ଆଜି ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ୪ଟି ସଭା ସହ କରିବେ ରୋଡ ସୋ’

କୋରାପୁଟ/ଜୟପୁର: କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ କୋରାପୁଟ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ସେ କୋରାପୁଟ ଜିଲ୍ଲାରେ ୪ଟି ସାଧାରଣ ସଭାରେ ଉଦବୋଧନ ଦେବା ସହ ଜୟପୁରରେ ରୋଡ ସୋ’ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ବିଜେଡି ଶିବିର ଉତ୍ସାହିତ ହୋଇ ପଡିଥିଲା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଏକ ସ୍ବତନ୍ତ୍ର ବିମାନ ଯୋଗେଁ ଜୟପୁର ଏୟାରଷ୍ଟ୍ରିପରେ ଓହ୍ଲାଇବା ପରେ ହେଲିକପ୍ଟର ଯୋଗେ ମାଲକାନଗିରି ଯିବେ। ସେଠାରେ ସଭା ସାରି ପଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ। ପରେ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଯାଇ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୩ଟାରେ କୋରାପୁଟର ଡୁମୁରୀପୁଟ ଠାରେ ସାଧାରଣ ସଭା କରିବେ। ପରେ ଜୟପୁର ଯାଇ ସେଠାରେ ସାଧାରଣ ସଭାରେ ଯୋଗ ଦେବେ।ଏହାପରେ ସହରରେ ଏକ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଆଜି ହାଇଟେକ୍ ବସ ଜୟପୁରରେ ପହଚିଂବା ପରେ ଏଠାରେ ଏହାର ମକ୍ ଡ୍ରିଲ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ବିଜେଡି ଶିବିର ଚଳଚଞ୍ଚଳ ହୋଇ ଉଠିଛି।

ସମ୍ବନ୍ଧିତ ଖବର