କ୍ରୀଡ଼ା ମାଧ୍ୟମରେ ଏକ ଉନ୍ନତ ଭାରତ ଗଠନ କରିବା ମୋର ଲକ୍ଷ୍ୟ : ଟେନିସ୍ କିମ୍ବଦନ୍ତୀ ଲିଆଣ୍ଡର ପେସ୍

ଭୁବନେଶ୍ବର: ଏକ ଉନ୍ନତ ଭାରତ ଗଠନ କରିବା ମୋର ଲକ୍ଷ୍ୟ। ଆମ ଭାରତୀୟମାନେ ଅତ୍ୟନ୍ତ ବୁଦ୍ଧିମାନ। ସେମାନେ ଭଲ ବାଣିଜ୍ୟ ବ୍ୟବସାୟ କରିପାରନ୍ତି, ଭଲ ଗଣିତ କରିପାରନ୍ତି ଓ ଭଲ ଆଇଟି ଇଞ୍ଜିନିୟର ଭାବେ ସେମାନଙ୍କର ଖ୍ୟାତି ରହିଛି । ଭାରତ ବହୁ କ୍ଷେତ୍ରରେ ଏକ ନମ୍ବର ସ୍ଥାନରେ ରହିଛି।  କିନ୍ତୁ ଦୁଃଖର କଥା ହେଉଛି, ଭାରତ ମେଦବହୁଳତାରେ ଏକ ନମ୍ବର, ଡାଇବେଟିସରେ ଏକ ନମ୍ବର ଏବଂ ସର୍ବିକାଲ୍ କ୍ୟାନସରରେ ମଧ୍ୟ ଏକ ନମ୍ବର। ଏସବୁ ସ୍ବାସ୍ଥ୍ୟ ସମସ୍ୟାରୁ ଦେଶକୁ ମୁକୁଳାଇବାକୁ ହେବ। ଏକ ସୁସ୍ଥ ଭାରତ ଗଠନ କରିବାକୁ ହେବ। ଏଥିପାଇଁ ମୁଁ ଦେଶରେ ଏକ କ୍ରୀଡ଼ା ଶିକ୍ଷା ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି। ଏହା ମାଧ୍ୟମରେ ମୁଁ ଦେଶର ଶିଶୁମାନଙ୍କ ପାଖରେ ପହଞ୍ଚିବାକୁ ଚାହୁଛି। ସେମାନଙ୍କୁ କ୍ରୀଡ଼ା ଶିକ୍ଷା ବ୍ୟବସ୍ଥା ସହିତ ଯୋଡ଼ି ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଭାରତ ଗଠନ କରିବାକୁ ଚାହୁଛି ବୋଲି ଆଜି ନିଜର ପ୍ରେରଣାଦାୟୀ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ଦେଶର ଜଣାଶୁଣା ଟେନିସ୍ କିମ୍ବଦନ୍ତୀ ଲିଆଣ୍ଡର ପେସ୍।

