ଆଜି ଖୋଲିବ ରତ୍ନଭଣ୍ଡାର

ପୁରୀ: ମହାପ୍ରଭୁଙ୍କ ରହସ୍ୟମୟ ରତ୍ନଭଣ୍ଡାର ଖୋଲିବାକୁ ନେଇ ଲାଗି ରହିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବାକୁ ଯାଉଛି। ଆସନ୍ତାକାଲି(ବୁଧବାର) ଅପରାହ୍ନ ପ୍ରାୟ ୨ଟା ବେଳେ ରତ୍ନଭଣ୍ଡାର ଖୋଲିବ। ରତ୍ନଭଣ୍ଡାର ଖୋଲିବାର ଏକ ଘଣ୍ଟା ପୂର୍ବରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ରତ୍ନଭଣ୍ଡାର ଯାଞ୍ଚ ପାଇଁ ନିଯୁକ୍ତ ପ୍ରତିନିଧି, ବିଶେଷଜ୍ଞ, ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟି ପଦାଧିକାରୀଙ୍କୁ ନେଇ ଗଠିତ ମୋଟ ୧୭ଜଣିଆ ପ୍ରତିନିଧି ଦଳ କେବଳ ମନ୍ଦିର ଭିତରକୁ ଯାଇପାରିବେ। ରତ୍ନଭଣ୍ଡାର ସ୍ଥିତି ପରଖିବା ପରେ ବିଶେଷଜ୍ଞ ଦଳ ତୁରନ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏ ନେଇ ରିପୋର୍ଟ ଦେବେ। ତେବେ ରତ୍ନଭଣ୍ଡାର ଖୋଲିବା ପାଇଁ ମନୋନୀତ ପ୍ରତିନିଧି ଦଳ ଏବେ ଆଶା ଓ ଆଶଙ୍କାରେ ରହିଛନ୍ତି। ଗୋଟିଏ ପଟେ ରତ୍ନଭଣ୍ଡାର ଦର୍ଶନର ଉତ୍ସାହ ଓ ଅନ୍ୟପଟେ କୌଣସି ଅଘଟଣର ଆଶଙ୍କା ସେମାନଙ୍କୁ ମହାପ୍ରଭୁଙ୍କ ଶରଣାପନ୍ନ ହେବା ଲାଗି ବାଧ୍ୟ କରିଛି। ଅନ୍ୟପକ୍ଷରେ ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହେବା ପରେ ଶ୍ରଦ୍ଧାଳୁ ଓ ସେବାୟତ ମହଲରେ ମଧ୍ୟ ଉତ୍ସୁକତା ଦେଖାଦେଇଛି। ଦୀର୍ଘ ୩୪ ବର୍ଷ ପରେ ରତ୍ନଭଣ୍ଡାର ଖୋଲିବାକୁ ଯାଉଥିବାରୁ ଆସନ୍ତାକାଲିର ସେହି ମହାର୍ଘ ସମୟକୁ ସମସ୍ତଙ୍କ ପ୍ରତୀକ୍ଷା ରହିଛି। ରତ୍ନଭଣ୍ଡାର ଖୋଲିବାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବିସ୍ତୃତ ବ୍ୟବସ୍ଥାବଳି ମଧ୍ୟ ପ୍ରସ୍ତୁତ କରାଯାଇଛି। ଶୃଙ୍ଖଳିତ ନୀତି ସଂପାଦନ ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି। ପୁଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମନ୍ଦିର ଭିତର ଓ ବାହାରେ ୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବା ସହ ଶ୍ରୀମନ୍ଦିର ଚାରି ଦ୍ଵାରରେ ପୁଲିସ ମୁତୟନ କରାଯିବ ବୋଲି ଏସ୍‌ପି ଡାକ୍ତର ସାର୍ଥକ ଷଡଙ୍ଗୀ ସୂଚନା ଦେଇଛନ୍ତି।

ଆଶା-ଆଶଙ୍କାରେ ଯାଞ୍ଚକାରୀ ଦଳ ଓ ଭକ୍ତ
ଅପରାହ୍ନ ୨ରେ ଖୋଲିବ, ଘଣ୍ଟାଏ ପୂର୍ବରୁ ଦର୍ଶନ ବନ୍ଦ
୧୦ କହିଥିଲେ, ୧୭ ପଶିବେ
କଡ଼ା ସୁରକ୍ଷା ବଳୟରେ ଶ୍ରୀମନ୍ଦିର

ଆସନ୍ତାକାଲି ରତ୍ନଭଣ୍ଡାର ଯାଞ୍ଚ ପାଇଁ ଜଗମୋହନ ମରାମତି କାମ ସ୍ଥଗିତ ରହିବ, ମଧ୍ୟାହ୍ନ ଧୂପ ପରେ ଦ୍ଵିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ଅନ୍ୟାନ୍ୟ ନୀତି ସ୍ଥଗିତ ରହିବ। ମଧ୍ୟାହ୍ନ ଧୂପ ଓ ଦ୍ଵିତୀୟ ଭୋଗ ମଣ୍ଡପ କିଭଳି ନିର୍ଦ୍ଧାରିତ ସମୟରେ ଶେଷ ହେବ ତାକୁ ନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ରତ୍ନଭଣ୍ଡାର ଖୋଲିବା ପାଇଁ ନିଯୁକ୍ତ ଅଧିକାରୀ, ବିଶେଷଜ୍ଞ ଓ ଅନ୍ୟ ସହଯୋଗୀ ଅଧିକାରୀମାନେ ଧାର୍ଯ୍ୟ ସମୟ ଶ୍ରୀମନ୍ଦିର ଉପବନରେ ଥିବା ବିଶ୍ରାମ ଗୃହରେ ଉପସ୍ଥିତ ରହିବେ। ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସ୍‌ପି ସେମାନଙ୍କୁ ଭଣ୍ଡାର ଖୋଲିବା ପ୍ରକ୍ରିୟା ଉପରେ ଅବଗତ କରାଇବେ। ଜଗମୋହନ ଗର୍ଭଗୃହ ଭିତର ପ୍ରତିହାରୀ ପାଳିଆଙ୍କ ଦ୍ଵାରା ଶୋଧ କରାଯିବ। ଜୟବିଜୟ ଦ୍ଵାର ଓ କଳାହାଟ ଦ୍ଵାରରେ ଜେଟିପି ଓ ଜଣେ ଲେଖାଏଁ ଦ୍ଵାରଘର ପ୍ରତିହାରୀ ଉପସ୍ଥିତ ରହିବେ। ପ୍ରାଧିକୃତ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କାହାରିକୁ ଭିତରକୁ ଛଡାଯିବ ନାହିଁ ବୋଲି ବ୍ୟବସ୍ଥାବଳିରେ ରହିଛି।

ଅନ୍ୟପକ୍ଷରେ ରତ୍ନଭଣ୍ଡାର ରହସ୍ୟକୁ ରହସ୍ୟ ଭିତରେ ରଖିବାକୁ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ତାର ଉଦ୍ୟମ ଜାରି ରଖିଛି। ଶ୍ରୀମନ୍ଦିର ପ୍ରଶାସନ ଏ ନେଇ ପ୍ରତିନିଧିମାନଙ୍କୁ ଶପଥ ପାଠ କରାଇଥିବା ଜଣାପଡ଼ିଛି। ମହାପ୍ରଭୁ ଲୋକନାଥଙ୍କ ହଲପ(ରାଣ ଦେଇ ଶପଥପାଠ) କରାଯାଇଥିବା କୁହାଯାଉଛି। ରତ୍ନଭଣ୍ଡାର ଖୋଲିବା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମନ୍ଦିର ବାହାରେ ଜନଗହଳିକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ମନ୍ଦିର ଭିତରକୁ ଯିବା ବେଳେ ଓ ଆଉଥରେ ବେହରଣ ଦ୍ଵାର ନିକଟରେ ପୁଲିସ ପକ୍ଷରୁ ଯାଞ୍ଚ୍‌ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର