୧୫ କିଲୋମିଟର ବେଗରେ ମାଡ଼ି ଆସୁଛି ତିତଲି ! ଗୋପାଳପୁର ଠାରୁ ୨୮୦ କିଲୋମିଟର ଦୂରରେ ରହିଛି 

ନୂଆଦିଲ୍ଲୀ : ପାଖେଇ ଆସୁଛି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତି ଭୀଷଣ ସାମୁଦ୍ରିକ ଝଡ଼ ତିତଲି।  ଏହା ଏବେ ଗୋପାଳପୁରଠାରୁ ୨୮୦ କିଲୋମିଟର ଦୂରରେ ରହିଛି  ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।  ଏହା ବର୍ତ୍ତମାନ ଘଣ୍ଟାକୁ ୧୫ କିଲୋମିଟର ବେଗରେ ସୁମୁଦ୍ର ଉପରେ ଗତି କରୁଛି। ତିତଲି ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ଠାରୁ ୨୩୦ କିଲୋମିଟର ଦୂରରେ ରହିଛି। ତିତଲି ଆସନ୍ତାକାଲି ସକାଳ ୫.୩୦ ମିନିଟରେ ଗୋପାଳପୁର ଓ କଳିଙ୍ଗପଟ୍ଟନମ୍ ମଝିରେ ସ୍ଥଳଭାଗ ଛୁଇଁବ ବୋଲି ସୂଚନା ରହିଛି।

ଆଉ ଏସବୁ ଭିତରେ ବାତ୍ୟାର କେନ୍ଦ୍ରସ୍ଥଳ ବା ‘ଆଖି’ ଦୃଶ୍ୟମାନ ହେଲାଣି । ତିତଲି ଆଖିର ପରିଧି ୧୫ କିଲୋମିଟର ରହିଛି । ଯଦିଓ ଏହି ଆଖି ପରିସର  ସମ୍ପୂର୍ଣ୍ଣ ଶାନ୍ତ ରହିଛି  ତେବେ ଏହାର ପ୍ରଭାବରେ ୨୫ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା ସହ  ପ୍ରବଳ ପବନ ବହୁଛି । ତିତଲି ଆଖିର ୧୫ କିମି ପରିଧି ବାହାରେ ଭୟଙ୍କର ପବନ ବହୁଛି। ତେଣୁ ଏହା ଯେତେବେଳେ ଉପକୂଳ ଛୁଇଁବ ସେତେବେଳେ ଏହା ଭୟଙ୍କର ରୂପ ନେବ । ତେବେ ବାତ୍ୟାର ଆଖି ଉପକୂଳ ଛୁଇଁବା ବେଳେ କିଛି ସମୟ ପାଇଁ ଏହା ଶାନ୍ତ ରହିବ । ଗୁରୁବାର ସକାଳ ୫ଟା ୩୦ରେ ତିତଲି ଗୋପାଳପୁର ଠାରେ ଉପକୂଳ ଛୁଇଁବ ବୋଲି ଜଣାପଡ଼ିଛି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗତକାଲି ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଥିଲା। ଏବେ ଏହା ଗୋପାଳପୁର ଠାରୁ ୩୨୦ କିଲୋମିଟର ଦୂରରେ ରହିଥିବା ବେଳେ କଳିଙ୍ଗପଟ୍ଟନମ ଠାରୁ ୨୬୦ କିଲୋମିଟର ଦୂରରେ ରହିଛି । ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ତିତଲି । ଆସନ୍ତାକାଲି ସକାଳ ୫ଟ ୩୦ ସୁଦ୍ଧା ଏହା ଓଡିଶା ଉପକୂଳ ଛୁଇଁବ । ଏହି ସମୟରେ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୪୦ରୁ ୧୬୫  କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଗଂଜାମ, ଗଜପତି, ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ  ଅରେଞ୍ଜ  ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସମ୍ବନ୍ଧିତ ଖବର