ଆଜି ବି ଉପବାସରେ ରହିବେ ମହାପ୍ରଭୁ! ଏ ଯାଏଁ ହୋଇନି ବଲ୍ଲଭ ଭୋଗ, ଅବଢ଼ା ବାହାରିବା ନେଇ ଅନିଶ୍ଚିତତା ଜାରି

ପୁରୀ: ସୋମବାର ଉପବାସରେ ରହିବା ପରେ ଶ୍ରୀଜିଉ ପୁଣି ମଙ୍ଗଳବାର ଉପବାସ ରହିବା ଭଳି ପରିସ୍ଥିତ ସୃଷ୍ଟି ହୋଇଛି। ନୀତିକାନ୍ତିରେ ଅହେତୁକ ବିଳମ୍ବ ହେତୁ ସକାଳ ୯ଟା ବେଳେ ହେଉଥିବା ବଲ୍ଲଭ ଭୋଗ ଅପରାହ୍ଣ ସୁଦ୍ଧା ହୋଇ ନଥିବା ଜଣାପଡ଼ିଛି। ତେଣେ ପୂର୍ବାହ୍ଣ ୧୧ଟାରେ ହେଉଥିବା ସକାଳ ଧୂପ ଲାଗି ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ରୋଷେଇ ଆରମ୍ଭ ହୋଇ ନଥିବା ସୂଚନା ମିଳିଛି। ତେବେ ଏହି ଭୋଗ କେତେବେଳେ ଲାଗିବ ସେ ନେଇ ମଧ୍ୟ କୌଣସି ସୂଚନା ନାହିଁ। ଗତକାଲି ଠାରୁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦର ସମାଧାନ ହୋଇପାରି ନ ଥିବାରୁ ଶ୍ରୀମନ୍ଦିରର ନୀତିକାନ୍ତିରେ ବିଭ୍ରାଟ ଜାରି ରହିଛି।

ସୋମବାର ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜନସାଧାରଣଙ୍କ ଲାଗି ଜଗମୋହନ ଖୋଲିବା ସହ ଅଧିକୃତ ସେବକଙ୍କ ବ୍ୟତୀତ ଅନ୍ୟ କାହାକୁ ଗର୍ଭଗୃହ ମଧ୍ୟକୁ ପ୍ରବେଶ ଲାଗି ଶ୍ରୀମନ୍ଦିର ପ୍ରଶାସନ ଅନୁମତି ନଦେବାରୁ ଏହାର ପ୍ରତିବାଦରେ ସେବାୟତମାନେ ନୀତିକାନ୍ତିରେ ବିଳମ୍ବ କରିଥିଲେ। ବିଳମ୍ବ ହେତୁ ଶ୍ରୀମନ୍ଦିର ରୋଷ ଘରେ ପ୍ରସ୍ତୁତ ହୋଇଥିବା ଅନ୍ନ ମହାପ୍ରସାଦ ଭୋଗମଣ୍ଡପକୁ ଆସି ନ ଥିଲା। ଫଳରେ ଶ୍ରୀଜିଉ ଓପାସରେ ରହିଥିଲେ। କେବଳ ସେତିକି ନୁହେଁ, ପ୍ରାପ୍ତ ସୂଚନା ଅନୁସାରେ ଶ୍ରୀଜିଉଙ୍କ ପହୁଡ଼ ମଧ୍ୟ ହୋଇ ପାରି ନଥିଲା। ତେଣେ ମହାପ୍ରସାଦକୁ ଅପେକ୍ଷା କରି ରହିଥିବା ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ନିରାଶ ହୋଇଥିଲେ। ଲକ୍ଷ ଲକ୍ଷ ଟଙ୍କାର ଅମୁଣିଆ ପ୍ରସାଦ ନଷ୍ଟ ହୋଇଥିଲା।

ଯଦିଓ ଏହି ଘଟଣା ପରେ ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନ ପରିସ୍ଥିତିକୁ ସୁଧାରିବା ଲାଗି ତତ୍ପର ହୋଇ ଉଠିଛି ଓ ସରକାରୀ କଳ ସମସ୍ୟାର ସମାଧାନ ଲାଗି ଉଦ୍ୟମ କରୁଛନ୍ତି, କିନ୍ତୁ ଶ୍ରୀମନ୍ଦିରରେ ଜାରି ରହିଛି ଅଚଳାବସ୍ଥା। ଭୋଗ ହୋଇପାରି ନଥିବା ଅମୁଣିଆ ଭୋଗକୁ କୋଇଲି ବୈକୁଣ୍ଠ ନିକଟସ୍ଥ ଶ୍ରୀମନ୍ଦିର ଉପବନରେ ଆଜି ପୋତି ଦିଆଯାଇଛି। କିନ୍ତୁ ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ରୋଷଘରେ ସୂର୍ଯ୍ୟ ପୂଜା ଓ ହୋମ ସଂପନ୍ନ ହୋଇନାହିଁ। ଫଳରେ ସକାଳ ଭୋଗ ଲାଗି ଅନ୍ନମହାପ୍ରସାଦ ପ୍ରସ୍ତୁତି ଆରମ୍ଭ ହୋଇପାରିନାହିଁ। ଅନ୍ୟପକ୍ଷରେ ନୀତିକାନ୍ତିରେ ମଧ୍ୟ ବ୍ୟାପକ ବିଳମ୍ବ ଘଟିଛି। ସକାଳ ୯ଟାରେ ହେବାକୁ ଥିବା ବଲ୍ଲଭ ଭୋଗ ଅପରାହ୍ନ ସାଢ଼େ ୩ଟା ସୁଦ୍ଧା ହୋଇ ପାରି ନଥିଲା। ଏଣୁ ଗତକାଲି ଭଳି ଆଜି ମଧ୍ୟ ଶ୍ରୀଜିଉଙ୍କ ଭୋଗ ହେବା ପରେ ଅନିିଶ୍ଚିତତା ଜାରି ରହିଛି। ସୋମବାର ଭଳି ମଙ୍ଗଳବାର ବି ଅବଢ଼ା ବାହାରିବା ନେଇ ଅନିଶ୍ଚିତତା ଦେଖାଦେଇଛି।

ଏହି ସମସ୍ୟାର ସମାଧାନ ଲାଗି ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଭିତରେ ହେବାକୁ ଥିବା ବୈଠକ ମଧ୍ୟ ଏଯାବତ୍‌ ହୋଇପାରିନାହିଁ।

ସମ୍ବନ୍ଧିତ ଖବର