‘ସମ୍ବାଦ ଗ୍ରୁପ’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଚତୁର୍ଥ ପ୍ରେରଣାଦାୟୀ ବକ୍ତୃତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଯୋଗ ଦେଇଥିବା ବେଳେ ‘ସମ୍ବାଦ ଗ୍ରୁପ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଉପସ୍ଥିତ ଥିଲେ। ପ୍ରେରଣାଦାୟୀ ବକ୍ତୃତା କ୍ରମରେ ଅତିଥି ବକ୍ତା ଭାବେ ଯୋଗ ଦେଇ ଟେନିସ୍ କିମ୍ବଦନ୍ତୀ ଲିଆଣ୍ଡର ପେସ୍ ପ୍ରଥମେ ତାଙ୍କ ଜୀବନର ସଂଘର୍ଷ ଓ ସଫଳତାର କାହାଣୀ ବଖାଣିଥିଲେ। ଉପସ୍ଥିତ ଶ୍ରୋତାଙ୍କୁ ପ୍ରେରଣା ଦେବା ଭଳି ଅନେକ ଜଣା-ଅଜଣା ଘଟଣାର ଅବତାରଣା କରିଥିଲେ। ଏଥିସହ ସେ କହିଥିଲେ, ପରବର୍ତ୍ତୀ ୟୁଏସ୍ ଓପନ ଟେନିସ୍ ଚାମ୍ପିଅନସିପ୍ ପରେ ସେ ପେସାଦାର ଟେନିସରୁ ଅବସର ନେବାକୁ ସ୍ଥିର କରିଛନ୍ତି। ଅବସର ପରେ ସେ ତାଙ୍କ ଜୀବନର ଦ୍ବିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଦ୍ବିତୀୟ ଇନିଂସରେ ସେ ଦେଶର ତରୁଣ ପିଢ଼ିକୁ ବିକଶିତ କରିବା ଉପରେ ଗୁୁରୁତ୍ବ ଦେବେ। ମୋର ଲକ୍ଷ୍ୟ କେବଳ ଅଲମ୍ପିକ୍ ଚାମ୍ପିୟନ କିମ୍ବ‌ା ବିଶ୍ବ ଚାମ୍ପିୟନ ତିଆରି ନୁହେଁ,  ଦେଶର ୭୫୦ନିୟୁତ ଶିଶୁଙ୍କ ଭିତରେ ଥିବା କ୍ରୀଡ଼ା ପ୍ରତିଭା କିପରି ବିକଶିତ ହୋଇପାରିବ ସେ ଦିଗରେ କାର୍ଯ୍ୟ କରିବା। ସେଥିପାଇଁ ଗ୍ରାମାଞ୍ଚଳରେ ଶିଶୁମାନଙ୍କ ପାଖରେ ମୁଁ ପହଞ୍ଚିବାଲାଗି ବ୍ୟବସ୍ଥା କରୁଛି। ଆବଶ୍ୟକ ପଡ଼ିଲେ ମୁଁ ପ୍ରତି ରାଜ୍ୟକୁ ଯିବି, ପ୍ରତି ସହରକୁ ଯିବି ଓ କ୍ରୀଡ଼ା ଶିକ୍ଷା ଦ୍ବାରା କିଭଳି ପରବର୍ତ୍ତୀ ପିଢ଼ିକୁ ବିକାଶ କରିହେବ ସେଥିଲାଗି ଉଦ୍ୟମ କରିବି। ଆମ ଦେଶର ୬୦ପ୍ରତିଶତ ପିଲା ସ୍କୁଲକୁ ଯାଇପାରୁ ନାହାନ୍ତି। ସେମାନଙ୍କ ପାଖରେ ପହଞ୍ଚିବା ଲାଗି ମୁଁ ଏକ ସ୍ପାର୍ଟସ୍ ଏଜୁକେସନ୍ ପୋର୍ଟାଲ ଆରମ୍ଭ କରୁଛି। ଏହା ମାଧ୍ୟମରେ ସମସ୍ତଙ୍କ ସହ ଯୋଡ଼ି ହୋଇ ରହିବା ସମ୍ଭବ ହୋଇପାରିବ। ମୁଁ ମୋ ବାପାଙ୍କର କ୍ରୀଡ଼ା ଚିକିତ୍ସା କ୍ଷେତ୍ରରେ ଥିବା ୫୦ବର୍ଷର ଅନୁଭୂତି, ମୋ ମା’ଙ୍କର ୩୦ବର୍ଷର କ୍ରୀଡ଼ା ଅନୁଭୂତି ଓ ମୋର ଅଭିଜ୍ଞତାକୁ ନେଇ କ୍ରୀଡ଼ା ଶିକ୍ଷା ଜରିଆରେ ଏକ ଉନ୍ନତ ଭାରତ ଗଠନ କରିବାକୁ ବ୍ରତ ଭାବେ ଗ୍ରହଣ କରିଛି।

