କଂଗ୍ରେସ ରାଜନୀତି ସରଗରମ : ସୁରେନ୍ଦ୍ରଙ୍କ ବଦଳରେ ଟିଟିଲାଗଡ଼ରୁ ଶରତ!

କର୍ମୀଙ୍କ ବୈଠକ ବାତିଲ କଲେ ସୁରେନ୍ଦ୍ର

ବଲାଙ୍ଗୀର : ବଲାଙ୍ଗୀ ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ବିଧାନସଭା ଆସନରେ ଟିକଟକୁ ନେଇ ଛକାପଞ୍ଝା ଆରମ୍ଭ ହୋଇଛି। ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ ଓ ପୂର୍ବତନ ସାଂସଦ ଶରତ ପଟ୍ଟନାୟକ ଏଥର ଟିଟିଲାଗଡରୁ ଆଶାୟୀ ରହିଛନ୍ତି। ତେବେ,ଶରତଙ୍କ ପଲା ଭାରି ରହିଛି। ସୁରେନ୍ଦ୍ର ସଇଁତଲାଠାରେ ନିଜର ଏକ ବୈଠକକୁ ବାତିଲ୍‌ କରିଦେବା ଫଳରେ ଏହି ଚର୍ଚ୍ଚା ଜୋର୍‌ ଧରିଛି।

ଗତ ୨୦୧୪ ନିର୍ବାଚନରେ ଶରତ ଲୋକସଭା ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଚଳିତ ନିର୍ବାଚନରେ ବି ଆରମ୍ଭରୁ ତାଙ୍କ ନାଁ ଶୁଣିବାକୁ ମିଳୁଥିଲା। ମାତ୍ର, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହିତ ବୁଝାମଣା ପରେ ସେ ତାଙ୍କର ନିଷ୍ପତ୍ତି ବଦଳାଇଥିବା ଜଣାପଡ଼ିଛି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ପୁଅ ସମରେନ୍ଦ୍ର ଲୋକସଭା ପାଇଁ ଆଶାୟୀ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶରତ ଏବେ ଟିଟିଲାଗଡ଼ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଅନ୍ୟ ଏକ ସୂଚନାରୁ ଜଣାପଡ଼ିଛି ଯେ, ଶରତ ଏବେ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀର ବିଭିନ୍ନ ସମାବେଶରେ ଯୋଗ ଦେଉଛନ୍ତି।

ଅନ୍ୟପକ୍ଷରେ, କଂଗ୍ରେସରେ ଚାରିଆଡେ ଶରତଙ୍କ ଟିକଟ ପାଇବା ନେଇ ଚର୍ଚ୍ଚା ଜୋର୍‌ ଧରିବା ପରେ ସୁ‌ରେନ୍ଦ୍ର ସଇଁନ୍ତଲା କରୁଆଝର ନର୍ସରିଠାରେ ଆୟୋଜିତ ବୈଠକକୁ ବାତିଲ କରି ଦେଇଥିବା ସୂଚନା ମିଳିଛି। ସଇଁନ୍ତଲା କରୁଆଝର ନର୍ସରିଠାରେ ସୁରେନ୍ଦ୍ର ବୈଠକର ଆୟୋଜନ କରିଥିଲେ। ବୈଠକ ବାତିଲ ପରେ ପରେ ଶରତଙ୍କ ଟିକଟକୁ ନେଇ ଚର୍ଚ୍ଚା ସରଗରମ ଧରିଛି।

ଏ ସମ୍ପର୍କରେ ସୁରେନ୍ଦ୍ର ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଟିଟିଲାଗଡ଼ ଆସନରୁ ସେ ଟିକଟ ପାଇବାକୁ ଦାବିଦାର। ଦଳ ପ୍ରଥମେ ଘୋଷଣା କରିସାରୁ। ଯଦି ଦଳ ଶରତଙ୍କୁ ଟିକଟ ଦିଏ ତାହେଲେ ଆଗାମୀ ପଦକ୍ଷେପ ସେ କଣ ନେବେ ଚିନ୍ତା କରିବେ। ତେବେ, ବୈଠକ ବାତିଲକୁ ସେ ଅସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର