‘କାଳିଆ’ ପାଇଁ ଟୋଲ୍‌ ଫ୍ରି ନମ୍ବର

ଭୁବନେଶ୍ବର: ରାଜ୍ୟର କୃଷକଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ‘କାଳିଆ’ ଯୋଜନାରେ ସାମିଲ୍‌ ହେବା ପାଇଁ ଏବେ ସବୁ ପଞ୍ଚାୟତ କାର୍ଯ୍ୟାଳୟରେ କୃଷକଙ୍କ ଭିଡ଼ ଜମୁଛି। ନାମ ସାମିଲ୍ କରିବା ଓ ବାଦ୍‌ ‌ଦେବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଦୁଇ ପ୍ରକାରର ଫର୍ମ ମିଳୁଛି। କେତେକ ସ୍ଥାନରେ ଆବଶ୍ୟକୀୟ ଫର୍ମ ନମିଳିବାରୁ ଆଜି ପରିସ୍ଥିତି ଅଣାୟତ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ବାଲେଶ୍ବର, ଜଗତସିଂହପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ କେତେକ ସ୍ଥାନରେ ଉତ୍ତେଜନା ଦେଖାଦେଇଥିଲା। ତେଣୁ କାଳିଆ ଯୋଜନା ସମ୍ପର୍କିତ ସମସ୍ତ ଅଭିଯୋଗର ଶୁଣାଣି ପାଇଁ ସମବାୟ ବିଭାଗ ପକ୍ଷରୁ ଆଜି ଏକ ଟୋଲ୍‌ ଫ୍ରି ନମ୍ବର ୧୮୦୦୫୭୨୧୧୨୨ ଜାରି ହୋଇଛି। ଏହି ନିଃଶୁଳ୍କ ନମ୍ବରରେ ଫୋନ୍ କରି କୃଷକମାନେ ଅଭିଯୋଗ ପଞ୍ଜୀକରଣ କରିପାରିବେ ବୋଲି କୁହାଯାଇଛି। ସମବାୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗ୍ରାମପଞ୍ଚାୟତରେ ପ୍ରକାଶିତ ହିତାଧିକାରୀ ତାଲିକାରେ ଯଦି ଚାଷୀଙ୍କର ନାମ ନଥିବ ତେବେ ସେଠାରେ ଉପଲବ୍ଧ ହେଉଥିବା ସବୁଜ ଫର୍ମ ମାଧ୍ୟମରେ ନିଜ ନାମ ଅନ୍ତର୍ଭୁକ୍ତ କରିପାରିବେ। ଏହି ଫର୍ମ ବିନା ମୂଲ୍ୟରେ ବହୁଳ ଭାବରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ‌େର ଉପଲବ୍ଧ ହେଉଛି। ଯଦି ଜଣେ ଚାଷୀ ଏହି ଯୋଜନାର ସହାୟତା ପାଇଁ ଯୋଗ୍ୟ ନୁହନ୍ତି ତେବେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ‌େର ଉପଲବ୍ଧ ନାଲିରଙ୍ଗର ଫର୍ମ ପୂରଣ କରିପାରିବେ। ଏଥିପାଇଁ ମଧ୍ୟସ୍ଥି ମାଧ୍ୟମରେ କୌଣସି ପ୍ରକାରର ସାହାଯ୍ୟ ନନେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

ଏହାସହ ଚାଷୀମାନେ ହେଲ୍ପଲାଇନ୍ ନମ୍ବର ମାଧ୍ୟମରେ ଚାଷୀମାନେ ଦରଖାସ୍ତ ଫର୍ମ କିପରି ପୂରଣ କରିବେ, ସହାୟତା ଫର୍ମ କେଉଁଠି ମିଳିବ, ଫର୍ମ ପୂରଣ କରି କେଉଁଠି ପକାଇବେ ସେ ସମ୍ପର୍କରେ ବି ସୂଚନା ପାଇପାରିବେ। ଏହି ହେଲ୍ପଲାଇନ୍ ନମ୍ବର ପ୍ରତ୍ୟେହ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲାରହିବ। ସେହିପରି କୃଷିକଙ୍କୁ କାଳିଆ ଯୋଜନା ସମ୍ପର୍କରେ ଜଣାଇବା ପାଇଁ ଆରମ୍ଭ ହୋଇଥିବା କାଳିଆ ବାର୍ତ୍ତା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧.୬୪ଲକ୍ଷ କୃଷକ ସାମିଲ୍ ହୋଇଥିବା‌େବଳେ ୨.୯୮ଲକ୍ଷ ଲୋକ କାଳିଆ ଯୋଜନାର ୱେବସାଇଟ୍ ‌େଦଖିଛନ୍ତି।

ସମ୍ବନ୍ଧିତ ଖବର