ଅଭିଭାଷଣ କ୍ରମରେ ଲିଆଣ୍ଡର ପେସ୍ ସମାଜର ବିକାଶଲାଗି ‘ସମ୍ବାଦ ଗ୍ରୁପ୍’ କରିଥିବା ସମାଜ ଗଠନ କାର୍ଯ୍ୟର ପ୍ରଶଂସା କରିଥିଲେ। ସେ କହିଥିଲେ, ‘ସମ୍ବାଦ ଗ୍ରୁପ୍’ କେବଳ ବ୍ୟବସାୟ କରୁନାହିଁ, ବରଂ ସମାଜର ଉନ୍ନତି କ୍ଷେତ୍ରରେ ବହୁ କାର୍ଯ୍ୟ କରୁଛି। ଲୋକଙ୍କୁ ରୋଜଗାର ଯୋଗାଉଛି, ସେମାନଙ୍କୁ ଜୀବନ ଗଢ଼ିବାରେ ସାହାଯ୍ୟ କରୁଛି, ରକ୍ତଦାନ ଅଭିଯାନ ଜରିଆରେ ରୋଗୀଙ୍କୁ ରକ୍ତ ଯୋଗାଉଛି। ‘ସମ୍ବାଦ’ ସହ ତାଙ୍କୁ ଯୋଡ଼ିଥିବାରୁ ସେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଓ ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ।

ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟର ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ଟେନିସ୍ ଆସୋସିଏସନରେ ସଭାପତି ଅସିତ୍ କୁମାର ତ୍ରିପାଠୀ। ଜଣେ ପ୍ରଶାସକ ହେବା ସହ ଜଣେ ଟେନିସ୍ ଖେଳାଳି ଭାବେ ପରିଚିତ ଶ୍ରୀ ତ୍ରିପାଠୀ ନିଜର ଅଭିଭାଷଣରେ ଲିଆଣ୍ଡର ପେସଙ୍କୁ ଜଣେ ଖାଣ୍ଟି କ୍ରୀଡ଼ାବିତ୍ ବୋଲି ବର୍ଣ୍ଣନା  କରିଥିଲେ। ଏଥି ସହ ବ୍ୟକ୍ତିଗତ ଜୀବନରେ ଏତେ ସଫଳତାର ଅଧିକାରୀ ହୋଇଥିଲେ ବି ସେ ଅତ୍ୟନ୍ତ ବିନୟୀ ବୋଲି କହିଥିଲେ ଶ୍ରୀ ତ୍ରିପାଠୀ। ଏଥିସହ ଏଭଳି ଏକ କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ କରିଥିବାରୁ ‘ସମ୍ବାଦ’କୁ ପ୍ରଶଂସା କରିଥିଲେ ମୁଖ୍ୟ ଶାସନ ସଚିବ।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ‘ସମ୍ବାଦ ଗ୍ରୁପ’ର ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ପ୍ରେରଣାଦାୟୀ ବକ୍ତୃତାମାଳା କାର୍ଯ୍ୟକ୍ରମକୁ ଜଣେ ଟେନିସ୍ ଖେଳାଳିଙ୍କୁ ଆମନ୍ତ୍ରଣ କରାଯାଇଥିବାରୁ ସେ ବେଶ୍ ଆନନ୍ଦିତ ବୋଲି ମନ୍ତବ୍ୟ ରଖିଥିଲେ। ଅତୀତରେ ଅନୁଷ୍ଠିତ ୩ଟି ପ୍ରେରଣାଦାୟୀ ବକ୍ତୃତାରେ କ୍ରିକେଟ ବ୍ୟକ୍ତିତ୍ବମାନେ ଆସିଥିବା ବେଳେ ଏଥିରେ ଜଣେ ଟେନିସ୍ କିମ୍ବଦନ୍ତୀଙ୍କୁ ନିମନ୍ତ୍ରଣ କରାଯାଇଛି। କ୍ରୀଡ଼ା କ୍ଷେତ୍ର ସ‌ାଧାରଣତଃ ଏକ ବିବାଦହୀନ କ୍ଷେତ୍ର , ତେଣୁ ଏ କ୍ଷେତ୍ରର ବ୍ୟକ୍ତିଙ୍କୁ ଅତିଥି କରିବା ଏକ ବିଜ୍ଞ ବିଚାର ବୋଲି ସେ ବକ୍ତବ୍ୟ ରଖିଥିଲେ।

‘ସମ୍ବାଦ ଗ୍ରୁପ’ର  ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିବା ଅବସରରେ ଗଣମାଧ୍ୟମ କ୍ଷେତ୍ରରେ ‘ସମ୍ବାଦ’ର ପ୍ରାଧାନ୍ୟ ଉପରେ ଆଲୋକପାତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଫ୍ଲୋରା ସ୍ବାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ‘ସମ୍ବାଦ ଗ୍ରୁପ’ର ସମସ୍ତ ବରିଷ୍ଠ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର