ଆଜିଠାରୁ ସ୍ୱାଭାବିକ ହେବ ପାଠପଢ଼ା

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ହଟିଲା ଅଚଳାବସ୍ଥା

କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଡାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କିଛିଦିନ ଧରି ଲାଗି ରହିଥିବା ଅଚଳାବସ୍ଥା ଆଜି ଦୂର ହୋଇଛି। ଫଳରେ, ଆସନ୍ତାକାଲିଠାରୁ ପାଠପଢ଼ା ସ୍ୱାଭାବିକ ହେବ। ପୂର୍ବର ୬୦ ଦଫା ଦାବିକୁ ଦୋହରାଇ ଆଜି ଛାତ୍ରଛାତ୍ରୀ ଲାଣ୍ଡିଗୁଡାସ୍ଥିତ ପ୍ରଶାସନିକ ଭବନ ନିକଟରେ ପହଞ୍ଚି ଧାରଣା ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଧାରଣା ଯୋଗୁଁ ପ୍ରଶାସନିକ ଭବନ ସଂପୂର୍ଣ୍ଣ ଅଚଳ ହୋଇଯାଇଥିଲା। ତଥାପି କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାକୁ ଆସି ନ ଥିଲେ। ଫଳରେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଶେଷରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାକୁ ବାଧ୍ୟ ହୋଇଥିଲେ କର୍ତ୍ତୃପକ୍ଷ। କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦାବି ନେଇ ଆଲୋଚନା କରିଥିଲେ। ପୁଲିସ ଉପସ୍ଥିତିରେ ରାତି ପର୍ଯ୍ୟନ୍ତ ଆଲୋଚନା ହେବା ପରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦାବି ମାନି ନେଇଥିଲେ କର୍ତ୍ତୃପକ୍ଷ। ଆଉ ଆନ୍ଦୋଳନ ନ କରି ପାଠ ପଢ଼ାରେ ସାମିଲ ହେବାକୁ କର୍ତ୍ତୃପକ୍ଷ ଅନୁରୋଧ କରିଥିଲେ। ହେଲେ ଦାବି ପୂରଣ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମାଗିଥିଲେ ଛାତ୍ରଛାତ୍ରୀ। ଆସନ୍ତାକାଲି ଏହି ସମୟ ସୀମା ନୋଟିସ ବୋର୍ଡ ମାଧ୍ୟରେ ଜଣାଇ ଦିଆଯିବ। କର୍ତ୍ତୃପକ୍ଷଙ୍କ ଏମିତି ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ଛାତ୍ରଛାତ୍ରୀ ନିଷ୍ପତ୍ତି ନେଇଛନ୍ତି ।

ସମ୍ବନ୍ଧିତ ଖବର