ଟଳିଲା ବଡ଼ ବିପତ୍ତି ! ତିତଲି ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ହ୍ରାସ ଘଟିବା ସମ୍ଭାବନା: ବହୁ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ, ଜୀବନଯାତ୍ରା ପ୍ରଭାବିତ

ବ୍ରହ୍ମପୁର/ ଭୁବନେଶ୍ୱର : କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ତିତ୍‌ଲି ଭୋର ୫ଟା ୨୫ ମିନିଟ୍‌ ସମୟରେ ଦକ୍ଷିଣ ଓଡ଼ିଶାର ଗୋପାଳପୁର ଓ ଉତ୍ତର ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍‌ ମଧ୍ୟରେ ସ୍ଥଳଭାଗରେ ମାଡ଼ ହୋଇଛି। ପ୍ରବଳ ବର୍ଷା ଓ ୧୩୦ କିଲୋମିଟର ବେଗରେ ପବନ ସହ ତିତ୍‌ଲି ଗୋପାଳପୁରରେ ତାଣ୍ଡବ ଆରମ୍ଭ କରିଛି। ପବନର ବେଗ ଯାହା ଆକଳନ ଥିଲା, ତା’ଠାରୁ କମ୍‌  ବେଗରେ ପବନ ବହିଥିବାରୁ ଲୋକେ ଆଶ୍ୱସ୍ତ ହୋଇଛନ୍ତି। ଯଦିଓ ପ୍ରଶାସନ ପକ୍ଷରୁ ପ୍ରବଳ ସର୍ତକତାମୂଳକ ପଦକ୍ଷେପ ଅବଲମ୍ବନ କରାଯାଇଛି ତଥାପି ଗଛ ଉପୁଡି ଗୋପାଳପୁର-ବ୍ର୍ରହ୍ମପୁର ରାସ୍ତା ବିଚ୍ଛିନ୍ନ ହୋଇଯାଇଛି। ଅଳ୍ପ ସମୟ ମଧ୍ୟରେ ସ୍ଥଳଭାଗକୁ ସମ୍ପୂର୍ଣ୍ଣ ଆସିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଏହାର ବେଗ ହ୍ରାସ ପାଉଥିବା ପାଣିପାଗ ବିଭାଗ ପ୍ରକାଶ କରିଛି। ଯଦି ଧୀରେ ଧୀରେ ପବନର ବେଗ ହ୍ରାସ ଘଟିବ, ତେବେ ବର୍ଷା ପରିମାଣ ବଢ଼ିବ ବୋଲିି ପାଣିପାଗ ବିଭାଗ କହିଛି।

ସୂଚନାଯୋଗ୍ୟ ଯେ, ଗତ ୮ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ପରେ ସାମୁଦ୍ରିକ ଝଡ଼ ତିତ୍‌ଲିର ରୂପ ନେଇଥିଲା। ତିତ୍‌ଲି କ୍ରମଶଃ ଜଳଭାଗରେ ଅଧିକ ସମୟ ରହି ଶକ୍ତି ସଂଗ୍ରହ କରିବା ସହ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଥିଲା। ଏହା କ୍ରମଶଃ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଜି ଗୋପାଳପୁର ଦକ୍ଷିଣରେ ପଲାସା ନିକଟରେ ସ୍ଥଳଭାଗରେ ମାଡ଼ ହୋଇଛି। ଏବେ ଏହା ଏକ କର୍ଭ ନେଇ ଓଡ଼ିଶା ଉପରେ ଦେଇ ଗାଙ୍ଗେୟ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିବ ବୋଲି ପାଣିପାଗ ବିଭାଗ କହିଥିବାରୁ ଏହା ସମଗ୍ର ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି କରିବ ବୋଲି କୁହାଯାଇଛି।

ଆଜି ତିତ୍‌ଲି ଭୋର ୫ଟା ୨୫ ମିନିଟ୍‌ ସମୟରେ ପଲାସା-ଗୋପାଳପୁରଠାରେ ସ୍ଥଳଭାଗ ଛୁଇଁଛି। ସାମୁଦ୍ରିକ ଝଡ଼ ତିତ୍‌ଲିର ଆଖିର ଚତୁଃପାର୍ଶ୍ୱ ଅଞ୍ଚଳ ସ୍ଥଳଭାଗ ଛୁଇଁଥିବା ବେଳେ ସମଗ୍ର ତିତ୍‌ଲି ଜଳଭାଗ ଛାଡ଼ି ସମ୍ପୂର୍ଣ୍ଣ ସ୍ଥଳଭାଗକୁ ଆସିବା ପାଇଁ ଆଉ କିଛି ସମୟ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅପରପକ୍ଷେ ତିତ୍‌ଲି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାରେ ଲାଗିଛି।

ତେବେ ବାତ୍ୟା ପ୍ରଭାବରେ ଗୋପାଳପୁର ଅଞ୍ଚଳରେ କେତେକ ଆଜ୍‌ବେଷ୍ଟସ୍‌ ଓ ଚାଳ ଛପର ଘରର ଛପର ଉଡ଼ିଯାଇଥିବା ଦେଖିବାକୁ ମିଳିଛି। ସେହିପରି ହାଇମାଷ୍ଟ ଲାଇଟ୍‌ ପୋଷ୍ଟ ମଧ୍ୟ ଭାଙ୍ଗି ପଡିଥିବା ସୂଚନା ମିଳିଛି। ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି। ସହରର ଦିଗପଣ୍ଡି, ଆସ୍କା, ଗୋପାଳପୁର ସମେତ ଅନ୍ୟ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଏହା ସହ ଭଞ୍ଜନଗର, ଆସିକା ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ପବନ ବହିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଶହେରୁ ଊର୍ଦ୍ଧ୍ୱ ଗଛ ଉପୁଡି ପଡିଲାଣି। ଅଟୋ, କାର ସମେତ କିଛି ଘର ମଧ୍ୟ ନଷ୍ଟ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ବ୍ରହ୍ମପୁର ନୀଳକଣ୍ଠ ନଗରର ବିଦ୍ୟୁତ୍‌ ଟ୍ରାନ୍ସଫରମର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଏଥିସହିତ ଗଜପତି, କନ୍ଧମାଳ ଜିଲ୍ଲାରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଯାଇଛି।

ତିତ୍‌ଲି ପ୍ରଭାବରେ ରାସ୍ତାରେ ଗଛପଡି ରାସ୍ତା ଅବରୋଧ ଯୋଗୁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଇଚ୍ଛାପୁରରେ ଶହ ଶହ ଯାନବାହନ ଅଟକି ରହିଛି। ସେହିପରି ୧୭ ବର୍ଷରୁ କମ୍‌ ଦଳର ଖୋ ଖୋ ଖେଳାଳି ରାୟଗଡ଼ା ଜିଲ୍ଲାର କେଉଁଝରରୁ ବସ୍‌ରେ ରାୟଗଡ଼ା ଫେରୁଥିବା ସମୟରେ ପ୍ରବଳ ବର୍ଷା ପବନ ଯୋଗୁଁ ବସ୍‌ରେ ଇଚ୍ଛାପୁର ନିକଟରେ ଫସିି ରହିଛନ୍ତି।

ସମ୍ବନ୍ଧିତ ଖବର