ବିଲ, ବାଡ଼ି, ଜଙ୍ଗଲରେ ପାଇଖାନା ପ୍ରଦର୍ଶନୀ!

କରୋନା ଖୋଲୁଛି ସ୍ୱଚ୍ଛଭାରତ ଗୁମର, ଦୁର୍ନୀତିକୁ ମାନିଲେ ଅଧୀକ୍ଷଣ ଯନ୍ତ୍ରୀ

ବଲାଙ୍ଗୀର: ଗାଁ ଗାଁରେ ପାଇଖାନା ଦୁର୍ନୀତି। ସବୁଠି ପାଇଖାନା ଟଙ୍କାରୁ ହୋଇଛି ଚଳୁ। କେଉଁଠି ଲୋକଙ୍କ କ୍ଷେତରେ ପାଇଖାନା ତ ଆଉ କେଉଁଠି ରାସ୍ତାକଡ଼ରେ ପାଇଖାନା। ବିଲବାଡ଼ି ସବୁଠି ପାଇଖାନା ତିଆରି ହୋଇଛି। ହେଲେ କିଛି ବି କାମରେ ଲାଗୁନି। ଲୋକେ ଯେମିତି ବାହାରକୁ ଶୌଚ କରିବାକୁ ଯାଉଥିଲେ, ଆଜି ବି ଠିକ୍‌ ସେମିତି ଯାଉଛନ୍ତି। ସାରା ବଲାଙ୍ଗୀର ଜିଲ୍ଲାରେ ୪୦୦ କୋଟି ଟଙ୍କାର ପାଇଖାନା ଦୁର୍ନୀତି ଖବର ‘ସମ୍ବାଦ’ରେ ପ୍ରକାଶିତ ହେବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଦୁର୍ନୀତିକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ ଜୟନାରାୟଣ ସିଟ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲାରେ ମୋଟ ୩୪୩୯୮୪ ପାଇଖାନା ନିର୍ମାଣ ହୋଇଥିବା ବେଳେ ପ୍ରାୟ ୪୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ସରକାରୀ ଅଧିକାରୀ, କର୍ମଚାରୀଙ୍କଠାରୁ ନେଇ ନେତା, ଠିକାଦାର ସଭିଏଁ ଭାଗବଣ୍ଟା କରିଛନ୍ତି। ଏବେ ଦାଦନଙ୍କ ସଂଗରୋଧରେ ପାଇଖାନା ବାଧକ ସାଜିବା ପରେ ସବୁ ଚିତ୍ର ସାମ୍ନାକୁ ଆସିଛି। ବିଭିନ୍ନ ମହଲରେ ପାଇଖାନା ଦୁର୍ନୀତିକୁ ନେଇ ତୀବ୍ର ଉଦ୍‌ବେଗ ପ୍ରକାଶ ପାଇଛି। ୪୦୦କୋଟି ପାଇଖାନା ଦୁର୍ନୀତି ପ୍ରସଙ୍ଗରେ ଆମେ ଅଧୀକ୍ଷଣ ଯନ୍ତ୍ରୀ ଇଂ. ସିଟଙ୍କୁ ସାକ୍ଷାତ କରିଥିଲୁ। ସେ ଏହି ଦୁର୍ନୀତିକୁ ନେଇ ପ୍ରଥମେ କିଛି କହିବାକୁ ସଫା ସଫା ମନା କରି ଦେଇଥିଲେ। କହିଥିଲେ, ସଚିବଙ୍କ ନିର୍ଦେଶ ନହେଲେ ସେ କିଛି କହିପାରିବେ ନାହିଁ। ପରେ ସେ ‘ସମ୍ବାଦ’ ଖବରକୁ ନେଇ ସେ କହିଥିଲେ, ନିର୍ବାହୀ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛ ଭାରତ ମିସନ ଯୋଜନା କାର୍ଯ୍ୟକାରୀ ହେଉଥିଲା। ମନିଟରିଂ ସେହି ସ୍ତରରେ ସବୁ ହୁଏ। ଏଥିସହିତ, ସାରା ଜିଲ୍ଲାରେ ପାଇଖାନା ବ୍ୟବହାର ଉପଯୋଗୀ ନହେବାଟାକୁ ବି ସେ ସ୍ୱୀକାର କରିଥିଲେ। ସବୁଠି ଏମିତି ହେଉଛି ବୋଲି ସେ କହିଥିଲେ।ଏଥିସହିତ, ଏହି ଦୁର୍ନୀତି ଘଟଣାର ତଦନ୍ତ ହେବ ବୋଲି କହିଥିଲେ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ସିଟ।

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ବ୍ଲକ୍‌ ସ୍ତରରେ ଥିବା କନିଷ୍ଠ ଯନ୍ତ୍ରୀଗଣ ଏବେ ଛାନିଆଁ ହେବା ଆରମ୍ଭ କଲେଣି। ଧାମନଡଙ୍ଗା ପଞ୍ଚାୟତରେ ପାଇଖାନା ନିର୍ମାଣ ଯେଉଁ ଜେଇଙ୍କ ଦାୟିତ୍ୱରେ ଥିଲା ସେ ହଡ଼ବଡ଼େଇ ଯାଇଛନ୍ତି। ତୁରେକେଲା ଜେଇ ସୁଧାକର ପଣ୍ଡା ହିଁ କେତେଜଣଙ୍କ ସହଯୋଗରେ ପାଇଖାନା ଦୁର୍ନୀତି କରିଥିବା ଅଂଚଳବାସୀ ଅଭିଯୋଗ କରୁଛନ୍ତି। ସେହିପରି ବେଲପଡ଼ା ବ୍ଲକର ଯେଉଁ ଜେଇ ପାଇଖାନା ନିର୍ମାଣର ତଦାରଖ କରୁଥିଲେ ତାଙ୍କ କାମକୁ ନେଇ ବି ଲୋକେ ପ୍ରଶ୍ନ କରିଛନ୍ତି।

ବୁଧବାର ‘ସମ୍ବାଦ’ ଟିମ୍‌ ମୁରିବାହାଲ ବ୍ଲକ କର୍ଲାବାହାଲି ଗାଁକୁ ଯିବା ପରେ ବ୍ଲକର ଜେଇ ସଂଯୁକ୍ତା ଲାକ୍ରା ହଡ଼ବଡ଼େଇ ଯାଇଥିଲେ। ସେ ତାଙ୍କ ପଟୁ ‘ସମ୍ବାଦ’ ପ୍ରତିନିଧିଙ୍କୁ ଫୋନ କରି ପାଇଖାନା ପ୍ରସଙ୍ଗରେ ଯାହା ତଥ୍ୟ ତାଙ୍କଠୁ ନେବାକୁ କହିଥିଲେ। ଅନ୍ୟପଟେ କର୍ଲାବାହାଲି ଗାଁର ଦୁର୍ନୀତି ଜଳଜଳ ହୋଇ ସାମ୍ନାକୁ ଆସିଛି। ଗାଁରେ ଯାହା ପାଇଖାନା ନିର୍ମାଣ ହୋଇଛି କେଉଁଟା ବିଲ ଭିତରେ ତ ଆଉ କେଉଁ ପାଇଖାନାରେ ଦୁଇ ତିନୋଟି ନାଁ ବଦଳାଇ ବିଲ୍‌ କରାଯାଇଛି। ଗୋଟା ଗୋଟା ପାଇଖାନା ଟଙ୍କା ହଡ଼ପ ହୋଇଛି। କର୍ଲାବାହାଲି ଗାଁର ତ୍ରିନାଥ ରଣାଙ୍କ ପାଇଖାନା ନିର୍ମାଣ ହୋଇଥିଲା। ହେଲେ ତାଙ୍କ ପାଇଖାନାରେ ତାଙ୍କ ସଂପର୍କୀୟ ଭାଇଙ୍କ ଫଟୋ ନିଆଯାଇଥିଲା। ସେହି ଟଙ୍କା ସେମାନେ ଆଜି ପର୍ଯ୍ୟନ୍ତ ପାଇନଥିବା କହିଛନ୍ତି। କିଏ ନେଲା ପାଇଖାନା ଟଙ୍କା? ସେହିପରି ଗାଁର ଗିରିଧାରୀ ରଣା ଗତ ୫ ବର୍ଷ ହେଲା ପାଇଖାନା ପାଇଁ ଆବେଦନ କରୁଥିଲେ ବି ତାଙ୍କୁ ମିଳିନଥିବା ପ୍ରକାଶ କରିଛନ୍ତି। କେତେ ଜଣ ଗାଁର ଲୋକ ଜେଇଙ୍କୁ ଲାଞ୍ଚ ଦେଇଥିଲେ ବି ତାଙ୍କ କାମ ହୋଇନଥିବା ଅଭିଯୋଗ କରୁଛନ୍ତି। ଏଭଳି ଭାବରେ ଏବେ ଯେଉଁ ଗାଁକୁ ଗଲେ ପାଇଖାନା ଦୁର୍ନୀତିରେ ତଳୁ ଉପର ସଭିଏଁ ସାମିଲ ଥିବା ଜଣାପଡ଼ୁଛି। ବଲାଙ୍ଗୀର ଜିଲ୍ଲାର ବେଲପଡ଼ା, ତୁରେକେଲା, ପାଟଣାଗଡ଼, ଖପ୍ରାଖୋଲ, ମୁରିବାହାଲ, ସଇନ୍ତଲା ଆଦି ବ୍ଲକର ବହୁ ଗାଁର ତଥ୍ୟ ‘ସମ୍ବାଦ’ ଲୋକଲୋଚନକୁ ଆଣିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ସବୁ କିଛି ପର୍ଦ୍ଦାଫାସ ହେବ ଓ ଦୁର୍ନୀତିଖୋର ଧରାପଡ଼ିବେ ଏଥିରେ ସନ୍ଦେହ ନାହିଁ।

ବଲାଙ୍ଗୀରରେ ଶହଶହ ଦେଉଳି! ଆଗକୁ ତଦନ୍ତ କରିବ ତ ଭିଜିଲାନ୍ସ?
ବଲାଙ୍ଗୀର ଭିଜିଲାନ୍ସ ଏକଦା ନମ୍ବର ୧ ମାନ୍ୟତା ପାଇଥିଲା। ଏ ଜିଲ୍ଲାର ଜିଲ୍ଲାପାଳଙ୍କୁ ବାନ୍ଧିବାକୁ ପଛେଇନଥିଲା ବିଭାଗ। ହେଲେ ଏବେ ବିଭାଗର ସେହି ଦବଦବା ଆଉ ଆଗଭଳି ନାହିଁ। ପାଇଖାନା ଦୁର୍ନୀତି ସବୁଠି ହୋଇଛି। ଗାଁ ଗାଁରେ ଦୁର୍ନୀତି ହୋଇଛି ଓ ସାରାଜିଲ୍ଲାରେ ୪୦୦କୋଟିର ମହାଦୁର୍ନୀତି ହୋଇଛି। ହେଲେ ଏଯାଏ ଭିଜିଲାନ୍ସରେ ମାତ୍ର ଗୋଟିଏ ମାମଲା ରୁଜୁ ହୋଇଛି। ଜିଲ୍ଲାର ଯେଉଁ ଗାଁକୁ ଗଲେ ପାଇଖାନା ଦୁର୍ନୀତି ଜଳଜଳ ହୋଇ ଦିଶୁଛି। କିନ୍ତୁ ମାତ୍ର ଗୋଟିଏ ପଂଚାୟତର ଗୋଟିଏ ଗାଁର ମାମଲା ଭିଜିଲାନ୍ସ ସାମ୍ନାକୁ ଆଣିବାରେ ଏଯାଏ ସଫଳ ହୋଇଛି। ସେହି ମାମଲା ବି ଦୁର୍ନୀତି ଜିଲ୍ଲାରେ କେଉଁ ସ୍ତରକୁ ପହଞ୍ଚିଲାଣି ତାହା ସୂଚାଇ ଦେଉଛି। ଭିଜିଲାନ୍ସ ସଇନ୍ତଲା ବ୍ଲକ୍‌ ଘୁନସର ପଂଚାୟତର ଦେଉଳି ଗାଁର ପାଇଖାନା ଦୁର୍ନୀତିକୁ ନେଇ ଖୋଲତାଡ଼ କରି ମାମଲା ରୁଜୁ କରିଛି। ଦେଉଳି ଗାଁରେ ସଇନ୍ତଲା ବ୍ଲକ୍‌ ଆର୍‌ଡବ୍ଲୁଏସ୍‌ଏସ୍‌ ଜେଇ ପ୍ରଭାତ ସେଠୀ, ଦେଉଳି ଗାଁର ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପରିମଳ କମିଟି ସଭାପତି ମୀନକେତନ ସେଠ, ସଂପାଦକ ଶିବପ୍ରସାଦ ସେଠ ମିଶି ୩୭ ଜଣ ହିତାଧିକାରୀଙ୍କ ନାଁରେ ୪ଲକ୍ଷ ୪୪ହଜାର ଟଙ୍କା ପାଇଖାନା ନାଁରେ ହଡ଼ପ କରିଥିଲେ। ଗାଁର ୩୭ ଜଣ ଲୋକ ୨୦୦୯-୧୦ ମସିହାରେ ଗ୍ରାମ ବିକାଶ ଯୋଜନାରେ ପାଇଖାନା ନିର୍ମାଣ କରିଥିଲେ। ସେହି ସବୁ ପାଇଖାନାକୁ ସ୍ୱଚ୍ଛ ଭାରତ ମିସନରେ ନିର୍ମାଣ କରାଯାଇଥିବା ଦର୍ଶାଇ ଏହି ମହାଦୁର୍ନୀତି ହୋଇଥିଲା। ଏବେ ତିନି ଜଣଙ୍କ ନାଁରେ ଭିଜିଲାନ୍ସ ମାମଲା ରୁଜୁ କରିଛି। ତେବେ ଜିଲ୍ଲାରେ କେବଳ ଦେଉଳି ନୁହଁ, ଶହ ଶହ ଗାଁରେ ଏଭଳି ବିଭିନ୍ନ ଉପାୟରେ ପାଇଖାନା ଦୁର୍ନୀତି ସବୁ ହୋଇଛି। ଦେଉଳି ଗାଁରୁ ଜେଇଙ୍କ ଚେର ଆଉ କେଉଁ ଗାଁକୁ ଲମ୍ବିଛି? ବିଡିଓ କେମିତି ବିଲ୍‌ ପାସ କରିଦେଇଥିଲେ? ଜେଇଙ୍କ ଭାଗରୁ ଉପର ମହଲାର ବାବୁଙ୍କ ଭାଗ କେତେ? ଏସବୁର ଖୋଲତାଡ଼ ଭିଜିଲାନ୍ସ କଲେ ଆଉ ଅଧିକ ଦୁର୍ନୀତିର ଲିଙ୍କ୍ ବାହାରିବ। ଏହାସହ ଅନ୍ୟ ବ୍ଲକ୍‌ର ଦୁର୍ନୀତିର ତଦନ୍ତ କରିବାକୁ ମଧ୍ୟ ଲୋକେ ଦାବି କରୁଛନ୍ତି। ଭିଜିଲାନ୍ସ ବିଭାଗ ଯଦି ଜିଲ୍ଲା ସାରା ପାଇଖାନା ଦୁର୍ନୀତିର ତଦନ୍ତ କରେ ତାହେଲେ ୪୦୦କୋଟି ମହାଦୁର୍ନୀତିର ପର୍ଦ୍ଦାଫାସ ହୋଇପାରିବ।

ସମ୍ବନ୍ଧିତ ଖବର