ରେକର୍ଡ ଭାଙ୍ଗିଲା ତାତି: ଟିଟିଲାଗଡ଼ରେ ୪୩.୫ଂ

ଭୁବନେଶ୍ୱର : ଟିଟିଲାଗଡ଼ ତାପମାତ୍ରା ବଢ଼ି ଚାଲିଛି। ଗତକାଲି ଏହି ସହରର ତାପମାତ୍ରା ୪୨.୫ ଡିଗ୍ରି ଥିବା ବେଳେ ଆଜି ତାହା ଗୋଟିଏ ଡିଗ୍ର୍ରି ବୃଦ୍ଧି ପାଇ ୪୩.୫ ଡିଗ୍ରିରେ ପହଞ୍ଚିଛି। ଯାହାକି ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା। ଏହାପୂର୍ବରୁ ଗତ ବୁଧବାର ଟିଟିଲାଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରି ରେକର୍ଡ ହୋଇଥିଲା। ଗୋଟିଏ ଦିନ ଭିତରେ ତାପମାତ୍ରା ଏଭଳି ବୃଦ୍ଧି ପାଇଥିବାରୁ ଲୋକେ ନାହିଁ ନ ଥିବା ଯନ୍ତ୍ରଣା ଭୋଗୁଛନ୍ତି। ତାତିରେ ଡହଳବିକଳ ହେଉଛନ୍ତି। ପୂର୍ବାହ୍ନ ହେବା କ୍ଷଣି ଟିଟିଲାଗଡ଼ ତତଲାଗଡ଼ରେ ପରିଣତ ହେଉଛି। ଘରୁ ପଦାକୁ ବାହାରିବା ଲୋକଙ୍କ ପକ୍ଷେ ମୁସ୍କିଲ ହୋଇପଡ଼ୁଛି।

ଟିଟିଲାଗଡ଼ ବ୍ୟତୀତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ଏବେ ୪୧ ଡିଗ୍ରି ଟପି ଯାଇଛି। ଗତକାଲି ପରି ଆଜି ମଧ୍ୟ ବଲାଙ୍ଗୀରରେ ସମାନ ତାତି ଅନୁଭୂତ ହୋଇଛି। ଏଠାରେ ପାରଦ ୪୨.୬ ଡିଗ୍ରି ରେକର୍ଡ କରାଯାଇଛି। ଝାରସୁଗୁଡ଼ା ତାପମାତ୍ରା ବି ୪୨.୪ ଡିଗ୍ରି ପହଞ୍ଚିଥିବା ବେଳେ ସମ୍ବଲପୁର ଓ ସୋନପୁରରେ ୪୧.୮, ଅନୁଗୁଳରେ ୪୧.୭, ହୀରାକୁଦରେ ୪୧.୬, ଭବାନୀପାଟଣାରେ ୪୧, ମାଲକାନଗିରିରେ ୪୦.୪, ଫୁଲବାଣୀରେ ୪୦ ଡିଗ୍ରି ରେକର୍ଡ ହୋଇଛି। ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାର ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଅପରାହ୍ନରେ କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି। ଟିଟିଲାଗଡ଼ରେ ପୂର୍ବାହ୍ନରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଅପରାହ୍ନରେ ଏଠାରେ ୧୨ ମି.ମି. ବର୍ଷା ହୋଇଛି। ଅନୁଗୁଳରେ ୧୧ ମି.ମି., ଦାରିଙ୍ଗବାଡ଼ିରେ ୪ ମି.ମି., ହୀରାକୁଦରେ ୩ ମି.ମି. ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରେକର୍ଡ କରାଯାଇଛି। ଭୁବନେଶ୍ୱର ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ପାଗ କୋହଲା ରହିବା ସହ ହାଲକା ବର୍ଷା ହୋଇଥିବା ଜଣାପଡ଼ିଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିବ। ଟିଟିଲାଗଡ଼ ତାପମାତ୍ରା ୪୪ ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, କୋରାପୁଟ, ଗଞ୍ଜାମ, କନ୍ଧମାଳରେ ଝଡ଼ବର୍ଷାର ଆଶଙ୍କା ରହିଛି। ଏହାପରେ କାଳବୈଶାଖୀର ପ୍ରଭାବ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧିତ ଖବର