ଲୋଇସି˚ହା ବ୍ଲକ୍‌ରେ ପାଇଖାନା ଦୁର୍ନୀତି! : ଭୂତ ଓ ସ୍ବଚ୍ଛଳଙ୍କ ନାଁରେ ଉଠିଛି ଅନୁଦାନ ଅର୍ଥ

ଲୋଇସି˚ହା : ଲୋଇସି˚ହା ବ୍ଲକ୍‌‌ ଲୋଇସି˚ହା ପଞ୍ଚାୟତ ଅର୍ନ୍ତଗତ ସୁଜିଆ ଗ୍ରାମରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭି‌େଯାଗ କରିଛନ୍ତି। ମୃତ ବ୍ୟକ୍ତି ଓ ସ୍ବଚ୍ଛଳ ଲୋକଙ୍କ ନାମରେ ଅନୁଦାନ ଅର୍ଥ ଉଠାଣ ହୋଇଥିବା ଜଣା ପଡ଼ିବା ପରେ ଗତ ଶନିବାର ଗାଁରେ ଉ‌େତ୍ତଜନା ପ୍ରକାଶ ପାଇଥିଲା। ଗ୍ରା‌ମବାସୀ ପାଇଖାନା ନିର୍ମାଣ ଦାୟିତ୍ବରେ ଥିବା କିଛି ‌ଲୋକଙ୍କୁ ଅଟକ ରଖିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏହି ଗା‌ଁରେ ଜିଲ୍ଲା ବାହାରର ଜଣେ ଠିକାଦାର ଦ୍ବାରା ୧୨୫ ଟି ପାଇଖାନା ନିର୍ମାଣ କରାଯାଇଛି। ଆଗରୁ ୫୦ ଜଣ ହିତାଧିକାରୀଙ୍କ ନାମରେ ବିଲ ଉଠାଯିବା ପରେ ଆଉ ୫୦ ଜଣଙ୍କ ନାମରେ ବିଲ ଉଠାଇବା ପାଇଁ ସ୍ଥାନୀୟ ବ୍ଲକ୍‌ର ଜେଇ କାମ ଯାଞ୍ଚ କରିବା ପାଇଁ ଯିବା ପରେ ଘଟଣାଟି ଲୋକ ଲୋଚନକୁ ଆସିଛି। କୌଶଲ୍ୟା ଧରୁଆ, ସନୁ ଭୋଇ, ମନୋଜ ସାହୁ, ଗୋବର୍ଦ୍ଧନ ଧରୁଆ, କରୁଣା ନାଏକ, କଳ୍ପନା ହନୁମାନ, ମଙ୍ଗୁଳୁ ସାହୁ, ମିତ୍ରଭାନୁ ସାହୁ, ଦେବାଶିଷ ସେଠ, ନୀଳମଣି ଧରୁଆ, ବୀରେନ୍ଦ୍ର ହନୁମାନ ସମେତ ୧୪ ଜଣ ହିତାଧିକାରୀଙ୍କ ନାମରେ ୧୨ ହଜାର ଟଙ୍କା ଲେଖାଏଁ ବିଲ ଉଠାଯାଇଥିବା ବେଳେ ଗ୍ରାମର ଲକ୍ଷ୍ମଣ ଧରୁଆ ଏବ˚ ଝାରୁ ସାହୁ ଦୁଇ ମୃତ ବ୍ୟକ୍ତି ନାମରେ ମଧ୍ୟ ବିଲ ଉଠାଯାଇଥିବା ଗ୍ରାମରେ ଚର୍ଚ୍ଚା ଜୋର ଧରିଛି। ଘଟଣାକୁ ଚପାଇବା ପାଇଁ ସୋମବାର ବ୍ଲକ୍‌ରେ ପାଇଖାନ ଯୋଜନାର ହିତାଧିକାରୀଙ୍କୁ ନେଇ ସମାଧାନ ବୈଠକ ଡକା ଯାଇଥିଲା। ହେଲେ ବିଡିଓ ଅନୁପସ୍ଥିତ ଯୋଗୁଁ ଦଶହରା ଛୁଟି ପରେ ବୈଠକ ହେବା ନେଇ ପଞ୍ଚାୟତ ପକ୍ଷରୁ ନିଯୁକ୍ତ ଜଣେ ପ୍ରବର୍ତ୍ତକଙ୍କ ଠାରୁ ସୂଚନା ମିଳିଛି। ସ୍ଥାନୀୟ ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ସଦର ଦପ୍ତରରେ ରହୁ ନଥିବା ବେଳେ ଫୋନ ଯୋଗେ ଯୋଗାଯୋଗ ସମ୍ଭବ ନ ହେବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ନିହ ଆଦୌ ଖୋଳା ନ ଯାଇ ୫ ଇଞ୍ଚ ମୋଟେଇର କାନ୍ଥ ଦିଆଯାଇଥିବା ବେଳେ ଆବଶ୍ୟକ ପରିମାଣରେ ସିମେଣ୍ଟ ବ୍ୟବହାର ହୋଇ ନ ଥିବାରୁ ଯେ କୌଣସି ସମୟରେ କାନ୍ଥ ପଡି ଯିବାର ଆଶଙ୍କା ରହିଛି। ତେଣୁ ହିତାଧିକାରୀମାନେ ଏହି ପାଇଖାନା ବ୍ୟବହାର କରିବାକୁ ଭୟ କରୁଛନ୍ତି। ଉପଯୁକ୍ତ ତଦନ୍ତ ହେଲେ ପାଇଖାନା ନିର୍ମାଣ ଅନିୟମିତତା ଜଣା ପଡ଼ନ୍ତା ବୋଲି ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର