ଟିଟୋ ଲିଙ୍କରେ ଥିବା ଆଉ ଦୁଇଜଣଙ୍କୁ ଉଠାଇ ନେଲା ଏସ୍‌ଟିଏଫ୍

କଟକ : ପୁଣିଥରେ ଟିଟୋ ଲିଙ୍କ୍‌ଧରପଗଡ଼ ଆରମ୍ଭ କରିଛି କ୍ରାଇମ୍‌ବ୍ରାଞ୍ଚ ସ୍ୱତନ୍ତ୍ର ଟାସ୍କଫୋର୍ସ(ଏସ୍‌ଟିଏଫ୍‌)। ମଙ୍ଗଳବାର ଟିଟୋ ଲିଙ୍କ୍‌ରେ ଥିବା ଦୁଇଜଣଙ୍କୁ ଏସ୍‌ଟିଏଫ୍‌ ଉଠାଇ ନେଇଛି। ଏସ୍‌ଟିଏଫ୍‌ ଦ୍ୱାରା ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ନାମ ଦୀପ୍ତି ଦାସ ଓ ଚିତ୍ତରଞ୍ଜନ ସାହୁ ବୋଲି ଜଣାପଡ଼ିଛି। ଦୀପ୍ତି ଦାସ ଓରଫ ଲୁଲୁ ଜଗତସିଂହପୁରର ବୃନ୍ଦାବନ ଦାସଙ୍କ ପୁଅ ଏବଂ ଚିତ୍ତରଞ୍ଜଜନ ସାହୁ ଓରଫ ହାବୁଲା କଟକ ଟାଙ୍ଗୀରେ ବସବାସ କରୁଥିବା ବସନ୍ତ କୁମାର ସାହୁଙ୍କ ପୁଅ।

କିଛିଦିନ ତଳେ ଜଗତସିଂହପୁରରେ ଥିବା ତାଙ୍କର ତିନୋଟି ହୋଟେଲ୍‌, ଭୁବନେଶ୍ୱରରେ ଥିବା ଫ୍ଲାଟ୍‌ ଉପରେ ଏସ୍‌ଟିଏଫ୍‌ ଚଢ଼ାଉ କରି ବନ୍ଧୁକ, ନଗଦ ଟଙ୍କା, ଦାମୀ ଗାଡ଼ି ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ସେହିଭଳି, ଟାଙ୍ଗୀ ଅଞ୍ଚଳରୁ ଆଉ ଜଣଙ୍କୁ ଗିରଫ କରିଥିବା ବି ଜଣାପଡ଼ିଥିଲା। ଜଗତସିଂହପୁରରୁ ଗିରଫ ଯୁବକ ହେଲେ ଦିପ୍ତୀ ରଂଜନ ଦାସ। ଏସ୍‌ଟିଏଫ୍‌ର ଏକ ୮ ଜଣିଆ ଟିମ୍‌ ଜଗତସିଂହପୁର ଥାନା ସହଯୋଗରେ ପ୍ରଥମେ ଦିପ୍ତୀଙ୍କ ମୁକୁନ୍ଦପୁରରେ ଥିବା ଘରେ ଚଢ଼ଉ କରିଥିଲେ। ଏହି ସମୟରେ ଏସ୍‌ଟିଏଫ୍‌ ଟିମ୍‌କୁ ଦେଖି ଖସି ଯିବାକୁ ଉଦ୍ୟମ କରିଥିଲେ ବି ସେ ଖସି ପାରି ନଥିଲେ। ଏଥିସହିତ, ଦିପ୍ତୀ ନିକଟରୁ ଗୋଟିଏ ବିଦେଶୀ ବନ୍ଧୁକ ୧୨ ରାଉଣ୍ଡ ଗୁଳି, ନଗଦ ୭୨ ହଜାର ଟଙ୍କା, ଏକ ନାଲି ରଙ୍ଗର ଅଡିକ୍ୟୁ-୩ କାର୍‌ (ଓଡ଼ି-୩୩-କେ-୦୦୨୧) ଓ ଏକ ଧଳା ରଙ୍ଗର ମାରୁତି ସୁଇଫ୍‌ଟ୍‌ କାର୍‌, ଇନ୍‌ସ୍ୟୁରାନ୍‌ସ ପଲିସି, ଏଲ୍‌ଆଇସି ପଲିସ, ଚେକ୍‌ ବୁକ୍‌, ଚାରୋଟି ମୋବାଇଲ୍‌, ଭୁବନେଶ୍ୱର ପଟିଆରେ ଏକ ଫ୍ଲାଟର କାଗଜପତ୍ର ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଏସ୍‌ଟିଏଫ୍‌ ହାତରେ ଲାଗିଥିଲା। ସମସ୍ତ କାଗଜପତ୍ର ସହ ଏସ୍‌ଟିଏଫ୍‌ ଦିପ୍ତୀଙ୍କୁ ଜଗତସିଂହପୁରରୁ ଉଠାଇ ନେଇଥିଲା।

ଉଲ୍ଲେଖଯୋଗ୍ୟ, ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ତିନିମୁହାଣିସ୍ଥିତ କମ୍ପ୍ୟୁଟର ଦୋକାନରୁ ଜଣେ ଯୁବକଙ୍କୁ ଉଠାଇ ନେଇଛି। ଏହି ଯୁବକ ଜଣକ ହେଉଛନ୍ତି ସରୋଜ କୁମାର ପତି। ସେ ଟିଟୋର ଜମି କିଣା କାରବାରରେ ସଂପୃକ୍ତ ଥିବା ଜଣାପଡ଼ିଛି। ଏଥି ସହ ସରୋଜ ଟିଟୋର ଟଙ୍କା ସୁଧରେ ଲଗାଉଥିଲେ ବୋଲି ସୂଚନା ମିଳିଛି। ପ୍ରକାଶ ଥାଉ କି ସାରଥି ବାବାଙ୍କ ସହ ସଂପର୍କକୁ ନେଇ ମଧ୍ୟ ସେତେବେଳେ ସରୋଜ ଚର୍ଚ୍ଚାରେ ରହିଥିଲେ।

ସମ୍ବନ୍ଧିତ ଖବର