ଆଜିଠୁ ପିଏମ୍‌ଜି ରୋଡ୍‌ରେ ବିକ୍ଷୋଭ କରିବେ ଠିକା ନର୍ସ

କଟକ: ୬ଦଫା ଦାବି ନେଇ ଗତ ୭ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବା ଏସ୍‌ସିବିର ୩୨୦ ଠିକା ନର୍ସମାନେ ମଙ୍ଗଳବାରଠାରୁ ଭୁବନେଶ୍ୱର ପିଏମ୍‌ଜି ରୋଡ୍‌ରେ ବିକ୍ଷୋଭ କରିବେ। ଏସ୍‌ସିବି, ଶିଶୁଭବନର ଠିକା ନର୍ସଙ୍କ ସହିତ ରାଜ୍ୟର ଅନ୍ୟାନ୍ୟ ମେଡିକାଲ୍‌ କଲେଜରେ ନିୟୋଜିତ ଠିକା ନର୍ସମାନେ ଏହି ବିକ୍ଷୋଭରେ ସାମିଲ ହେବେ। ଦାବି ପୂରଣ ନହେବା ଯାଏଁ ଧାରଣା ଓ ବିକ୍ଷୋଭ ଜାରି ରହିବ ବୋଲି ନର୍ସେସ୍‌ ଆକ୍ସନ୍‌ କମିଟିର ଯୁଗ୍ମ ଆବାହକ ଅଲିଭା ପ୍ରିୟଦର୍ଶିନୀ ପରିଡ଼ା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସୋମବାର କାର୍ଯ୍ୟାଳୟ ଛୁଟି ଥିଲେ ବି ଆନ୍ଦୋଳନରତ ଠିକା ନର୍ସଙ୍କୁ କାର୍ଯ୍ୟରେ ଯୋଗଦେବାକୁ ପୁଣିଥରେ ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନ୍‌ଗୋ ଅନୁରୋଧ କରିଛନ୍ତି। ଆନ୍ଦୋଳନ ସ୍ଥଳରେ ମାଟ୍ରନ୍‌ ପହଞ୍ଚି ଠିକା ନର୍ସଙ୍କ ସହ ଆଲୋଚନା କରିଥିଲେ ବି କୌଣସି ସୁଫଳ ମିଳିନଥିଲା। ତେବେ ସରକାରୀ ନିୟମ ଅନୁସାରେ ଯଦି ଠିକା କର୍ମଚାରୀମାନେ ଅନ୍ୟୁନ ୧୦ଦିନ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରନ୍ତି, ତାହେଲେ ସେମାନଙ୍କ ଚୁକ୍ତି ସ୍ୱତଃ ବାତିଲ ହୋଇଯିବ। ଏପରିସ୍ଥଳେ ଠିକା ନର୍ସଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସପ୍ତମ ଦିନରେ ପହଞ୍ଚି ସାରିଥିଲାବେଳେ ପିଏମ୍‌ଜି ରୋଡ୍‌ରେ ବିକ୍ଷୋଭ କର୍ମଚାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। କିନ୍ତୁ ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି, ସେଯାଏଁ ଆନ୍ଦୋଳନରୁ କେହି ହଟିବେ ନାହିଁ ବୋଲି ନର୍ସେସ୍‌ ଆକ୍ସନ କମିଟି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର