ମହାବଳ ପାଇଁ ଆସିଲା ‘ସୁନ୍ଦରୀ’ : ବାନ୍ଧବଗଡ଼ରୁ ଆସିଲା, ସାତକୋଶିଆ ଏନ୍‌କ୍ଲୋଜରରେ ଛଡ଼ାଗଲା, ମା’ର ନାଁ ସ୍ପଟି, ଓଜନ ୧୯୦କେଜି

0 184

ଅନୁଗୁଳ/ବନ୍ତଳା : ସପ୍ତାହକ ତଳେ ମଧ୍ୟପ୍ରଦେଶ ‘କାହ୍ନା’ ବ୍ୟାଘ୍ର ପ୍ରକଳ୍ପରୁ ଆସି ସାତକୋଶିଆ ଏନ୍‌କ୍ଲୋଜରରେ ଏକା ଏକା ପଇଁତିରା ମାରୁଥିବା ଯୁବ ମହାବଳର ସାଥ୍‌ ଦେଇଛି ‘ସୁନ୍ଦରୀ’। ଆଉ କେଉଁଠୁ ନୁହେଁ, ମଧ୍ୟପ୍ରଦେଶର ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପରୁ ତା’ ପାଇଁ ବାନ୍ଧବୀ ଖୋଜି ଆଣିଛି ବନ ବିଭାଗ। ଯୁବ ମହାବଳର ବୟସ ଯେତିକି, ଠିକ୍‌ ତା ବୟସର ବାଘୁଣୀକୁ ଆଜି ସନ୍ଧ୍ୟାରେ ଏନ୍‌କ୍ଲୋଜରରେ ଛଡ଼ା ଯାଇଛି।

ବାଘୁଣୀ ଆଣିବା ପାଇଁ ତିନି ଦିନ ତଳୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସାତକୋଶିଆର ସ୍ୱତନ୍ତ୍ର ଟିମ୍‌ ଆଗୁଆ ମଧ୍ୟପ୍ରଦେଶ ରାଜ୍ୟ ଉମାରିଆ ସ୍ଥିତ ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପରେ ଡେରା ପକାଇଥିଲା। ସାଥୀରେ ଓ୍ଵାଇଲ୍ଡ୍‌ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ମହାବଳ ବିଶେଷଜ୍ଞ, ଡାକ୍ତରୀ ଦଳ, ବାନ୍ଧବଗଡ଼ର ଟିମ୍‌ ପହଞ୍ଚି ଜଙ୍ଗଲ ଭିତରେ ବାଘୁଣୀ ଚିହ୍ନଟ କରିଥିଲେ। ପାଗ ଦେଖି ବୁଧବାର ଦିନ ଜଙ୍ଗଲ ଭିତରେ ବାଘୁଣୀକୁ ଟ୍ରାଙ୍କୁଲାଇଜର ଦେଇ ଅଚେତ କରାଯାଇଥିଲା। ଏଥିସହ ତା ବେକରେ ରେଡିଓ କଲାର୍‌ ଲଗାଯାଇଥିଲା। ବାଘୁଣୀର ସ୍ୱାସ୍ଥ୍ୟାବସ୍ଥା ତନ୍ନତନ୍ନ ଯାଞ୍ଚ କରାଯାଇଥିଲା। ଗତକାଲି ଅପରାହ୍‌ଣରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ବାଘୁଣୀ ସାତକୋଶିଆ ଅଭିମୁଖେ ଯାତ୍ରା କରିଥିଲା। ଦୀର୍ଘ ୭ଶହରୁ ଅଧିକ କିଲୋମିଟର ସଡ଼କ ପଥରେ ଯାତ୍ରା କରିବା ପରେ ଆଜି ସନ୍ଧ୍ୟାରେ ସାତକୋଶିଆରେ ଆସି ପହଞ୍ଚିଛି ବାଘୁଣୀ। ସପ୍ତାହକ ତଳେ ଯୁବ ମହାବଳକୁ ଯେଉଁ ଏନ୍‌କ୍ଲୋଜରରେ ଛଡ଼ା ଯାଇଛି, ତା’ ପାଖକୁ ଲାଗି ବାଘୁଣୀକୁ ଆଜି ଛଡ଼ାଯାଇଛି। ବର୍ତ୍ତମାନ ସାତକୋଶିଆର ପାଖାପାଖି ଦୁଇ ଏନ୍‌କ୍ଲୋଜରରେ ବାଘ, ବାଘୁଣୀଙ୍କ ଚଳପ୍ରଚଳ ସାତକୋଶିଆର ଶୋଭାକୁ ଦ୍ୱିଗୁଣିତ କରିଛି।

ବନ ବିଭାଗର କହିବା ମୁତାବକ, ଯେଉଁ ବାଘୁଣୀ ସାତକୋଶିଆ ଆସିଛି ତାର ମା’ର ନାମ ହେଉଛି ସ୍ପଟି (ଟି-୪୦)। ତିନି ଛୁଆ ମଧ୍ୟରୁ ଇଏ ଅନ୍ୟତମ। ବାନ୍ଧବଗଡ଼ରେ ଏହାର ନାଁ ସୁନ୍ଦରୀ (ଟି-୪୧୨) ଦିଆଯାଇଥିଲା। ଏହାର ଓଜନ ପ୍ରାୟ ୧୯୦କେଜି ହୋଇଥିବା ବେଳେ ବୟସ ଦୁଇରୁ ଅଢ଼େଇ ବର୍ଷ ହେବ। ଅଳ୍ପ କିଛି ଦିନ ତଳେ ସ୍ପଟି କୋଳରୁ ସୁନ୍ଦରୀ ଅଲଗା ହୋଇଛି। ମା’ କୋଳରୁ ଭିନ୍ନ ହେଲା ପରେ ବାଘୁଣୀ ସାଧାରଣତଃ ନିଜସ୍ୱ ଜୀବନଯାପନ କରେ। ନିଜେ ଶିକାର କରିବା ସହିତ ପ୍ରଜନନ ସକ୍ଷମ ହୁଏ। ଏଭଳି ପରିସ୍ଥିତିରେ ବାଘୁଣୀ ପାଇଁ ନୂଆ ମହାବଳ ଓ ନୂଆ ଜଙ୍ଗଲ ପରିବେଶ ବେଶ୍‌ ଅନୁକୂଳ ହେବ ବୋଲି ବନ ବିଭାଗ ଆଶାବାଦୀ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବରୁ ଆସିଥିବା ଯୁବ ମହାବଳର ବୟସ ୩ବର୍ଷ ଓ ଓଜନ ୧୯୫କେଜି। ସୁନ୍ଦରୀର ବୟସ ଓ ଓଜନ ବି ଯୁବ ମହାବଳର ପାଖାପାଖି। ତେଣୁ ସାତକୋଶିଆର ପୂର୍ବ ମହାବଳ ଗୌରବ ଫେରାଇ ଆଣିବାରେ ଏ ଦୁଇ ବାଘ, ବାଘୁଣୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି ବନ ବିଭାଗ ଆଶା ପ୍ରକାଶ କରିଛି।

ବାଘ, ବାଘୁଣୀ ଆଣିବାଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି ସେମାନଙ୍କୁ ଏନ୍‌କ୍ଲୋଜରରୁ ମୁକ୍ତ କରି ଜଙ୍ଗଲକୁ ଛାଡ଼ିବା ଓ ସେମାନଙ୍କ ଗତିବିଧି ନିରୀକ୍ଷଣ କରିବା। ଯେହେତୁ ଯୁବ ମହାବଳ ୮ଦିନ ଏନ୍‌କ୍ଲୋଜରରେ କଟାଇ ସାରିଲାଣ, ଆଉ ବେଶି ଦିନ ରହିଲେ ବାଘ ପ୍ରଭାବିତ ହେବାର ଆଶଙ୍କା ରହିଛି। ଫଳରେ ଏନ୍‌କ୍ଲୋଜରରେ ଆଉ ବେଶି ଦିନ ଯୁବ ମହାବଳକୁ ରଖି ହେବ ନାହିଁ। ତେଣୁ ତୁରନ୍ତ ସେମାନଙ୍କୁ ମୁକ୍ତ କରିବାକୁ ବନ ବିଭାଗ ଯୋଜନା କରୁଛି। ଏହି ବାଘ, ବାଘୁଣୀ ବାଦ୍‌ ଆଉ ଦୁଇ ଯୋଡ଼ା ମହାବଳ ଅଣାଯିବାକୁ ଯୋଜନା ରହିଛି। କିନ୍ତୁ ଏବେ ଅଣାଯିବ ନାହିଁ। ସମ୍ଭବତଃ ବର୍ଷା ପରେ ଏହା ଉପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.