ଆଜି ଠାରୁ ବିଜେପିର ‘ମଣ୍ଡିଚାଲ ଅଭିଯାନ’

ଧାନ ସଂଗ୍ରହରେ ଅନିୟମିତତା ଅଭିଯୋଗ

ଭୁବନେଶ୍ୱର: ଧାନ ସଂଗ୍ରହରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଛି ବିଜେପି। ଗତକାଲି ଏହି ପ୍ରସଙ୍ଗରେ ରାଜ୍ୟ କାର୍ଯ୍ୟାଳୟରେ ଚାଷୀ ପ୍ରତିନିଧିମାନଙ୍କୁ ନେଇ ବିଜେପି କୃଷକ ମୋର୍ଚ୍ଚାର ସଭାପତି ଶିବାଜୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧାନ ମଣ୍ଡି ନ ଖୋଲିବା, ଚାଷୀଙ୍କ ଠାରୁ ଧାନ ସଂଗ୍ରହରେ ବିଳମ୍ବ, ଏଫ୍‌ଏକ୍ୟୁ ଆଳରେ କ୍ୱିଣ୍ଟାଲ ପ୍ରତି ୩ କେଜିରୁ ୧୦ କେଜି ପର୍ଯ୍ୟନ୍ତ ଧାନ କାଟିଦେବା, ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା, ମିଲ୍‌ ମାଲିକ-ଜିଲ୍ଲା ପ୍ରଶାସନ-ସମବାୟ ବିଭାଗର ମଧୁଚନ୍ଦ୍ରିକାରେ ଚାଷୀଙ୍କୁ ଶୋଷଣ ଆଦିର ଅଭିଯୋଗ ଚାଷୀ ପ୍ରତିନିଧିମାନେ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ବିଜେପିର ‘ମଣ୍ଡିଚାଲ ଅଭିଯାନ’ ଆରମ୍ଭ ହେବ। ବିଜେପି କୃଷକ ମୋର୍ଚ୍ଚା ତରଫରୁ ରାଜ୍ୟର ସମସ୍ତ ମଣ୍ଡିକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରାଯିବ ବୋଲି ମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ସୂଚନା ଦେଇଛନ୍ତି।

ଏକ ପ୍ରେସ୍‌ ବିବୃତିରେ ଶ୍ରୀ ବିଶ୍ୱାଳ କହିଛନ୍ତି, ଧାନ ସଂଗ୍ରହ କରିବାକୁ ନେଇ ଏକ ଗାଇଡ୍‌ଲାଇନ୍‌ ଥିବା ସତ୍ତ୍ୱେ ସମସ୍ତ ମଣ୍ଡିରେ ବ୍ୟାପକ ଅନିୟମିତତା ଦେଖାଦେଇଛି। କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୫୦ ଟଙ୍କା ଧାର୍ଯ୍ୟ କରିଥିଲା ବେଳେ ଶାସକ ବିଜେଡିର ପ୍ରରୋଚନାରେ ମଣ୍ଡିଗୁଡ଼ିକରେ କମ୍‌ ମୂଲ୍ୟରେ ଧାନ ସଂଗ୍ରହ କରାଯାଉଛି। ଶାସକ ବିଜେଡି ଓ ଧାନ ମିଲର୍‌ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଛନ୍ତି। ଆଗାମୀ ଦିନରେ ଚାଷୀର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ମଣ୍ଡିରେ ପ୍ରତିବାଦ ସହ ଚାଷୀର ହକ୍‌ ପାଇଁ ଲଢ଼େଇ କରାଯିବ।

ସମ୍ବନ୍ଧିତ ଖବର