ପୁଣି ମାତିଲା ‘ସୁନ୍ଦରୀ’ : ଦ୍ବିତୀୟ ଶିକାର ଚାଷୀ, ଆକ୍ରମଣରେ ସାମ୍ବାଦିକ ଗୁରୁତର

ଉତ୍ତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ, ପୁଲିସ ଭ୍ୟାନ ଜାଳିଦେଲେ, ୫ ବନ ଅଧିକାରୀଙ୍କୁ ନିର୍ଘାତ ମାଡ଼, ପୁଲିସର ଲାଠିମାଡ଼, ଫାଙ୍କା ଗୁଳି

ପାଇକସାହି/ବନ୍ତଳା/ଛେଣ୍ତିପଦା : ସାତକୋଶିଆ ଅଭୟାରଣ୍ୟ ହାତୀବାରି ଗାଁର ମହିଳା କୈଳାସୀ ସାଏଙ୍କୁ ବାଘୁଣୀ ‘ସୁନ୍ଦରୀ’ ଶିକାର କରିଥିବା ଅଭିଯୋଗକୁ କେନ୍ଦ୍ର କରି ଟିକରପଡ଼ାରେ ଲଙ୍କାକାଣ୍ତ ହୋଇଥିଲା। ଘଟଣାର ଦେଢ଼ ମାସ ପୂରଣ ନ ହେଉଣୁ ଆଜି ପୁରୁଣାକୋଟ୍‌ ଥାନା ଟାଇଁସି ଗାଁରେ ଦ୍ବିତୀୟ ମଣିଷ ଶିକାର କରିଛି ‘ସୁନ୍ଦରୀ’। ଏଥର ଗାଁର ଚାଷୀ ତ୍ରିନାଥ ସାହୁଙ୍କୁ(୬୦) ନାଳ ପାଖରୁ ଘୋଷାଡ଼ି ନେଇଛି। ଅତି ନୃଶ˚ସ ଭାବେ ତ୍ରିନାଥଙ୍କ ତଣ୍ଟି କଣା କରିଥିବା ବେଳେ ଅଣ୍ଟା ପଛ ପାଖରୁ ଦୁଇ ପୁଳା ମା˚ସ ଖାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଘଟଣାକୁ କେନ୍ଦ୍ର କରି ହଜାର ହଜାର ଭୟଭୀତ ବନବାସୀ ‘ସୁନ୍ଦରୀ’ ଦାଉରୁ ସୁରକ୍ଷା ଲୋଡ଼ୁଥିବା ବେଳେ ୫୫ନମ୍ବର ଜାତୀୟ ରାଜପଥ ମୁଣ୍ତାସାହି ଛକ ନିକଟରେ ପୁଲିସ-ଜନତା ଖଣ୍ତଯୁଦ୍ଧ ହୋଇଛି।

ଲୋକଙ୍କ ଉପରକୁ ପୁଲିସ ଲାଠିଚାର୍ଜ, ଫାଙ୍କା ଗୁଳି ଚାଳନା କରିଥିବା ବେଳେ ଉତ୍‌କ୍ଷିପ୍ତ ଲୋକେ ପାଲ୍‌ଟା ଆକ୍ରମଣ ସ୍ବରୂପ ଢେଲା, ପଥର ବର୍ଷା କରିଛନ୍ତି। ପୁଲିସର ଦୁଇଟି ଭ୍ୟାନକୁ ପୋଡ଼ି ଦିଆଯାଇଥିବା ବେଳେ ଏକାଧିକ ଗାଡ଼ି ଭଙ୍ଗାରୁଜା କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତକାଲି ରାତିରୁ ବାଘୁଣୀ ଭୟ ଟାଇଁସି ଗାଁ ସାରା ଖେଳି ଯାଇଥିଲା। ଲୋକେ ରାତିରେ ସୁନ୍ଦରୀକୁ ଗାଁ ପାଖରେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବାଘକୁ ଜଗିବା ପାଇଁ ବନ ବିଭାଗକୁ କହିଥିଲେ। ସୁନ୍ଦରୀ ଭୟରେ ରାତିସାରା ଲୋକଙ୍କୁ ଉଜାଗର ରହିବାକୁ ପଡ଼ିଥିଲା। ଆଜି ସକାଳୁ ଗାଁର ଚାଷୀ ତ୍ରିନାଥ ଆଳୁ ଚାଷ କରିବା ପାଇଁ ମାହେଶ୍ବରୀ ପୀଢ ନିକଟସ୍ଥ ନିଜ ଜମିକୁ ଯାଇଥିଲେ। ସାଥୀରେ ଜଣେ ଭାଗଚାଷୀଙ୍କୁ ବି ନେଇଥିଲେ।

