୪୩ରେ ଜଳୁଛି ଟିଟିଲାଗଡ଼, ୪୦ ଡିଗ୍ରି ଉପରେ ୯ ସହର

ଭୁବନେଶ୍ୱର : ଟିଟିଲାଗଡ଼ ପାଲଟିଲା ତତଲାଗଡ଼। ଆଜି ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରି ରେକର୍ଡ ହୋଇଛି, ଯାହାକି ଚଳିତବର୍ଷର ସର୍ବାଧିକ। ପ୍ରଥମ ଥର ଲାଗି କୌଣସି ସହରର ତାପମାତ୍ରା ୪୩ ଡିଗ୍ରିରେ ପହଞ୍ଚିଛି। ପୂର୍ବରୁ ଏକାଧିକ ସହରର ତାପମାତ୍ରା ୪୨ ଡିଗ୍ରି ଟପିଥିଲେ ମଧ୍ୟ କୌଣସି ସ୍ଥାନରେ ୪୩ ଡିଗ୍ରି ଛୁଇଁ ନ ଥିଲା। ପ୍ରଥମ ଥର ଲାଗି ଏଠାରେ ପ୍ରବଳ ତାତି ଅନୁଭୂତ ହୋଇଛି। କେବଳ ଟିଟିଲାଗଡ଼ ନୁହେଁ। ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ର୍ରି ଟପିଯାଇଛି। ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ ହ୍ରାସ ପାଇଛି। କେତେକ ସ୍ଥାନରେ ବର୍ଷା ହୋଇଥିବାରୁ ଆସନ୍ତାକାଲି ମଧ୍ୟ ତାପମାତ୍ରା ସେତେଟା ବୃଦ୍ଧି ପାଇବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଗୁରୁବାର ମଧ୍ୟ ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିବ। ଅଧିକାଂଶ ସହରର ତାପମାତ୍ରା ୪୧ ଡିଗ୍ରି ଉପରକୁ ଚାଲିଯିବ। ଟିଟିଲାଗଡ଼, ତାଳଚେର, ଅନୁଗୁଳ, ଝାରସୁଗୁଡ଼ା, ବଲାଙ୍ଗୀର, ଭବାନୀପାଟଣା, ସମ୍ବଲପୁରରେ ଖରାର ପ୍ରକୋପ ଅଧିକ ରହିବ। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ତାତି ଅନୁଭୂତ ହେବ। ଉପକୂଳ ଓ ଉତ୍ତର ଓଡ଼ିଶାବାସୀଙ୍କୁ କିନ୍ତୁ ଆଶ୍ୱସ୍ତି ମିଳିବ। ୧୯ ତାରିଖ ଅପରାହ୍ଣରେ ଉତ୍ତର ଓଡ଼ିଶା ସମେତ ଖୋର୍ଧା, ନୟାଗଡ଼, କନ୍ଧମାଳ, ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲାରେ କାଳବୈଶାଖୀ ହୋଇପାରେ। ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ହେବ। ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ପାଗରେ ସେଭଳି କୌଣସି ପରିବର୍ତନ ଆସିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଟିଟିଲାଗଡ଼ ବ୍ୟତୀତ ବଲାଙ୍ଗୀରରେ ୪୨.୮ ଡିଗ୍ର, ଭବାନୀପାଟଣା ୪୧.୫, ହୀରାକୁଦ ୪୧.୧, ତାଳଚେର, ଅନୁଗୁଳ ଓ ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୦.୭, ମାଲକାନଗିରିରେ ୪୦ ଡିଗ୍ରି ରହିଥିଲା। ଭୁବନେଶ୍ୱରର ତାପମାତ୍ରା ହ୍ରାସ ପାଇ ୩୮.୪ ଡିଗ୍ରିରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହୋଇଛି। ଢେଙ୍କାନାଳରେ ୧୩ ମି.ମି. ବର୍ଷା ହୋଇଥିବା ବେଳେ ବାରିପଦାରେ ୧୧.୬, ଦାରିଙ୍ଗବାଡ଼ିରେ ୧୧, କଟକରେ ୯.୬, ଭବାନୀପାଟଣାରେ ୭, ସୁନ୍ଦରଗଡ଼ରେ ୪, ଅନୁଗୁଳରେ ୩.୬, ତାଳଚେର ଓ ଫୁଲବାଣୀରେ ୩ ମି.ମି. ଲେଖାଏ, ଝାରସୁଗୁଡ଼ାରେ ୨.୪, ମାଲକାନଗିରିରେ ୨ ମି.ମି. ବର୍ଷା ହୋଇଛି। ଭୁବନେଶ୍ୱରରେ ମଧ୍ୟ ବର୍ଷା ସହ ପବନ ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର