ଟିଟିଲାଗଡ଼ ଓ ତାଳଚେର ଦେଶରେ ଉତ୍ତପ୍ତ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଅଧିକାଂଶ ସହର ତାପମାତ୍ରା ୩୮ ଡିଗି୍ର ଉପରକୁ ଚାଲିଯାଇଥିବା ବେଳେ ଲଗାତାର ଦ୍ୱିତୀୟ ଦିନ ଲାଗି ଟିଟିଲାଗଡ଼ ତତଲା ସହର ପାଲଟିଛି। ତାଳଚେରର ତାପମାତ୍ରା ମଧ୍ୟ ବୃଦ୍ଧି ପାଇଛି। ଏଠାରେ ଆଜିର ତାପମାତ୍ରା ୪୦ ଡିଗ୍ରି ଛୁଇଁଛି। ଟିଟିଲାଗଡ଼ ଓ ତାଳଚେର ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହେବା ସହ ଦେଶର ସର୍ବୋଚ୍ଚ ତାପମାତ୍ରା ମଧ୍ୟ ଏହି ଦୁଇ ସହରରେ ରେକର୍ଡ କରାଯାଇଛି।ଓଡ଼ିଶାର ଉକ୍ତ ଦୁଇ ସହର ସମେତ ରୟାଲସୀମାର କୋଠାଗୁଡେମ୍‌, ତେଲେଙ୍ଗାନାର କୁରନୁଲ, ତାମିଲନାଡ଼ୁର ମଦୁରାଇ ସହର ତାପାମତ୍ରା ୪୦ ଡିଗ୍ରି ରହିଥିଲା। ଏହି ସମୟରେ ଜମ୍ମୁ ଓ କାଶ୍ମିରୀ, ଉତ୍ତର ପ୍ରଦେଶ ଓ ତାମିଲନାଡ଼ୁର ତାପମାତ୍ରା ଯେତିକି ରହିବା କଥା ତା’ଠାରୁ ୩.୧ ଡିଗ୍ରିରୁ ୫ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହୁଛି। ସେହିପରି ଏହି ସମୟରେ ଓଡ଼ିଶାର ତାପମାତ୍ରା ଯେତିକି ରହିବା କଥା ତା’ଠାରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହୁଛି। ଓଡ଼ିଶା ସମେତ ବିହାର, ଛତିଶଗଡ଼, ପଶ୍ଚିମ ଉତ୍ତର ପ୍ରଦେଶ, ଝାରଖଣ୍ଡ ଏବଂ ଜମ୍ମୁ ଓ କାଶ୍ମିରୀର କିଛି ଅଂଶରେ ତାପମାତ୍ରା ମଧ୍ୟ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହୁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତାଳଚେର, ଟିଟିଲାଗଡ଼ ବ୍ୟତୀତ ଅନୁଗୁଳ ଓ ବଲାଙ୍ଗୀରର ତାପମାତ୍ରା ୩୯.୭ ଡିଗ୍ରି ରେକର୍ଡ କରାଯାଇଥିଲା। ଭବାନୀପାଟଣାରେ ୩୯.୫, ମାଲକାନଗିରିରେ ୩୯.୪, ବାରିପଦାରେ ୩୮.୪, ଝାରସୁଗୁଡ଼ା ଓ ହୀରାକୁଦରେ ୩୮.୩, ସମ୍ବଲପୁରରେ ୩୮, ସୋନପୁରରେ ୩୭.୮, ଢ଼େଙ୍କାନାଳରେ ୩୭.୪, କେନ୍ଦୁଝରଗଡ଼ ଓ ଫୁଲବାଣୀରେ ୩୭ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ସାରା ରାଜ୍ୟରେ ତାତି ଜାରି ରହିବ। ୨୭ରୁ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ର୍ରି ଉପରକୁ ଚାଲିଯିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସମ୍ବନ୍ଧିତ ଖବର