ଦଶପଲ୍ଲା ବ୍ଲକ୍‌ରେ ପାଇଖାନା ନିର୍ମାଣରେ ଘୋର ଦୁର୍ନୀତି : ମୃତ ବ୍ୟକ୍ତିଙ୍କ ନାଁରେ ପାଇଖାନା, ବ୍ୟବହାରରେ ଆସୁନି; ଭିଜିଲାନ୍ସ ତଦନ୍ତ ଦାବି

ଦଶପଲ୍ଲା: କାମରେ ଆସୁନି ପାଇଖାନା। କେଉଁଠି ନିର୍ମାଣ କାର୍ଯ୍ୟକୁ କିଛି ମାସ ବିତିଥିବା ବେଳେ ଭାଙ୍ଗିରୁଜି ମାଟିରେ ମିଶିଗଲାଣି ତ ଆଉ କେଉଁଠି ବ୍ୟବହାର କରିବା ପୂର୍ବରୁ ଅକାମି ହୋଇ ପଡ଼ିଲାଣି। ପୁଣି ଆଉ କେଉଁଠି ମୃତ ବ୍ୟକ୍ତିଙ୍କ ନାମରେ ବିଲ୍ ଉଠାଇ ନିଆଯାଇଛି ତ ପୁଣି କିଏ ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ ମାଗିଲେ ନିଜ ଦୋଷ ଦୁର୍ବଳତାକୁ ଘୋଡ଼ାଇବାକୁ ଯାଇ ଜାଣିଶୁଣି ତଥ୍ୟ ଦିଆଯାଉନି। କେନ୍ଦ୍ର ସରକାରଙ୍କ ଏହି ଲୋକାଭିମୁଖୀ ସ୍ବଚ୍ଛ ଭାରତ ମିସନ (ଗ୍ରାମୀଣ) ଯୋଜନାକୁ ଲକ୍ଷ୍ୟ କଲେ ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ତେଣ୍ତାବାଡ଼ି, ସରିଗଣ୍ତା, ଭୋଗବାଡ଼ି, କୁଲୁରୁକୁମ୍ପା, ନୂଆଗାଁ ଓ ବାଣିଗୋଚ୍ଛା ଆଦି ପଞ୍ଚାୟତରେ ପାଇଖାନା ନିର୍ମାଣ ଦୁର୍ନୀତିର ସୀମା ଟପିଛି। କେଉଁଠି ନିଜେ ହିତାଧିକାରୀ ପାଇଖାନା ନିର୍ମାଣ କରି ମାସ ମାସ ଧରି ବିଲ୍ ପାଇ ପାରୁନଥିବା ବେଳେ ଏଠି କିନ୍ତୁ ବାହାରର କିଛି ଠିକାଦାରଙ୍କୁ ଯନ୍ତ୍ରୀ ହାତ କରି ମାଲାମାଲ୍ ହେବାରେ ଲାଗିଛନ୍ତି।

ପ୍ରତି ପରିବାରରେ ପାଇଖାନା ନିର୍ମାଣ ପାଇଁ ୧୨ ହଜାର ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ପାଇଖାନା ନିର୍ମାଣ ପାଇଁ ଯେଉଁ ରକମର ସରଞ୍ଜାମ ବ୍ୟବହାର କରାଯିବା କଥା, ତାହା ବ୍ୟବହାର କରାଯାଉ ନଥିବା ଅଭିଯୋଗ ଆସିଛି। ପ୍ୟାନେଲ୍‌, ଟାଙ୍କି, ପାଇପ୍ ପ୍ରଭୃତି ବିଭିନ୍ନ ସରଞ୍ଜାମ ଅତି ନିମ୍ନମାନର ବ୍ୟବହାର କରାଯାଉଛି, ଯାହାକୁ ନେଇ କିଛି ବ୍ୟକ୍ତି ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପାଇଖାନା ନିର୍ମାଣ ସମୟରେ ହିତାଧିକାରୀମାନେ ଅଭିଯୋଗ କରୁଥିଲେ ମଧ୍ୟ ଏଥି ପ୍ରତି କେହି ଗୁରୁତ୍ବ ଦେଉ ନାହାନ୍ତି। ବରଂ ଅଧିକାଂଶ ସ୍ଥାନରେ ପୁରୁଣା ପାଇଖାନା ଦେଖାଇ ବିଲ୍ କରାଯାଉଥିବା ବେଳେ କେଉଁଠି ମୃତ ବ୍ୟକ୍ତିଙ୍କ ନାମରେ ତ ପୁଣି କେଉଁଠି ହିତାଧିକାରୀ ନ ଜାଣି ବିଲ୍ ଉଠାଇ ନିଆଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ହୋଇ ପାରି ନଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଯୋଜନାର ପ୍ରକୃତ ରହସ୍ୟ ସାମ୍ନାକୁ ଆସି ପାରିବ ବୋଲି ଦାବି ହେଉଛି।

ସମ୍ବନ୍ଧିତ ଖବର