକ୍ରମରେ ବନ ଅଧିକାରୀମାନେ ଗଣମାଧୢମ ଓ ଜନତାଙ୍କୁ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ଆସୁଛନ୍ତି। ପୂର୍ବତନ ଡିଏଫ୍‌ଓଙ୍କଠାରୁ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ମନ୍ତବ୍ୟ ଘଟଣାକୁ ଅତୀତରେ ଜଟିଳ କରି ଆସିଛି। ଏଭଳି ପରିସ୍ଥିତିରେ ବାଘୁଣୀ ‘ସୁନ୍ଦରୀ’ର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଉଠିଥିବା ଆଶଙ୍କାରେ ବନ ବିଭାଗର ଏହି ଉତ୍ତରକୁ ମହାବଳପ୍ରେମୀଙ୍କ ଭରସା ପାଉନି।

ସମ୍ବନ୍ଧିତ ଖବର