ପାଖେଇ ଆସିଲା ତିତଲି, ଗୋପାଳପୁର ଠାରୁ  ଆଉ ୧୮୦ କିଲୋମିଟର ଦୂରରେ ରହିଛି

ନୂଆଦିଲ୍ଲୀ : ପାଖେଇ ଆସୁଛି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତି ଭୀଷଣ ସାମୁଦ୍ରିକ ଝଡ଼ ତିତଲି।   ଏହା ଏବେ ଗୋପାଳପୁରଠାରୁ ୧୮୦ କିଲୋମିଟର ଦୂରରେ ରହିଛି  ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ୍ ପକ୍ଷରୁ  ସୂଚନା ଜାରି କରାଯାଇଛି ।  ଏହା ବର୍ତ୍ତମାନ ଘଣ୍ଟାକୁ ୧୫ କିଲୋମିଟର ବେଗରେ ସୁମୁଦ୍ର ଉପରେ ଗତି କରୁଛି। ତିତଲି ଆସନ୍ତାକାଲି ସକାଳ ୫.୩୦ ମିନିଟରେ ଗୋପାଳପୁର ଓ କଳିଙ୍ଗପଟ୍ଟନମ୍ ମଝିରେ ସ୍ଥଳଭାଗ ଛୁଇଁବ ବୋଲି ସୂଚନା ରହିଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୭୦ କିଲୋମିଟର ଟପିପାରେ ବୋଲି ସ୍କାଇମେଟ କହିଛି ।

ଆଉ ଏସବୁ ଭିତରେ ବାତ୍ୟାର କେନ୍ଦ୍ରସ୍ଥଳ ବା ‘ଆଖି’ ଦୃଶ୍ୟମାନ ହେଲାଣି । ତିତଲି ଆଖିର ପରିଧି ୧୫ କିଲୋମିଟର ରହିଛି । ଯଦିଓ ଏହି ଆଖି ପରିସର  ସମ୍ପୂର୍ଣ୍ଣ ଶାନ୍ତ ରହିଛି  ତେବେ ଏହାର ପ୍ରଭାବରେ ୨୫ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା ସହ  ପ୍ରବଳ ପବନ ବହୁଛି । ତିତଲି ଆଖିର ୧୫ କିମି ପରିଧି ବାହାରେ ଭୟଙ୍କର ପବନ ବହୁଛି। ତେଣୁ ଏହା ଯେତେବେଳେ ଉପକୂଳ ଛୁଇଁବ ସେତେବେଳେ ଏହା ଭୟଙ୍କର ରୂପ ନେବ । ତେବେ ବାତ୍ୟାର ଆଖି ଉପକୂଳ ଛୁଇଁବା ବେଳେ କିଛି ସମୟ ପାଇଁ ଏହା ଶାନ୍ତ ରହିବ । ଗୁରୁବାର ସକାଳ ୫ଟା ୩୦ରେ ତିତଲି ଗୋପାଳପୁର ଠାରେ ଉପକୂଳ ଛୁଇଁବ ବୋଲି ଜଣାପଡ଼ିଛି।

ଏହି ଅତି ଭୟଙ୍କର ସାମୁଦ୍ରିକ ଝଡ଼କୁ ଦ୍‌ଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଗଂଜାମ, ଗଜପତି, ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ  ଅରେଞ୍ଜ  ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

 

ସମ୍ବନ୍ଧିତ ଖବର