ଭାଗଚାଷୀ ଜଣକ ଜମିରେ ହଳ କରୁଥିବା ବେଳେ ତ୍ରିନାଥ ଜମିଠାରୁ ମାତ୍ର ଶହେ ମିଟର ଦୂର ଏକ ନାଳକୁ ଯାଇଥିଲେ। ସେଠାରୁ ମାଛ ଧରୁଥିବା ବେଳେ ପଛରୁ ବାଘୁଣୀ ପଞ୍ଝା ମାରିଥିଲା। ତଣ୍ଟିକୁ ଧରି ପ୍ରାୟ ଶହେ ମିଟର ଦୂର ବୁଦା ଆଡ଼କୁ ଘୋଷାଡ଼ି ନେଇଥିଲା। ଖବର ପ୍ରଚାରିତ ହେବା ପରେ ପୁରୁଣାକୋଟ୍‌ ଥାନା ପୁଲିସ ଓ ସ୍ଥାନୀୟ ଲୋକେ ସେଠାରେ ରୁଣ୍ତ ହୋଇଥିଲେ। ସାମ୍ବାଦିକ ରଘୁନାଥ ସାହୁ ମୃତ ତ୍ରିନାଥଙ୍କ ଫଟୋ ଉଠାଉଥିବା ବେଳେ ବାଘୁଣୀ ପୁଣି ଆକ୍ରମଣ କରିଥିଲା। ରଘୁନାଥଙ୍କ ଉପରକୁ ପଞ୍ଝା ମାରିଥିଲା ବୋଲି ରୋଡ଼ସି˚ହାର ପ୍ରତ୍ୟକ୍ଷଦର୍ଶୀ ଭଗବାନ ସାହୁ କହିଛନ୍ତି। ଠିକ୍‌ ଏତିକିବେଳେ ପୁରୁଣାକୋଟ୍‌ ଥାନା ଅଧିକାରୀ ବିଜୟ କୁମାର ହାଇବ୍ରୁ ଦୁଇ ରାଉଣ୍ତ୍‌ ଫାଙ୍କା ଗୁଳିଚାଳନା କରିବା ପରେ ବାଘୁଣୀ ମୁହଁରୁ ରଘୁନାଥ ଅଳ୍ପକେ ବର୍ତ୍ତିଛନ୍ତି। ଆହତ ସାମ୍ବାଦିକ ଶ୍ରୀ ସାହୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ପୁରୁଣାକୋଟ୍‌ ରେଞ୍ଜର ଗଜେନ୍ଦ୍ର ବେହେରା, ପମ୍ପାସର ରେଞ୍ଜର ବ୍ରଜକିଶୋର ପଟ୍ଟନାୟକ, କୁମୁରୀ ଫରେଷ୍ଟର ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ପ୍ରାୟ ୫ଜଣ ବନ କର୍ମଚାରୀଙ୍କୁ ନିର୍ଘାତ୍‌ ମାଡ଼ ମାରି ଟାଇଁସି କୋଠଘରେ ବନ୍ଦ କରିଥିଲେ। ଅତିରିକ୍ତ ଏସ୍‌ପି ଯଦୁନାଥ ହାଁସଦାଙ୍କ ଗାଡ଼ିକୁ ଭାଙ୍ଗି ଚୂର‌୍‌ମାର କରି ଦେଇଥିଲେ। ବାଘମୁଣ୍ତା ବିଟ୍‌ ହାଉସ ପୋଡ଼ି ଦିଆଯାଇଥିଲା। ଏମିତିକି ଦମକଳକୁ ବି ସେଠାକୁ ଯିବାକୁ ଦିଆଯାଇ ନ ଥିଲା। କୁମୁରୀ ଓ ଟାଇଁସି ବିଟ୍‌ ହାଉସ୍‌ ଭଙ୍ଗାରୁଜା ହୋଇଥିଲା। ଘଟଣାସ୍ଥଳରେ ଏସପି ମିତ୍ରଭାନୁ ମହାପାତ୍ର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ହାତୀବାରି ଘଟଣାରେ ଏସପି ଶ୍ରୀ ମହାପାତ୍ର ଦେଇଥିବା ପ୍ରତିଶ୍ରୁତି ପରେ ମିଛ ପ୍ରମାଣିତ ହେବାରୁ ଲୋକେ ତାଙ୍କ କଥାକୁ ଭରସା କରି ନ ଥିଲେ। ଜିଲ୍ଲାପାଳ ଏବ˚ ବନ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଆସିବାକୁ ଅଡ଼ି ବସିଥିଲେ। କିନ୍ତୁ ପ୍ରାୟ ୮ଘଣ୍ଟା କାଳ ଘଟଣାସ୍ଥଳରେ ଶବ ପଡ଼ି ରହିଥିଲେ ହେଁଁ କାହାର ଦେଖା ନ ଥିଲା। ତେଣୁ ନ୍ୟାୟ ପାଇଁ ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ। ଗାଁଠାରୁ ଦୀର୍ଘ ୨୦କିଲୋମିଟର ଦୂର ମୁଣ୍ତାସାହି ଛକକୁ ଯାଇ ୫୫ନମ୍ବର ଜାତୀୟ ରାଜପଥ ଉପରେ ଶବ ରଖି ଶାନ୍ତିପୂର୍ଣ୍ଣ ଭାବେ ଅବରୋଧ କରିଥିଲେ।

‘ସୁନ୍ଦରୀ’କୁ ଜଙ୍ଗଲରୁ ପ୍ରଥମେ ବିଦା କର, ତା’ ପରେ ଶବ ଉଠିବ ବୋଲି ଲୋକେ ଜିଦ୍‌ କରିଥିଲେ। ଘଟଣାସ୍ଥଳରେ ଯଦିଓ ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ, ସହକାରୀ ଜିଲ୍ଲାପାଳ ପତିତପାବନ ଦେବତା, ଅନୁଗୁଳ ତହସିଲ୍‌ଦାର ବିଚିତ୍ରାନନ୍ଦ ନାୟକ ଉପସ୍ଥିତ ଥିଲେ, କିନ୍ତୁ କେହି ଜନତାଙ୍କୁ ସାମ୍ନା କରିବା ସ୍ଥିତିରେ ନ ଥିଲେ। ହାତୀବାରି ଘଟଣାରେ ‘ସୁନ୍ଦରୀ’ କାଣ୍ତକୁ ନେଇ ରାଜଧାନୀରେ ଜଙ୍ଗଲ ମନ୍ତ୍ରୀ ଯେଉଁଭଳି ବୟାନବାଜି କରିଥିଲେ ତାହାକୁ ନେଇ ଆଜି ଉତ୍ତେଜନା ବହୁ ଗୁଣିତ ହୋଇଥିଲା। ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସାଙ୍ଗକୁ ମଣିଷଖିଆ ‘ସୁନ୍ଦରୀ’କୁ ଫେରାଇ ନେବାକୁ ଦାବି କରିଥିଲେ। ପ୍ରାୟ ତିନି ଘଣ୍ଟା କାଳ ମୁଣ୍ତାସାହି ଛକରେ ଶବ ପଡ଼ି ରହିଥିଲା। ଟାୟାର ଜାଳି ରାସ୍ତାରୋକ ଜାରି ରହିଥିଲା। କିନ୍ତୁ ସମାଧାନର କୌଣସି ବାଟ ଫିଟିଲା ନାହିଁ। ସଞ୍ଜ ନଇଁବା ଆନ୍ଦୋଳନକୁ ଭଣ୍ତୁର କରିବାକୁ ସୁଯୋଗ ଉଣ୍ତୁଥିଲା ପୁଲିସ।

