ପାପାଠାରୁ ଟିଟୋ ଯାଏ… ଚିନ୍ତା ବଢ଼ାଇଲେଣି ଗ୍ୟାଙ୍ଗଷ୍ଟର

ଜେଲରେ ରହି ଅପରାଧ ଘଟାଉଛନ୍ତି, ଜେଲ ବାହାରେ ବଢାଉଛନ୍ତି ନେଟଓ୍ୱର୍କ

କଟକ: ଜେଲରେ ଅଛି ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର ଟିେଟା। ଏଣେ କିନ୍ତୁ ଖଣି ଚୋରା କାରବାରରେ ଟିେଟାର ହାତ ରହିଛି େବାଲି ମକଦ୍ଦମା ରୁଜୁ କରିଛି ଏସଟିଏଫ୍। ଅର୍ଥାତ୍ ଜେଲରେ ଥାଇ ବି ଅପରାଧ ପରିଚାଳନା କରୁଛି ଏହି ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର। ସେହିଭଳି ଜେଲ ବାହାରେ ରହି ବାଲେଶ୍ବରର ଦୁର୍ଦାନ୍ତ ଅପରାଧୀ ପାପା ପଣ୍ଡା ପୁଲିସର ନିଦ ହଜାଇ ଦେଲାଣି। କେବଳ ପାପା ନୁହେଁ, ପୁରୀ, ଗଂଜାମ, କେନ୍ଦ୍ରାପଡା, କଟକ, ଜଗତସିଂହପୁରର ମାଳ ମାଳ ଗ୍ୟାଙ୍ଗଷ୍ଟର େଗାଟିଏ ପରେ େଗାଟିଏ ଅପରାଧ ଘଟାଇ ପୁଲିସକୁ ଚକମା େଦଉଛନ୍ତି। ଆପରାଧିକ କାର୍ଯ୍ୟକଳାପ େଯତିକି ବଢାଉଛନ୍ତି, ନିଜର ଗ୍ୟାଙ୍ଗର ଆକାର ବି ସେମିତି ବଢୁଛି। ଦିନକୁ ଦିନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ଏମାନେ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କଲେଣି। ପାର୍ବଣ ଋତୁ ପୂର୍ବରୁ ଏସବୁ ଗ୍ୟାଙ୍ଗଷ୍ଟରଙ୍କୁ ନେଇ ରାଜ୍ୟ ପୁଲିସର ଚିନ୍ତା ବଢିଛି। ଜେଲ ଭିତରୁ କିଭଳି ଗ୍ୟାଙ୍ଗଷ୍ଟରଙ୍କ ଅପରେସନ୍ ବନ୍ଦ କରାଯିବ, ବାହାରେ ଥିବା ଅପରାଧୀଙ୍କୁ କିଭଳି େଜଲରେ ଠୁଙ୍କାଯିବ, ତାହା ଏବେ ପୁଲିସ ପାଇଁ ଆହ୍ବାନ ପାଲଟିଛି। ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ସୋଭରାମପୁରର ପାପା ପଣ୍ତା। ୨୦୦୬ ମସିହାରୁ ଗ୍ୟାଙ୍ଗଷ୍ଟର ପାଲଟିଥିବା ପାପା ବେଆଇନ ବାଲି ମାଫିଆଗିରି, ଦାଦା ବଟି ଭଳି ୧୫ରୁ ଅଧିକ ସ˚ଗିନ ମାମଲାରେ ଅଭିଯୁକ୍ତ। ଗ୍ୟାଙ୍ଗରେ ୫୦ରୁ ଅଧିକ ଯୁବକଙ୍କୁ ନେଇ ଗ୍ୟାଙ୍ଗ ଚଲାଉଥିବା ପାପାର ନେଟଵାର୍କ ବାଲେଶ୍ବର ଜିଲ୍ଲାରେ ରହିଛି। ଫୁଲାରୀର ଖାସୁଆ ଓରଫ ସୁଶାନ୍ତ ଦାସ ସହିତ ୨୦୦୭ ମସିହାରୁ ଗ୍ୟାଙ୍ଗଵାର‌୍‌ ଲାଗି ରହିଥିଲା। ୨୦୧୭ରେ ଖାସୁଆକୁ ସେ ହତ୍ୟା କରିଥିଲା। ଖାସୁଆର ପ୍ରମୁଖ ସହଯୋଗୀ କୁହାଯାଉଥିବା ବାଲେଶ୍ବରର ଜଣେ ପୁଲିସ ଓଆଇସିଙ୍କ ପୁଅ ଜଜନ ପାଣିଗ୍ରାହୀ ଏବ˚ ଅନ୍ୟ ଜଣେ ଅପରାଧୀ କୁଆଁ ଉଭୟ ଖାସୁଆ ହତ୍ୟାର ପ୍ରତିଶୋଧ ୨୦୧୮ ଜାନୁଆରି ପ୍ରଥମ ସପ୍ତାହରେ ନେଇଥିଲେ। ପାପାର ଭାଇ କୁନୁ ପଣ୍ତାଙ୍କୁ ଉଭୟ ଜଜନ ଏବ˚ ଅନ୍ୟ ଜଣେ ସହଯୋଗୀ କୁଆଁ ହତ୍ୟା କରିଥିଲେ। ଦୁଇ ଗୋଷ୍ଠୀ ମଧ୍ୟରେ ଗଲା ୧୫ ବର୍ଷ ହେବ ଗ୍ୟାଙ୍ଗଵାର‌୍‌ ଚାଲିଥିବା ବେଳେ ଏବେ ବି ପାପା ଏବ˚ ଅନ୍ୟ ସହଯୋଗୀ ବାଲେଶ୍ବର ଜିଲ୍ଲାରେ ଖୋଲାଖୋଲି ବୁଲୁଛି।

ସହଦେବ ଖୁଣ୍ଟାର ଅନିମେଶ ଘୋଷ ବିରୋଧରେ ୧୨ରୁ ଅଧିକ ମାମଲା ରହିଛି। ମୟୂରଭଞ୍ଜରେ ନିର୍ଦ୍ଦିଷ୍ଟ ସ˚ପ୍ରଦାୟର ବ୍ୟକ୍ତିଙ୍କୁ ଧର୍ମାନ୍ତରୀକରଣ, ଟେଣ୍ତର ଫିକ୍ସିଂ ଭଳି ସ˚ଗୀନ ଅଭିଯୋଗ ଥିବା ବେଳେ ଏବେ ସେ ବାଲେଶ୍ବର ଛାଡ଼ି ଭୁବନେଶ୍ବରରେ ରହି ନିଜର ଅପରାଧ ନେଟୱର୍କ ନିୟନ୍ତ୍ରଣ କରୁଥିବା ପୁଲିସକୁ ଖବର ମିଳିଛି। ଗଞ୍ଜାମରେ ଶିବ ସେଠୀ, ବିକି ସେଠୀ, ଲମ୍ବୁ, ତାରିଣୀ ପ୍ରମୁଖ ଜେଲ୍‌ ବାହାରେ ରହି ଅପରାଧିକ କାର୍ଯ୍ୟକଳାପ ବଢ଼ାଇବାରେ ଲାଗିଛନ୍ତି। ପୁରୀର ପପୁ ବରାଳ ଏବେ ବାହାରେ ଥିବା ବେଳେ ତା’ ବିରୁଦ୍ଧରେ ୧୫ରୁ ଅଧିକ ସଂଗିନ ମାମଲା ରହିଛି। ଗେଡୁ ମୁଣ୍ଡି, ମିକୁନ ମହାନ୍ତି, ରଂଜନ ରାଉଳ, ମହାବଳ, ଚକା, କାଳୁ ଭୋଳ ଭଳି ଗ୍ୟାଙ୍ଗଷ୍ଟର ବି ଏବେ ବାହାରେ। ଭାଗୁ ପ୍ରଧାନ ବିରୋଧରେ ୨୦ରୁ ଅଧିକ ସଂଗୀନ ମାମଲା ରହିଛି। ସେ ଏବେ ଜେଲରେ ଅଛି ସତ କିନ୍ତୁ ତା’ର ସହଯୋଗୀ ବାହାରେ ରହି ତା’ର ନେଟୱର୍କ ସମ୍ଭାଳୁଛନ୍ତି। ଗୋରା ମଲ୍ଲିକ ଓ ଡେଙ୍ଗା ମୁନା ଜେଲରେ ଥିଲେ ବି ସେମାନଙ୍କର ସହଯୋଗୀଙ୍କ ଉତ୍ପାତ ଜାରି ରଖିଛନ୍ତି। ଅନ୍ୟପଟେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଉତ୍ପାତ କରୁଛନ୍ତି ବାହାର ରାଜ୍ୟର ଗ୍ୟାଙ୍ଗ। ଝାଡ଼ଖଣ୍ଡ ଏବଂ ଛତିଶଗଡର କିଛି ଗ୍ୟାଙ୍ଗ ଏହି ସବୁ ଅଞ୍ଚଳରେ ଅପରାଧ କରିବା ପାଇଁ ସ୍ଥାନୀୟ ଯୁବକଙ୍କୁ ନିୟୋଜନ କରୁଛନ୍ତି। କଟକରେ ମିଞ୍ଜା, ଟୁଟୁ, ପ୍ରଶାନ୍ତ ସାହୁ, ଅଖନା ସାହୁଙ୍କ ଭଳି ଗ୍ୟାଙ୍ଗଷ୍ଟରଙ୍କ ଉପରେ ପୁଲିସ ନଜର ରଖିଛି।

