ତିର୍ତ୍ତୋଲ ଏସିଡ୍‌ ମାଡ଼ ମାମଲା : ପୀଡ଼ିତା ପ୍ରମୋଦିନୀଙ୍କ ବୟାନ ରେକର୍ଡ

ଜଗତସିଂହପୁର : ତିର୍ତ୍ତୋଲ ଏସିଡ୍‌ ମାଡ଼ ଘଟଣାର ପୀଡ଼ିତା ପ୍ରମୋଦିନୀ ରାଉଳଙ୍କର ବୟାନ ରେକର୍ଡ କରାଯାଇଛି। ବୟାନ ରେକର୍ଡ ସମୟରେ ସେ ସମସ୍ତ ଘଟଣା ବର୍ଣ୍ଣନା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
ଆଜି ଅପରାହ୍ନ ୪ଟା ସମୟରେ ପ୍ରମୋଦିନୀ ବୟାନ ରେକର୍ଡ ପାଇଁ ଜଗତସିଂହପୁର ଏସ୍‌ଡିଜେଏମ୍‌ କୋର୍ଟରେ ପହଞ୍ଚଥିଲେ। ବୟାନ ରେକର୍ଡ ହେବା ପରେ ସେ ରାତି ପ୍ରାୟ ସାଢେ ଆଠଟା ସମୟରେ କୋର୍ଟ ପରିସରରୁ ବାହାରିଥିଲେ।

ବୟାନ ରେକର୍ଡ ହେବା ପରେ ନିଜ ପ୍ରତିକ୍ରିୟାରେ ପ୍ରମୋଦିନୀ କହିଥିଲେ ଯେ, ‘୮ ବର୍ଷ ପରେ ହେଲେ ବି ମୋତେ ନ୍ୟାୟ ମିଳିଥିବାରୁ ମୁଁ ଖୁସି।’ ମାତ୍ର, ଏବେ ବି ରାଜ୍ୟରେ ଏକତରଫା ପ୍ରେମକୁ ନେଇ ଏସିଡ୍‌ ମାଡ଼ ହେଉଛି। ଏଣୁ ଝିଅମାନେ ଏଥିରେ ଡରି ନଯାଇ ଲଢ଼େଇ କରିବା ଉଚିତ୍‌ ବୋଲି ସେ କହିଛନ୍ତି।

ପ୍ରକାଶଥାଉକି, ୨୦୦୯ ମସିହାରେ ଏହି ଘଟଣା ଘଟିଥିବାବେଳେ ୨୦୧୨ ମସିହାରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ଚଳିତବର୍ଷ ଏହି ମାମଲାକୁ ପୁଣିଥରେ ଆରମ୍ଭ କରାଯାଇଥିଲା। ଏବଂ, ଆରମ୍ଭର କିଛି ଦିନ ମଧ୍ୟରେ ଦୁଇ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତଙ୍କୁ କୋଲକତା ଓ ବିଶ୍ୱଜିତ ଦଳସିଂ ରାୟଙ୍କୁ ବାଲୁଗାଁରୁ ଗିରଫ କରାଯାଇଥିଲା। ଏହାପରେ ତିର୍ତ୍ତୋଲ ପୁଲିସ ସନ୍ତୋଷଙ୍କୁ ରିମାଣ୍ଡ୍‌ରେ ଆଣି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା। ଯେଉଁଥିରେ ସନ୍ତୋଷ ନିଜର ସବୁ ଦୋଷ ସ୍ୱୀକାର କରି ନେଇଥିଲା। ଏହି ଘଟଣାରେ ୨ ଜଣ ପୁଲିସ୍‌ ଅଧିକାରୀଙ୍କୁ ବି ନିଲମ୍ବିତ କରାଯାଇଛି।

ସମ୍ବନ୍ଧିତ ଖବର