ଆଦର୍ଶ ଶିକ୍ଷକ: ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ତଟକା ପରିବା ଦେବାକୁ ସ୍କୁଲ ପରିସରରେ କଲେ ପରିବା ବଗିଚା

ଭୁବନେଶ୍ୱର: ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ତଟକା ପନିପରିବା ଦେବା ପାଇଁ ଜଣେ ସରକାରୀ ସ୍କୁଲ ଶିକ୍ଷକ ସ୍କୁଲ ପରିସରରେ କରିଛନ୍ତି ଏକ ବାରି ବଗିଚା (କିଚେନ ଗାର୍ଡେନ)। ଏହି କିଚେନ୍‌ ଗାର୍ଡେନ୍‌ରେ କେବଳ ପନିପରିବା ନୁହେଁ, ବିଭିନ୍ନ ପ୍ରକାରର ଫୁଲ ଓ ଔଷଧିୟ ଗଛ ଲଗାଇଛନ୍ତି ସୁବର୍ଣ୍ଣପୁରର ସ୍କୁଲର ସଂପୃକ୍ତ ଶିକ୍ଷକ। ଏହି ବଗିଚାରେ ବିଭିନ୍ନ ପ୍ରକାର ପନିପରିବା ଗଛ ସହ ଫୁଲଗଛ ମଧ୍ୟ ରହିଛି। ମାତ୍ର ଦୁଇ ଡିସିମିଲି ଜାଗାରେ ଖୁବ୍‌ ସୁନ୍ଦର ପରିବେଶ ସୃଷ୍ଟି କରିଛନ୍ତି ଶିକ୍ଷକ।

ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକ ପିପିଲିକାନୀ ସରକାରୀ ପ୍ରଥାମିକ ବିଦ୍ୟାଳୟ ପରିସରରେ ସ୍କୁଲର ପ୍ରଧାନ ଶିକ୍ଷକ ଦାମୋଦର ପଣ୍ଡାଙ୍କ ନିଜସ୍ୱ ଉଦ୍ୟମରେ ସେ ଏହାକୁ ନିଜ ହାତରେ କରିଛନ୍ତି। ଏହି କିଚେନ ଗାର୍ଡେନରେ ଫଳୁଥିବା ପନିପରିବାରେ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଏ; ଆଉ ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦିଆଯାଏ।

 

ପିପିଲିକାନୀ ସରକାରୀ ପ୍ରଥାମିକ ବିଦ୍ୟାଳୟରେ ମୋଟ ୩୦ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ସେମାନଙ୍କୁ ପାଠ ପଢାଉଛନ୍ତି ୨ ଜଣ ଶିକ୍ଷକ। ପିଲାଙ୍କୁ ପାଠ ପଢାଇବା ସହ ସ୍କୁଲରେ ବିଭିନ୍ନ ପ୍ରକାରର ପ୍ରତିଯୋଗୀତା ମୂଳକ କାର୍ଯ୍ୟକ୍ରମ କରାଯାଏ। ପ୍ରଧାନ ଶିକ୍ଷକଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି।

ସମ୍ବନ୍ଧିତ ଖବର