ଆଜି ବାରବାଟୀ ଟି-୨୦: ମ୍ୟାଚ ପୂର୍ବରୁ ମଙ୍ଗଳବାର ଅଭ୍ୟାସ ବେଳେ ଭାରତୀୟ ଖେଳାଳିଙ୍କ ଫୁଟବଲ୍‌ ଖେଳ

କଟକ: ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ଜିତିବା ପରେ ବୁଧବାରଠୁ ଟି-୨୦ ଅଭିଯାନରେ ବ୍ଲୁ ବାହିନୀ। କଟକର ବାରବାଟୀ ଷ୍ଟାଡିୟମରେ ଉଭୟ ଦଳଙ୍କ ମଧ୍ୟରେ ଶୃଙ୍ଖଳାର ପ୍ରଥମ ମ୍ୟାଚ ଖେଳାଯିବ। ଏଥିପାଇଁ ଦୁଇ ଦଳ ମଙ୍ଗଳବାର ବାରବାଟୀରେ ଖୁବ୍‌ ଝାଳ ବୁହାଇଛନ୍ତି। ଯୁବ ବାହିନୀରେ ଭରପୂର ଦୁଇ ଦଳର ଖେଳାଳିଙ୍କ ପାଇଁ ମଧ୍ୟ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଲଗାତାର ଭାବେ ପରାଜୟର ସାମ୍ନା କରୁଥିବା ଶ୍ରୀଲଙ୍କା ପାଇଁ ଏହି ଶୃଙ୍ଖଳା ଜିତିବା ସମ୍ମାନର ବିଷୟ ପାଲଟିଯାଇଛି। ଅନ୍ୟପକ୍ଷରେ ଆଇପିଏଲ୍‌ ଓ ରାଜ୍ୟସ୍ତରରେ ଘରୋଇ କ୍ରିକେଟ ଖେଳି ନାଁ କମେଇଥିବା ଯୁବ ଖେଳାଳିମାନେ ଆନ୍ତର୍ଜାତିକ ସ୍ତରରେ ନିଜର ସ୍ଥାନ ପକ୍କା କରିବା ପାଇଁ ଏହା ପ୍ରକୃଷ୍ଟ ସମୟ ବୋଲି କୁହାଯାଉଛି।

ମଙ୍ଗଳବାର ଅପରାହ୍ନରେ ବାରବାଟୀରେ ପହଞ୍ଚିଥିବା ଭାରତୀୟ ଦଳ, ହାର୍ଦ୍ଦିକ ପାଣ୍ଡ୍ୟା, ଜଶ୍‌ପ୍ରୀତ୍‌ ବୁମ୍‌ରା ଓ ଶ୍ରେୟାସ ଆୟାରଙ୍କ ବିନା ଅଭ୍ୟାସ ଆରମ୍ଭ କରିଥିଲା। ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଭାରତୀୟ ଦଳ ଯିବା ପୂର୍ବରୁ ଏହି ଶୃଙ୍ଖଳା ଚଳିତ ବର୍ଷର ଶେଷ ସୁଯୋଗ ରହିବ। ତେଣୁ ବର୍ଷ ଶେଷରେ ଭଲ ଅଭିଜ୍ଞତା ସାଉଁଟିବା ଲକ୍ଷ୍ୟରେ ରୋହିତ ଶର୍ମାଙ୍କ ଯୁବ ବାହିନୀ ଚେଷ୍ଟା କରିବ। ଖାସ୍‌ ଏଥିପାଇଁ ମଙ୍ଗଳବାର ନେଟ୍ସରେ ସମସ୍ତଙ୍କ ବ୍ୟାଟ୍‌ରୁ ବଡ୍‌ ସଟ୍‌ ଦେଖିବାକୁ ମିଳିଥିଲା। ତେଣୁ ମ୍ୟାଚରେ ସମସ୍ତଙ୍କ ଆଭିମୁଖ୍ୟ କ’ଣ ରହିବ ତାହା ମଧ୍ୟ ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। ଘରୋଇ କ୍ରିକେଟରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ବସିଲ୍‌ ଥମ୍ପି, ଦୀପକ ହୁଦା ଓ ଓ୍ଵାସିଙ୍ଗଟନ୍‌ ସୁନ୍ଦରଙ୍କ ଉପରେ ନଜର ରହିବ। କଟକରେ ଏମାନଙ୍କ ମଧ୍ୟରୁ ଯେ କେହି ପଦାର୍ପଣ କରିପାରନ୍ତି। ବୁମ୍‌ରାଙ୍କ ନେତୃତ୍ୱରେ ରହିଥିବା ପେସ୍‌ ବାହିନୀରେ କାହାକୁ ସୁଯୋଗ ଦିଆଯିବ ତାହା ମଧ୍ୟ ଏବେ ଦ୍ୱନ୍ଦ୍ୱରେ ରହିଛି। ୨୦୧୬ ରେ ଏକମାତ୍ର ଟେ୍ଵଣ୍ଟି-୨୦ ଖେଳିଥିବା ଜୟଦେବ ଉନାଦକତ ଓ ଚଳିତ ବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷରେ ପଦାର୍ପଣ କରିଥିବା ମହମ୍ମଦ ସିରାଜ ମଧ୍ୟ ଭଲ ପ୍ରଦର୍ଶନ ଅପେକ୍ଷାରେ ରହିଛନ୍ତି। ଅନ୍ୟପକ୍ଷରେ ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବଙ୍କ କାନ୍ଧରେ ସ୍ପିନ୍‌ ଆକ୍ରମଣର ଭାର ରହିବ। କୋହଲି, ଧାଓ୍ଵନ, କେଦାର ଯାଦବଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ହାର୍ଦ୍ଦିକ ପାଣ୍ଡ୍ୟା, ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତ୍ତିକଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ଉପରେ ଦଳ ଅଧିକ ନିର୍ଭର କରିବ।

ଅନ୍ୟପକ୍ଷରେ ଶ୍ରୀଲଙ୍କାକୁ ପରାଜୟ ଧାରା ଏଡ଼ାଇବାକୁ ହେଲେ ବିଶେଷ ରଣନୀତି ପ୍ରସ୍ତୁତ କରିବାକୁ ହେବ। ତିସରା ପେରେରାଙ୍କ ଦଳ ଦିନିକିଆରେ ଯଦିଓ ଭଲ ଆରମ୍ଭ କରିଥିଲା, କିନ୍ତୁ ପରବର୍ତ୍ତୀ ଦୁଇ ମ୍ୟାଚରେ ଦଳକୁ ପରାଜିତ ହେବାକୁ ପଡ଼ିଥିଲା। ଟି-୨୦ ଦଳରେ ମଧ୍ୟ ସେଭଳି କିଛି ଖାସ୍‌ ପରିବର୍ତ୍ତନ କରାଯାଇନାହିଁ। ଲାହିରୁ ଥିରିମାନେ ଓ ସୁରଙ୍ଗା ଲାକମଲ୍‌ଙ୍କ ସ୍ଥାନରେ ଅଲ୍‌ରାଉଣ୍ଡର ଦସୁନ୍‌ ସନକା ଓ ବାମହାତୀ ଦ୍ରୁତ ବୋଲର ବିଶ୍ୱ ଫର୍ଣ୍ଣାଣ୍ଡୋ ଦଳରେ ସାମିଲ ହୋଇଛନ୍ତି। ସେହିପରି ଦୀନେଶ ଚାନ୍ଦିମଲ ଓ ଲସିଥ ମାଲିଙ୍ଗାଙ୍କ ଅନୁପସ୍ଥିତି ମଧ୍ୟ ଦଳ ଉପରେ ପ୍ରଭାବ ପକାଇପାରେ। ତଥାପି ଯୁବ ଖେଳାଳିଙ୍କ ଉପରେ ଅଧିନାୟକ ପେରେରା ଭରସା ରଖିଛନ୍ତି। ବାରବାଟୀ ପିଚ୍‌ ବ୍ୟାଟିଂ ଉପଯୋଗୀ ହେଲା ଭଳି ଦେଖାଯାଉଥିବାରୁ ୧୫୦ରୁ ଉର୍ଦ୍ଧ୍ୱ ରନ୍‌ ସଂଗ୍ରହ କରିପାରିଲେ ଭାରତକୁ ଚାପରେ ରଖିହେବ ବୋଲି କୁହାଯାଇଛି।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ବସିଲ୍‌ ଥମ୍ପି, ଯଶପ୍ରୀତ୍‌ ବୁମ୍‌ରା, ଯୁଜବେନ୍ଦ୍ର ଚହଲ୍‌, ମହେନ୍ଦ୍ର ସିଂହ ଧୋନି, ଦୀପକ ହୁଦା, ଶ୍ରେୟସ ଆୟର, ଦୀନେଶ କାର୍ତ୍ତିକ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ଲୋକେଶ ରାହୁଲ, ଜୟଦେବ ଉନାଡକତ, ଓ୍ଵାସିଙ୍ଗଟନ୍‌ ସୁନ୍ଦର।

ଶ୍ରୀଲଙ୍କା ଦଳ: ତିସାରା ପେରେରା (ଅଧିନାୟକ), ଉପୁଲ ଥରଙ୍ଗା, ଆଞ୍ଜେଲୋ ମାଥ୍ୟୁସ୍‌, କୁସାଲ ପେରେରା, ଧନୁସ୍କା ଗୁଣତିଳକ, ନିରୋସନ୍‌ ଡିକ୍‌େଓ୍ଵଲା, ଅସେଲା ଗୁଣରତ୍ନେ, ସଦୀରା ସମରବିକ୍ରମା, ଦାସୁନ୍‌ ସନକା, ଚତୁରଙ୍ଗା ଡି’ସିଲ୍‌ଭା, ସଚିଥ ପଥିରାଣା, ଅଖିଳ ଧନଞ୍ଜୟ, ଦୁସ୍ମନ୍ତ ଚାମିରା, ନୁଓ୍ଵାନ୍‌ ପ୍ରଦୀପ, ବିଶ୍ୱ ଫର୍ଣ୍ଣାଣ୍ଡୋ।

ସମ୍ବନ୍ଧିତ ଖବର