ରାସ୍ତାକୁ ଓହ୍ଲାଇଲା ଛାତ୍ର କଂଗ୍ରେସ: ମିଳିତ ମଞ୍ଚର ଆନ୍ଦୋଳନକୁ ୨୦ ଦିନ ବିତିଲା

ଆଜି ପାଳିବେ କଳା ଦିବସ

ଭୁବନେଶ୍ୱର: ବ୍ଲକଗ୍ରାଣ୍ଟ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଓ ଚାକିରି ସର୍ତ୍ତାବଳୀ ଲାଗୁ ଦାବିରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନକୁ ୨୦ ଦିନ ବିତିଛି। ତଥାପି ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କୁ ନ୍ୟାୟ ମିଳିପାରିନି। ଯେଉଁଥିପାଇଁ ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ମିଳିତ ମଞ୍ଚ। ରାଜ୍ୟର ୪ ହଜାର ବ୍ଲକଗ୍ରାଣ୍ଟ ସ୍କୁଲ ଓ କଲେଜର ଶିକ୍ଷକ, ଅଧ୍ୟାପକ ଲୋୟର ପିଏମ୍‌ଜିରେ କଳାପଟି ବାନ୍ଧି ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରିବେ। କଳା ଦିବସ ପାଳନ ହେବାକୁ ଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଆଜି ଗଣମାଧ୍ୟମରେ ଦେଇଥିବା ମନ୍ତବ୍ୟକୁ ନେଇ ଶିକ୍ଷକ ଓ ଛାତ୍ର ସଙ୍ଗଠନଗୁଡ଼ିକ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି କିଏ କଳା ଦିବସ ପାଳୁଛି ମୁଁ ଜାଣିନି। ଯଦି ଗୁରୁମାନେ କଳା ଦିବସ ପାଳନ କରିବେ ତେବେ ଏହା ତାଙ୍କ ପାଇଁ ଠିକ୍‌ ନୁହେଁ। ଗୁରୁ ଦିବସକୁ ପିଲା ଓ ଅଭିଭାବକ ପାଳନ କରନ୍ତି। ଶିକ୍ଷକଙ୍କ ଦାବି ଉପରେ ଆଲୋଚନା ଚାଲିଥିବା ବେଳେ କଳା ଦିବସ ପାଳନର ଯଥାର୍ଥତା କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଭଳି ମନ୍ତବ୍ୟ ପରେ ଛାତ୍ର କଂଗ୍ରେସ ଆଜି ରାସ୍ତାକୁ ଓହ୍ଲାଇଛି। ଛାତ୍ର କଂଗ୍ରେସ କମିଟି ସଦସ୍ୟ ଅଶୋକ ନାୟକଙ୍କ ନେତୃତ୍ୱରେ ଶତାଧିକ ଛାତ୍ର ବାଣୀବିହାର ଫାଟକ ସମ୍ମୁଖରେ ପ୍ରତିବାଦ ସ୍ୱରୂପ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଆସନ୍ତାକାଲି ଲୋୟର ପିଏମ୍‌ଜିରେ ଧାରଣାରତ ଶିକ୍ଷକଙ୍କ ସହ ଛାତ୍ରମାନେ ସାମିଲ ହେବେ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ପ୍ରତିବାଦ ସଭାରେ ଛାତ୍ରନେତା ତାପସ ସେଠୀ, ଅମ୍ରାନ୍‌ ଜେନା, ଲିପନ ପାତ୍ର, ଅଖିଳେଶ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟତମ ଛାତ୍ର ସଙ୍ଗଠନ ଏଆଇଡିଏସ୍‌ଓ ମଧ୍ୟ ଆସନ୍ତାକାଲି ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ର୍ରଦର୍ଶନ କରିବ ବୋଲି ସୂଚନା ମିଳିଛି।

ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ମନ୍ତବ୍ୟ ପରେ ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ରାଜ୍ୟ ସରକାର ଶିକ୍ଷକଙ୍କ ସହ ଖେଳିବା ବନ୍ଦ କରନ୍ତୁ। ଭବିଷ୍ୟତରେ ଏହା ଭୟାନକ ରୂପ ନେବାକୁ ଯାଉଛି। ୮୦ ଦଶକ ପରେ ପ୍ରଥମ ଥର ପାଇଁଁ ରାଜ୍ୟରେ ଥିବା ସ୍କୁଲ ଓ କଲେଜରେ ତାଲା ପଡ଼ିବାକୁ ଯାଉଛି। ଗୁରୁ ଦିବସକୁ ଗୁରୁ ପାଳନ କରନ୍ତି ନାହିଁ। ବରଂ ଗୁରୁ ପୂଜା ପାଆନ୍ତି। ରାଜ୍ୟ ସରକାରଙ୍କ ପାଇଁ ଆଜି ୬୦ ହଜାର ଶିକ୍ଷକ ଓ ଅଧ୍ୟାପକ ଏଭଳି ଏକ ପବିତ୍ର ଦିବସରୁ ବଞ୍ଚିତ ହେଉଛନ୍ତି। ରାଜ୍ୟ ସରକାର ମାନ୍ୟତା ଦେଇ ନଥିବାରୁ ଦୁଃଖ ଲାଗୁଛି ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର