କ୍ଷେତ ଖାଉଛି ଟମାଟୋ

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚାଷୀ ହତାଶ
ଅଭାବୀ ବିକ୍ରି: କେଜି ପ୍ରତି ଦୁଇଟଙ୍କା ବି ମିଳୁନି
ସରକାରୀ ଉଦାସୀନତା ବଢ଼ାଉଛି ସମସ୍ୟା

ବ୍ରହ୍ମପୁର (ଲମ୍ବୋଦର ପ୍ରସାଦ ଦାଶ): କୃଷିଋଣ ୪୦ ହଜାର ଟଙ୍କା ଓ ଆନ୍ଧ୍ର ବେପାରୀଙ୍କ ଠାରୁ ମାସିକ ୧୦ ପ୍ରତିଶତ ସୁଧରେ ୨୫ ହଜାର ଟଙ୍କା ଆଣି ଏକରେ ଜମିରେ ଟମାଟୋ ଚାଷ କରିଥିଲି। ସାର ଓ କୀଟନାଶକ ପାଇଁ ଆଉ ୧୫ହଜାର ଟଙ୍କାର ଉଧାର ଆଣିଛି। ସେ ପଇସା ଦେବାକୁ ବି ବାକି ଅଛି। ଟମାଟୋ ତୋଳା ପାଇଁ ତିନି ଦିନର ମଜୁରି ବାବଦ ୪ହଜାର ଟଙ୍କା ବି ଦେଇନାହିଁ। ଏବେ ୨୫ କିଲୋ ଟମାଟୋକୁ ୩୦ଟଙ୍କା ହିସାବରେ ବିକ୍ରି କରିବାକୁ ପଡ଼ୁଛି। ଏ ହିସାବରେ ଜମିରୁ ମୋଟ ଆଦାୟ ଟମାଟୋରୁ ମାତ୍ର ୮୫୦୦ ଟଙ୍କା ମିଳିବ। ଏବେ କ’ଣ କରିବି?

– ଏହା ହେଉଛି ସିପକୁଦାର ବିଧବା ଚାଷୀ ସାବିତ୍ରୀ ନାହକଙ୍କ ଉଦ୍‌ବେଗଭରା ବକ୍ତବ୍ୟ। କେବଳ ସାବିତ୍ରୀ ନୁହନ୍ତି, ଚିଲିକା କୂଳରେ ଥିବା ଗଞ୍ଜାମ ବ୍ଲକର ଝାରେଡି ରାଧାଗୋବିନ୍ଦପୁର, ସାନ ରାମଚନ୍ଦ୍ରପୁର, ସୁବଳୟା ଆଦି ତିନିଟି ପଞ୍ଚାୟତର ଶତାଧିକ ପରିବା ଚାଷୀଙ୍କ ସମଦଶା ପଡ଼ିଛି। ଏ ଅଞ୍ଚଳର ଶହ ଶହ ଟମାଟୋ ଚାଷୀ ଏବେ ହତାଶ। କିଛି ଚାଷୀ ତ କ୍ଷେତରୁ ଟମାଟୋ ତୋଳା ବନ୍ଦ କରି ଦେଇଛନ୍ତି। ମଜୁରି ଦେଇ ଟମାଟୋ ତୋଳିଲେ, ମଜୁରି ପଇସା ବି ଉଠିବନି। ଏଣୁ ପ୍ରାୟ ୪୦୦ ଏକର କ୍ଷେତରେ ଏବେ ପାଚିଲା ଟମାଟୋ ତୋଳା ନହୋଇ ଛାଡ଼ି ଦିଆ ଯାଇଛି। ଏ ଟମାଟୋ ପଚି କ୍ଷେତ ଖାଇବା ନିଶ୍ଚିତ।

ଗଞ୍ଜାମ ଜିଲ୍ଲାର ଏହି ତିନି ପଞ୍ଚାୟତର ପ୍ରାୟ ୯୦ ପ୍ରତିଶତ ଲୋକଙ୍କ ପ୍ରମୁଖ ବେଉସା ହେଲା ପନିପରିବା ଚାଷ। ଗତ ବର୍ଷ କୋବି ଓ ଟମାଟୋର ଅଭାବୀ ବିକ୍ରି ହୋଇଥିଲା। ସେହି ସମୟରେ ଋଣ ବୋଝ ସହି ନପାରି ମଧୁରଚୁଆ ଗାