ଟୋଲ ଗେଟରେ ମିଳୁଛି ନକଲି ରସିଦ, ପ୍ରତିବାଦ କଲେ ମିଳୁଛି ମାଡ଼

ଗଞ୍ଜାମ : ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ପାଇଁ ଯାନବାହାନ ଗୁଡ଼ିକରୁ ଟୋଲ ଫି ଆଦାୟ କରାଯାଉଛି। କେନ୍ଦ୍ର ସରକାରଙ୍କ ଜାତୀୟ ରଜପଥ ଅଥରିଟି ଅଫ ଇଣ୍ଡିଆ ଦ୍ୱାରା ପରିଚାଳିତ ବିଭିନ୍ନ ସଂସ୍ଥା ମାଧ୍ୟମରେ ଟୋଲ ଫି ଆଦାୟ କରାଯାଉଛି। ଟୋଲ ଗେଟରେ ଗାଡି ଚାଳକଙ୍କୁ ନକଲି ରସିଦ ଦେଇ ଅଧିକ ଫି ଆଦାୟ କରାଯାଉଥିବା ଅଭିଯୋଗ ହେଉଛି।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିକଟରେ ଥିବା ଗୋରାପଲ୍ଳୀ ଟୋଲ ପ୍ଲାଜାରେ ସଂପୃକ୍ତ ଠିକାଦାର ବେଆଇନ ଭାବେ ଧାର୍ଯ୍ୟ ଫି ଠାରୁ ଅଧିକ ଆଦାୟ କରୁଥିବା ଅଭିଯୋଗ ହୋଇଛି। ଏହାସହ ଟୋଲ ଗେଟର ରସିଦ ନକଲି ଥିବା ଜଣାପଡ଼ିଛି। ସରକାରୀ ଧାର୍ଯ୍ୟ ମୂଲ୍ୟ ଅନୁସାରେ ଫି ନେଲେ ଅସଲି ରସିଦ ଦେଉଥିବା ବେଳେ ଅଧିକ ଫି ନେବା ବେଳେ ନକଲି ରସିଦ ଦେଉଛନ୍ତି ଟୋଲ ପ୍ଲାଜା କର୍ମଚାରୀ। ଗଞ୍ଜାମ ଜିଲ୍ଲା ଖଲିକୋଟ ୧୬ ନମ୍ବର ଜାତୀୟ ରାଜପଥ ଗୋରାପଲ୍ଳି ଟୋଲ ପ୍ଲାଜାରେ ଏଭଳି ବେଆଇନ୍‌ ଟୋଲ ଫି ଆଦାୟ କରାଯାଉଛି। ଆଉ ଏହାର ପ୍ରତିବାଦ କଲେ ଟୋଲ ପ୍ଲାଜା ପରିଚାଳକଙ୍କ ଠାରୁ ଧକ୍କା ଖାଇବାକୁ ପଡୁଥିବା ଅଭିଯୋଗ କରିଛନ୍ତି ଗାଡି ଚାଳକ।

ରିଧି ସିଧି ନାମକ ଘରୋଇ କମ୍ପାନୀ ଗୋରାପଲ୍ଳି ଟୋଲ ପ୍ଲାଜାରେ ଟୋଲ ଫି ଆଦାୟ କରୁଛି। ଟୋଲ ପ୍ଲାଜାରେ ଫି ବାବଦକୁ ଦିନକୁ ୧୮ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଆଦାୟ କରାଯାଉଛି। ତେବେ ଟୋଲ ପ୍ଲାଜାରେ ବେଆଇନ ଫି ଆଦାୟକୁ ବିରୋଧ କରିଛନ୍ତି ଟ୍ରକ ମାଲିକ। ଆଗକୁ କୌଣସି ପଦକ୍ଷେପ ନିଆନଗଲେ ଜାତୀୟ ରାଜପଥ ଅବରୋଧ କରିବା ସହ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଟ୍ରକ ମାଲିକମାନେ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଟୋଲ ପ୍ଲାଜା ପରିଚାଳକ ଏ ଅଭିଯୋଗକୁ ଖଣ୍ଡନ କରିବା ସହ ଏଥିରେ ସୁଧାର ଆଣିବେ ବୋଲି ସଫେଇ ଦେଇଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯଦି ଟୋଲ ପ୍ଲାଜାରେ ବେଆଇନ ଭାବେ ଫି ଆଦାୟ କରାଯାଉନାହିଁ ତେବେ କେଉଁଥିରେ ସୁଧାର ଆଣିବେ ବୋଲି ସଫେଇ ଦେଇଛନ୍ତି ଟୋଲ ପ୍ଲାଜା ପରିଚାଳକ।

ସମ୍ବନ୍ଧିତ ଖବର