ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ଅଭିଯାନ

ମୁଖ୍ୟମନ୍ତ୍ରୀ ଯୋଗଦେବେ, ବରିଷ୍ଠ ନେତା ବି, ବିଜେଡି ନିଶାଣରେ ରମଣ, ବିଜେପି

ବ୍ରଜରାଜନଗର: ବିଜେଡିର ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ବୁଧବାର ଆରମ୍ଭ ହେଉଛି। ମହାନଦୀର ଓଡ଼ିଶାରେ ପ୍ରବେଶ ପଥ ଶୁଖାସୋଢ଼ାଠାରେ ଏକ ସମାବେଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନିଜେ ଏହି ଅଭିଯାନ ଆରମ୍ଭ କରିବେ। ବିଜେଡିର ସବୁ ତୁଙ୍ଗ ନେତା ଆଜି ସୁଦ୍ଧା ସେଠାରେ ପହଞ୍ଚିଗଲେଣି। ବରଗଡ଼ର ଆମ୍ବାଭୋନା ବ୍ଲକର ଚିଖିଲିଠାରେ ମଧ୍ୟ ନବୀନ ଅନ୍ୟ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ଏହି ଯାତ୍ରା ମହାନଦୀ ଅବବାହିକାର ୧୫ଟି ଜିଲ୍ଲା ଦେଇ ୧୫ ଦିନ ପର୍ଯ୍ୟନ୍ତ ଚାଲିବ।

ଏହି ଅଞ୍ଚଳଟି ଛତିଶଗଡ଼ ସୀମାନ୍ତବର୍ତ୍ତୀ ହୋଇଥିବାରୁ ଶାସକ ବିଜେଡି ଏଠାରେ ସମାବେଶ କରି କେବଳ ଯେ ମହାନଦୀ ଷଡ଼୍‌ଯନ୍ତ୍ର ସଂପର୍କରେ ଲୋକଙ୍କୁ ଅବଗତ କରାଇବାକୁ ଚାହୁଁଛି ତା ନୁହେଁ, ବରଂ ଏକ ବଡ଼ ମାଷ୍ଟର ଷ୍ଟ୍ରୋକ୍‌ ଖେଳିବା ଲାଗି ଯୋଜନା କରିଛି। ସୁଖାସୋଢ଼ା ସମାବେଶ ପରୋକ୍ଷରେ ଛତିଶଗଡ଼ ବିଜେପି ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ଅକଳରେ ପକାଇବ। କେବଳ ସେତିକି ନୁହେଁ, ରାଜ୍ୟ ବିଜେପିକୁ ମଧ୍ୟ ପଶ୍ଚିମ ଓଡ଼ିଶାରେ ରୋକିବା କ୍ଷେତ୍ରରେ ଏହା ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହେଇପାରେ। ଗତ ସାଧାରଣ ନିର୍ବାଚନରେ ରମଣ ସିଂ ଝାରସୁଗୁଡ଼ା ଜିଲ୍ଲା ସୀମାବର୍ତ୍ତୀ ଲଖନପୁର ବ୍ଲକ୍‌ରେ ପ୍ରଚାର ଚଳାଇଥିଲେ। ବିଜେପୁର ନିର୍ବାଚନରେ ମଧ୍ୟ ଛତିଶଗଡ ନେତାଙ୍କ ପ୍ରଭାବ କାହାକୁ ଅଜଣା ନାହିଁ। ପଞ୍ଚାୟତ ନିର୍ବାଚନରେ ଛତିଶଗଡ ବିଜେପିର ମାଳ ମାଳ ନେତା ଏଠାରେ ଡେରା ପକାଇଥିଲେ। ଏଣୁ ରମଣ ସିଂଙ୍କ ଷଡ଼୍‌ଯନ୍ତ୍ରକୁ ବିଜେଡି ଯେତିକି ପଦାକୁ ଟାଣିବ, ତାଙ୍କୁ ଯେତିକି ଅଧିକ ଓଡ଼ିଶା ବିରୋଧୀ ବୋଲି ଚିତ୍ରଣ କରିବ, ତାହା ପଶ୍ଚିମରେ ପଦ୍ମକୁ ସେତିକି ଶୁଖାଇବାରେ ସାହାଯ୍ୟ କରିବ ବୋଲି ରାଜନୈତିକ ମହଲ ବିଚାର କରୁଛନ୍ତି। ମହାନଦୀରେ ଛତିଶଗଡ଼ ଏକଚାଟିଆ ଭାବେ ବ୍ୟାରେଜ ନିର୍ମାଣ କରିବା ପ୍ରସଙ୍ଗ ଏବେ ଓଡ଼ିଶା ପାଇଁ ଚିନ୍ତାର କାରଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଏହାକୁ ଏକ ବଡ଼ ପ୍ରସଙ୍ଗ ଭାବେ ନେଇ ସରକାରୀସ୍ତରରେ ତନାଘନା କରୁଛନ୍ତି ତା ନୁହେଁ, ବିଜେଡି ବି ଏହି ପ୍ରସଙ୍ଗକୁ ଓଡ଼ିଶାରେ ଏକ ଜନଆନ୍ଦୋଳନର ରୂପ ଦେବାକୁ ଉଦ୍ୟମ ଚଳାଇଛି। ଅଭିଯାନକୁ ଅଧିକ ପ୍ରଚାର ପ୍ରଚାର କରିବା ପାଇଁ ଦଳର ଏକ ସ୍ୱତନ୍ତ୍ର ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି। ୨୦୧୪ ନିର୍ବାଚନ ଫଳାଫଳ ମଧ୍ୟ ମେ’ ମାସ ୧୬ ତାରିଖରେ ପ୍ରକାଶ ପାଇଥିଲା। ଏଥିରେ ବିଜେଡି ବିପୁଳ ବିଜୟ ହାସଲ କରିଥିଲା। ମହାନଦୀ ମହାସଂଗ୍ରାମ ମେ’ ୧୬ ତାରିଖରୁ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ୧ ନଂ ବୁଥ୍‌ ଶୁଖାସୋଢ଼ାରୁ ଆରମ୍ଭ ହେଉଛି। ସମ୍ଭବତଃ ଏହି ଦିନକୁ ବିଜେଡି ଶୁଭ ବୋଲି ବିଚାର କରି ପଶ୍ଚିମରୁ ହିଁ ଜନମତ ଗୋଟାଇବା (ଆସନ୍ତା ନିର୍ବାଚନକୁ ଲକ୍ଷ୍ୟ ରଖି) ପାଇଁ ଯୋଜନା କରିଛି।

ମହାନଦୀ ମହାସଂଗ୍ରାମ ନିର୍ବାଚନୀ ମାଷ୍ଟରଷ୍ଟ୍ରୋକ୍‌

ଏମିତିରେ ବି ସ୍ଥାନୀୟ ଜନସାଧାରଣଙ୍କୁ ନିଜ ସପକ୍ଷରେ ନେବା ଲାଗି ବିଜେଡି ଢେର୍‌ ଆଗରୁ ଏଠାରେ କସରତ କରିଥିଲା। ପୂର୍ବରୁ ଇବ୍‌ ବ୍ରିଜ୍‌ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଥିଲା ଓ ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ଲଖନପୁର ବ୍ଲକ୍‌ରେ ଏକ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥିଲା। ସେହିଭଳି ଉପାନ୍ତ କୁହାଯାଉଥିବା ସ୍ଥାନୀୟ ୧୯ ଖଣ୍ଡ ମୌଜାରେ ମହୁଲପାଲି ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଏବଂ ବୃହତ୍‌ ଏଲ୍‌ଆଇ ପଏଣ୍ଟ ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବା ଲାଗି ଲକ୍ଷ୍ୟ ରଖି ସ୍ଥାନୀୟ ଲୋକଙ୍କ ମନ ଜିଣିବାକୁ ସରକାର ଉଦ୍ୟମ ଚଳାଇଛନ୍ତି। ସବୁଠାରୁ ବଡ଼ କଥା ହେଲା, ମାସକ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ନିର୍ବାଚନମଣ୍ଡଳୀକୁ ଦ୍ୱିତୀୟ ଗସ୍ତ ସ୍ୱାଭାବିକ ଭାବେ ଏ ଅଞ୍ଚଳର ରାଜନୈତିକ ବାତାବରଣକୁ ବେଶ୍‌ ସରଗରମ କରିଛି। ଛତିଶଗଡ଼ ରାୟଗଡ଼ ଜିଲ୍ଲାର ଜନସାଧାରଣ ଏବଂ ବିଶେଷ କରି ଚାଷୀଙ୍କ ମଧ୍ୟରେ ରମଣ ସିଂ ସରକାର ବିରୋଧରେ ଏକ ବଡ଼ ଧରଣର ଅସନ୍ତୋଷ ମୁଣ୍ଡ ଟେକୁଛି। ଏହି ଅଂଚଳରେ ଓଡ଼ିଆ ଭାଷାଭାଷୀ ଲୋକଙ୍କର ପ୍ରଭାବ ମଧ୍ୟ ରହିଛି। ବହୁ ଚାଷୀ ଆସନ୍ତାକାଲି ସମାବେଶରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଥିବା ‘ସମ୍ବାଦ ଟିମ୍‌’ର ଅନୁସଂଧାନରୁ ଜଣାପଡ଼ିଛି। ଏହି ୧୯ ଖଣ୍ଡ ମୌଜାରେ ଉଠୁଥିବା ବିଚ୍ଛିନ୍ନତାର ସ୍ୱର ଏବେ ଛତିଶଗଡ଼ ସୀମାବର୍ତ୍ତୀ ଅଂଚଳରେ ପ୍ରସାରିତ ହେବ। ଏହା ଛତିଶଗଡ଼ ସରକାରଙ୍କ ମୁଣ୍ଡବିନ୍ଧା ବଢ଼ାଇ ଦେଇଛି। ଉଲ୍ଲେଖଯୋଗ୍ୟ, ବିଜେଡିର ଅଭିଯାନ ଶୁଖାସୋଢ଼ାରେ ମହାନଦୀର ଶୁଷ୍କ ବାଲିରୁ ବାହାରି ଓଡ଼ିଶାର ପୂର୍ବ ଭାଗରେ ଥିବା ପାରାଦୀପ ବଙ୍ଗୋପ ସାଗରରେ ପହଞ୍ଚିବ।

ସମ୍ବନ୍ଧିତ ଖବର