ସନ୍ଧ୍ୟାରେ ଏସ୍‌ପି ଶ୍ରୀ ମହାପାତ୍ର ଗହଳି ଭିତରେ ଆଲୋଚନା ପାଇଁ ଲୋକଙ୍କୁ ଡାକୁଥିବା ବେଳେ କେହି ଏସ୍‌ପିଙ୍କ ଗାଡ଼ି ଉପରକୁ ହଠାତ୍‌ ଆକ୍ରମଣ କରିଥିଲେ। ଏହାର ସୁଯୋଗ ନେଇ ଜନତାଙ୍କ ଉପରେ ନିର୍ଘାତ୍‌ ଲାଠିଚାର୍ଜ ଆରମ୍ଭ କରି ଦେଇଥିଲା ପୁଲିସ। ଲୁହବୁହା ଟିୟର ଗ୍ୟାସ୍‌ ସାଙ୍ଗକୁ ଫାଙ୍କା ଗୁଳି ଚାଳନା କରିଥିଲା। ଲୋକେ ଏହାର ପ୍ରତି ଜବାବ ଦେଇଥିଲେ। ପୁଲିସ ଉପରକୁ ତୁହାକୁ ତୁହା ଢେଲା, ପଥର ବର୍ଷା କରିଥିଲେ। ଏମିତିକି ପୁଲିସ ବନ୍ଧୁକରେ ପୁଲିସକୁ ମାଡ଼ ମରାଯାଇଥିବା ଦେଖିବାକୁ ମିଳିଥିଲା। ଲୋକେ ପୁଲିସର ଦୁଇଟି ଭ୍ୟାନ୍‌ ପୋଡ଼ି ଦେବା ସହିତ ଏକାଧିକ ଗାଡ଼ି ଭାଙ୍ଗି ଦେଇଛନ୍ତି। ଅଧଘଣ୍ଟାର ପୁଲିସ-ଜନତାଙ୍କ ଖଣ୍ତଯୁଦ୍ଧରେ ବହୁ ଲୋକ ଆହତ ହୋଇଥିବା ବେଳେ କିଛି ଲୋକଙ୍କ ଦେହରେ ପୁଲିସ ଗୁଳି ବାଜିଥିବା କୁହାଯାଉଛି। ଅନୁଗୁଳ ଏସ୍‌ଡିପିଓ ହରିହର ପାଣି, ଆଠମଲ୍ଲିକ ଏସ୍‌ଡିପିଓ ଏ. କେର‌୍‌କେଟା, ଅନୁଗୁଳ ଥାନା ଅଧିକାରୀ ରମେଶ ବିଶୋଇ, ଆଠମଲ୍ଲିକ ଥାନାର ତାପସ ଭୋଇଙ୍କ ସମେତ ବହୁ ପୁଲିସ ଅଧିକାରୀ ଗୁରୁତର ଅଛନ୍ତି। ଘଟଣା ପରେ ଲୋକେ ଛିନ୍‌ଛତ୍ର ହୋଇଥିଲେ। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି।

ସମ୍ବନ୍ଧିତ ଖବର