୧୩,୦୦୦ ତିତଲି କ୍ଷତିଗ୍ରସ୍ତଙ୍କୁ ମିଳିବ ବିଜୁ ପକ୍କା ଘର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତିତଲି ବାତ୍ୟାରେ ବାସ ହରାଇଥିବା  କ୍ଷତିଗ୍ରସ୍ତଙ୍କୁ ଘର ମିଳିବ ବୋଲି ସୋମବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ଅନୁଯାୟୀ ତିତଲି ବାତ୍ୟାରେ ଘର ହରାଇଥିବା ୧୩,୦୦୦  ପ୍ରପୀଡିତଙ୍କୁ ବିଜୁପକ୍କା ଘର ମିଳିବ। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ସରକାରଙ୍କ ପକ୍ଷରୁ ଏଥିପାଇଁ ୧୭୬କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିତଲି କ୍ଷତିଗ୍ରସ୍ତ ପରିବାରମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଥିଲେ। ସବୁ କ୍ଷତିଗ୍ରସ୍ତ ପରିବାରକୁ ନଗଦ ୧ ହଜାର ଟଙ୍କା, ୫୦କେଜି ଚାଉଳ ଓ ଅଢେଇ ଲିଟର କିରୋସିନ ତୁରନ୍ତ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଖୁବ ଶୀଘ୍ର ଆଉ ଦୁଇ ହଜାର ଟଙ୍କା ସମସ୍ତ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ ବୋଲି ବି କହିଥିଲେ।

ଉଲ୍ଲେଖଯୋଗ୍ୟ, ତିତଲ ବାତ୍ୟା ଓ ବନ୍ୟା ବହୁ ଘର ଉଜାଡ଼ି ଦେଇ ଲୋକଙ୍କୁ ବାସହରା କରାଇ ଦେଇ ଚାଲି ଯାଇଥିଲା। ତେବେ ତିତଲି ପ୍ରଭାବରେ ୧୬ଟି  ଜିଲ୍ଲାରେ ବ୍ୟାପକ ଫସଲ ହାନୀ ହୋଇଥିବା ନେଇ ସୂଚନା ମିଳିଥିଲା। ଏସ୍‌ଆରସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ତିତଲି ପ୍ରଭାବରେ ୪୯୦୯ଟି ଘର ଭାଙ୍ଗିଥିଲା। ଏହା ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୪୫୫ ଘର ଭାଙ୍ଗି ଥିବା ରିପୋର୍ଟରୁ ଜଣାପଡ଼ିଛି।

ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ଜଗତସିଂହପୁର ଓ ନୟାଗଡ଼ ଜିଲ୍ଲାରେ ୧,୬୩,୮୬୬ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଥିଲା।  ସେହିପରି ୭ଲକ୍ଷରୁ ଅଧିକ ଗୃହପାଳିତ ପଶୁ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହୋଇଥିଲେ।

ସମ୍ବନ୍ଧିତ ଖବର