କଟକରେ ପୂର୍ବରୁ ଚାଞ୍ଚଲ୍ୟ ସୃଷ୍ଟି କରୁଥିବା କନ୍ଦରପୁରର ତପୁ ଓରଫ ପ୍ରଶାନ୍ତ ଦାସ ୨୦୦୯ ପରଠାରୁ ଜଗତସି˚ହପୁର ଅଞ୍ଚଳରେ ନିଜର ନେଟୱର୍କ ବିସ୍ତାର କରି ଚାଲିଛି। ଜଗତସି˚ହପୁର ଟାଉନ୍‌ର ଜାନକୀ ମହାରଣା ସହିତ ମିଶି ତପୁ କିଛି ବର୍ଷ ଗ୍ୟାଙ୍ଗ ଚଳାଇଥିଲା। ପରେ ସେମାନଙ୍କ ଭିତରେ ଫାଟ ହୋଇଥିଲା। ତପୁ ଗ୍ୟାଙ୍ଗ ଜଗତସି˚ହପୁରରେ ଉତ୍ପାତ କରୁଥିବା ବେଳେ ତା’ ଗ୍ୟାଙ୍ଗର ପ୍ରାୟ ୧୦ ଜଣଙ୍କୁ ଗଲା ବର୍ଷକ ଭିତରେ କମିସନରେଟ୍‌ ପୁଲିସ ଗିରଫ କରିସାରିଲାଣି। କିନ୍ତୁ ଏବେ ଆହୁରି ୨୦ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ତାଲିକା କମିସନରେଟ୍‌ ପୁଲିସ ପ୍ରସ୍ତୁତ କରିଛି। ସଦର ଥାନା ପୁଲିସ ୨୦୧୮ ଡିସେମ୍ବର ୨୭ ତାରିଖରେ ତପୁକୁ ଭୁବନେଶ୍ବର ସହିଦନଗର ଓଡ଼ିଶୀ ହୋଟେଲ୍‌ରେ ଖାଉଥିବା ବେଳେ ଗିରଫ କରିଥିଲା। ତା’ ସ୍ତ୍ରୀ ସରୋଜିନୀ ଦାସ ନିକଟରୁ ଏକ ବନ୍ଧୁକ ମିଳିବା ପରେ ପୁଲିସ ତାକୁ ବି ଗିରଫ କରିଥିଲା। ତପୁ ଏବେ ଚୌଦ୍ବାର ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ଥିବା କୁହାଯାଉଛି। ତପୁ ବିରୋଧରେ ଜଗତସି˚ହପୁର ଟାଉନ୍‌ ଥାନା, ବିରିଡ଼ି, ରଘୁନାଥପୁର, କନ୍ଦରପୁର, ସଦର ଥାନାର, ପାରାଦୀପରେ ପ୍ରାୟ ୩୦ ମାମଲା ରହିଛି। କେନ୍ଦ୍ରାପଡ଼ାରେ ଅପରାଧ ସାମ୍ରାଜ୍ୟ ବିସ୍ତାର କରିଥିବା ଟିଟୋ ଓରଫ୍‌ ସୟଦ୍‌ ଉସମାନ ଅଲ୍ଲୀକୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ୨୦୧୮ ଜୁନ ୩୦ ତାରିଖରେ ଗିରଫ କରିଥିଲା। ବେଆଇନ ବାଲି କାରବାର, ଗୋରୁ ଚାଲାଣ, ଟେଣ୍ତର ଫିକ୍ସିଂ କାରବାରରେ ସହଯୋଗ କରୁଥିବା ଟିଟୋର ଦୁଇ ଭାଇ ଜି ବାବୁ ଏବ˚ ସେକ୍‌ ଜିତୁକୁ ୨୦୧୯ ଜୁନ ୧୯ ତାରିଖରେ ଏସ୍‌ଟିଏଫ୍‌ ଗିରଫ କରିଥିଲା। ଏବେ ତିନି ଭାଇ ଜେଲ୍‌ରେ। ଟିଟୋ ପାଇଁ କଟକରେ କାମ କରୁଥିବା କାଲା ବାବୁ ଓରଫ୍‌ ବାବୁ ଖାଁ, ସାଇଲୋ ବଡବିଲିର ଡେଙ୍ଗା ଓରଫ ଅଲେଖ ରାଉତରାୟ, ଜଗତପୁରର ଟିଟୁନି ଓରଫ ଅଶୋକ ବେହେରାଙ୍କୁ କଟକ କମିସନରେଟ୍‌ ପୁଲିସ ଏନକାଉଣ୍ଟର କରିବା ସହ ଗିରଫ କରିଥିଲା। ସେମାନେ ବି ଜେଲ୍‌ ହାଜତରେ ଅଛନ୍ତି। ୨୦୧୯ ମାର୍ଚ୍ଚ ୬ ତାରିଖରେ କେନ୍ଦ୍ରାପଡ଼ା ସଦର ପୁଲିସ ବିଜୟ ନାଏକକୁ କଜଳା-ଦୁହୁରିଆ ରାସ୍ତାରେ ଏନ୍‌କାଉଣ୍ଟର କରି ଗିରଫ କରାଯାଇଛି। ୨୦୦୯ରେ କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ସେକ୍‌ ସୁଲେମାନ ହତ୍ୟାକାଣ୍ତରେ ଅନ୍ୟତମ ସହଯୋଗୀ ଥିଲା ବିଜୟ। ସେ ଏବେ ଜେଲ୍‌ରେ। କେନ୍ଦ୍ରାପଡାରେ ପୂର୍ବରୁ ଉତ୍ପାତ କରୁଥିବା ଗ୍ୟାଙ୍ଗଷ୍ଟର ହାଇଦର ବି ଏବେ ଜେଲରେ ଅଛି। କିନ୍ତୁ ଟିେଟାକୁ ନିୟନ୍ତ୍ରଣ କରାଯାଇପାରିନାହିଁ। ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଖୁବ୍ ଶୀଘ୍ର ଟିଟୋକୁ ରିମାଣ୍ଡରେ ଆଣି ଏସଟିଏଫ୍ ପୁଣି ତନାଘନା ଆରମ୍ଭ କରିବ।

୧୯୯୩ ପରଠାରୁ ଅପରାଧ ଜଗତରେ ପାଦ ଦେଇଥିବା ସୁଶାନ୍ତ ଏବ˚ ସୁଶିଲ ଧଳସାମନ୍ତ ହତ୍ୟା, ଟେଣ୍ତର ଫିକ୍ସି, ଦାଦାବଟି, ବେଆଇନ ବାଲି ଚାଲାଣ ଏବ˚ ବନ୍ଧୁକ କାରବାର ଭଳି ସ˚ଗିନ ମାମଲାରେ ସମ୍ପୃକ୍ତ ଥିବା ଦୁଇ ଭାଇଙ୍କୁ କଟକ କମିସନରେଟ୍‌ ପୁଲିସ ୨୦୧୬ ଜାନୁଆରି ୨୯ ତାରିଖରେ ଗିରଫ କରିଥିଲା। ୩ଟି ହତ୍ୟା ସମେତ ୧୩ଟି ଆପରାଧିକ ମାମଲା ସୁଶାନ୍ତ ବିରୋଧରେ ଥିବା ବେଳେ ୧୧ଟି ମାମଲା ସୁଶିଲ ବିରୋଧରେ ରହିଛି। ଏବେ ସୁଶାନ୍ତ ଝାରପଡ଼ା ଜେଲ୍‌ରେ ଥିବା ବେଳେ ସୁଶିଲ ବାଲେଶ୍ବର ଜେଲ୍‌ରେ ଅଛି। ଧଳସାମନ୍ତଙ୍କ ପ୍ରମୁଖ ସହଯୋଗୀ ଭାବେ ଅପରାଧ ସାମ୍ରାଜ୍ୟରେ ନିଜର ପତିଆରା ରଖିଥିବା ଅନେକ ଗ୍ୟାଙ୍ଗଷ୍ଟର ଏବେ ଜେଲରେ ଥିଲେ ବି ସେମାନଙ୍କ ମଧ୍ୟରୁ କେତେକ ଏବେ ଜାମିନରେ ଆସି ସାରିଛନ୍ତି। େସମାନଙ୍କ ଉପରେ ପୁଲିସ ନଜର ରଖିଛି। କଟକ କେଶରପୁରର ମହମ୍ମଦ ସକିଲ ୨୦୧୦ ପରଠାରୁ ଅପରାଧ ଆରମ୍ଭ କରିଥିଲା। କଟକ ସହରରେ ପ୍ରାୟ ୪୦ରୁ ଅଧିକ ସହଯୋଗୀଙ୍କୁ ନେଇ ଆ‌ପରାଧିକ କାର୍ଯ୍ୟକଳାପରେ ସାମିଲ ହୋଇଥିଲା। ସହରରେ ଅପରାଧିକ ନେଟଵାର୍କ ବଢ଼ାଇବା ପାଇଁ ପ୍ରଥମେ ଟିଟୋ ଗ୍ୟାଙ୍ଗ ଏବେ ପରେ ଧଳସାମନ୍ତ ଗ୍ୟାଙ୍ଗ ସହିତ ହାତ ମିଳାଇଥିଲା। ୨୦୧୭ ଜୁନ ୨୬ ତାରିଖରେ ତାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେବେଠୁ ଚୌଦ୍ବାର ଜେଲ୍‌ରେ ସକିଲ ରହିଛି।

ସମ୍ବନ୍ଧିତ ଖବର