ସାତକୋଶିଆରେ ସୁନ୍ଦରୀ : ଗଛ ଚଢ଼ିଲା, ପାଣିକୁ ଡେଇଁଲା

ଅନୁଗୁଳ/ବନ୍ତଳା : ମାତ୍ର ଗୋଟିଏ ରାତିର ରହଣି ପରେ ସାତୋକୋଶିଆ ଜଙ୍ଗଲକୁ ଆଦରି ନେଇଛି ‘ସୁନ୍ଦରୀ’। ବାନ୍ଧବଗଡ଼ ଜଙ୍ଗଲରେ ଯେମିତି ନିଜ ଅନ୍ଦାଜରେ ସେ ଖେଳୁଥିଲା, ବୁଲୁଥିଲା, ଠିକ୍‌ ସେମିତି ଏଠି ବି ଖେଳାବୁଲା ଆରମ୍ଭ କରିଛି। ସବୁଠାରୁ ବେଶି କୌତୂହଳ ସୃଷ୍ଟି କରିଛି, ସୁନ୍ଦରୀର ଚଗଲାମି। ଆଜି ଦିନ ବେଳା ଏହି ସାଢ଼େ ୮ଫୁଟିଆ ବାଘୁଣୀ ହଠାତ୍‌ ଏନ୍‌କ୍ଲୋଜର ଭିତରେ ଥିବା ଗଛ ଉପରକୁ ଚଢ଼ି ଯାଇଥିଲା। ଚାହୁଁ ଚାହୁଁ ୧୫ଫୁଟ୍‌ ଉପରେ ବସିଥିଲା ସୁନ୍ଦରୀ। ପ୍ରାୟ ୫ମିନିଟ୍‌ କାଳ ଡାଳରେ ବସିବା ପରେ ତଳକୁ ବି ସୁବିଧାରେ ଓହ୍ଲାଇ ଆସିଥିଲା। ଯେଉଁ ବନ କର୍ମଚାରୀମାନେ ଏଭଳି ଦୃଶ୍ୟ କେବଳ ଟେଲିଭିଜନରେ ଦେଖିଥିଲେ, ତାକୁ ଆଖି ଆଗରେ ଦେଖି ବେଶ୍‌ ଖୁସି ହୋଇଥିଲେ। କେବଳ ସେତିକି ନୁହେଁ, ଏନ୍‌କ୍ଲୋଜର ମଧ୍ୟରେ ସୃଷ୍ଟି କରାଯାଇଥିବା କୃତ୍ରିମ ଜଳାଶୟରେ ବାଘୁଣୀ ପହଁରିବାର ଦୃଶ୍ୟ ବି ବନ ବିଭାଗ କର୍ମଚାରୀଙ୍କୁ ବେଶ୍‌ ଖୁସି କରିଛି। ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ଏନ୍‌କ୍ଲୋଜର ମଧ୍ୟକୁ ବାଘୁଣୀକୁ ଛଡ଼ାଯାଇଥିଲା। ବାଘୁଣୀ ସାଙ୍ଗକୁ ସେହି ରାତିରେ ବନ ବିଭାଗ ଛାଡ଼ିଥିଲା ଗୋଟିଏ ଜଙ୍ଗଲୀ ବାର୍‌ହା। ବାର୍‌ହାକୁ ରାତିରେ ବାଘୁଣୀ ଶିକାର କରିଥିବା ସାତକୋଶିଆର କ୍ଷେତ୍ର ନିର୍ଦେଶକ ତଥା ଅତିରିକ୍ତ ପିସିସିଏଫ୍‌ ଡ. ସୁଦର୍ଶନ ପଣ୍ଡା କହିଛନ୍ତି।

ଦୁଇ ଏନ୍‌କ୍ଲୋଜରରେ ବାଘ, ବାଘୁଣୀ ବେଶ୍‌ ଶୋଭା ମଣ୍ଡନ କରୁଥିଲେ ହେଁ, କେହି କାହା ମୁହଁ ଦେଖି ପାରୁ ନାହାନ୍ତି। ଦୁଇ ଏନ୍‌କ୍ଲୋଜର ମଧ୍ୟରେ ଥିବା ରାସ୍ତାକୁ ନଡ଼ା ଓ କପଡ଼ା ଦେଇ ବନ୍ଦ କରି ଦିଆଯାଇଛି। ପରସ୍ପର ପରସ୍ପରକୁ ଦେଖି ନ ପାରିଲେ ହେଁ, ଗନ୍ଧ ବାରିବା ଅସମ୍ଭବ ନୁହେଁ ବୋଲି ଜଣେ ବନ କର୍ମଚାରୀ କହିଛନ୍ତି।

ବିଭାଗୀୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ସାତକୋଶିଆ ଜଙ୍ଗଲ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। କିନ୍ତୁ କେବେ ବାଘ, ବାଘୁଣୀକୁ ଛଡ଼ାଯିବ ତାହା ଏବେ ବି ନିଷ୍ପତ୍ତି ହୋଇ ପାରୁନି। ଯେହେତୁ ବର୍ଷା ଚାଲିଛି। ତେଣୁ ଠିକଣା ସମୟକୁ ଅପେକ୍ଷା କରାଯାଇଛି। ଓ୍ଵାଇଲ୍‌ଡ଼ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରୁ ଆସିଥିବା ବିଶେଷଜ୍ଞ ଡ. କେ. ରାମେଶଙ୍କ ସବୁଜ ସଙ୍କେତ ମିଳିବା ପରେ ଆଗ ଯୁବ ମହାବଳକୁ ଏନ୍‌କ୍ଲୋଜରରୁ ମୁକ୍ତ କରାଯିବ। ତା’ ପରେ ବାଘୁଣୀକୁ ଛଡ଼ାଯିବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର