ଗୋ ଚାଲାଣରେ ଟିଟୋ ସଂପୃକ୍ତି ଘଟଣା : ରିମାଣ୍ଡରେ ଆସିବ ଟିଟୋ ଓ ବଟୁ

ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ଗୋ ଚାଲାଣ ର‍୍ୟାକେଟ୍‌ରେ ସଂପୃକ୍ତ ଥିବା ନେଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ କୁହାଯିବା ପରେ ଟିଟୋକୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି କମିସନରେଟ ପୁଲିସ। ଟିଟୋ ଛଡ଼ା ତା’ର ଗୋଚାଲାଣ ସାମ୍ରାଜ୍ୟର ମୁଖ୍ୟ କାର୍ପଟଦାର ବଟକୃଷ୍ଣ ପାଣିଗ୍ରାହୀ ଓରଫ ବଟୁକୁ ମଧ୍ୟ ରିମାଣ୍ଡରେ ଅଣାଯିବ। କାରଣ ୨୦୧୭ ମସିହାରେ ଭୁବନେଶ୍ୱରର ମଞ୍ଚେଶ୍ୱର, ଖଣ୍ଡଗିରି ଥାନା ପୁଲିସ ବିଭିନ୍ନ ୧୨ରୁ ଅଧିକ ଗୋରୁ ଗାଡ଼ି ଉଦ୍ଧାର କରିବା ସହିତ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ସବୁ ଅଭିଯୁକ୍ତ ଟିଟୋ ପାଇଁ କାମ କରୁଥିଲେ ବୋଲି ଏବେ ପୁଲିସ ଜାଣିବାକୁ ପାଇଛି। ଏହି ର‍୍ୟାକେଟ ସମ୍ପର୍କରେ ଅଧିକ ଖୋଳତାଡ଼ କରିବାକୁ ଟିଟୋ ଓ ବଟୁକୁ ରିମାଣ୍ଡରେ ଅଣାଯିବାକୁ ଯୋଜନା ହେଉଛି ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ଏ ନେଇ ସେ ଡିସିପି ଅନୁପ ସାହୁଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି।

ଟିଟୋ ଗ୍ୟାଙ୍ଗ୍‌ ରାଜ୍ୟରେ ଚାଲୁଥିବା ଗୋ-ଚାଲାଣରେ ସଂପୃକ୍ତ। ଟିଟୋ ଗ୍ୟାଙ୍ଗ୍‌ ଗୋରୁଗାଡ଼ି ଖୋର୍ଧାରୁ ବେଗୁନିଆ, ଭୁବନେଶ୍ୱର, କୋଲକାତା, ତିି୍ରପୁରା ଦେଇ ବାଂଲାଦେଶ ପଠାଉଥିଲେ। ଏଥିପାଇଁ ୩୫ରୁ ୪୦ଜଣ ଯୁବକଙ୍କୁ ଟିଟୋ ନିଯୁକ୍ତି ଦେଇଥିଲା। ବଟୁ ଓ ତାର ସହଯୋଗୀମାନେ ବେଗୁନିଆରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଗୋରୁ ଗାଡ଼ିକୁ ସୁରକ୍ଷା ଯୋଗାଇ ଦେଉଥିଲେ। ବିଭିନ୍ନ ଟୋଲଗେଟ ଓ ଜାତୀୟ ରାଜପଥ କଡ଼ରେ ଥିବା ଥାନା କର୍ମଚାରୀଙ୍କ ସହିତ ବଟୁର ଉତ୍ତମ ସମ୍ପର୍କ ଥିଲା। ବିଭିନ୍ନ ଉପାୟରେ ବଟୁ ସେମାନଙ୍କୁ କରାୟତ୍ତ କରି ଟିଟୋ ପାଇଁ ଏହି ର‍୍ୟାକେଟ ଚଳାଇଥିଲା। ତେଣୁ ଦୁହିଁଙ୍କୁ ରିମାଣ୍ଡରେ ଆଣି ପୁଲିସ ପଚରା ଉଚରା କରିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର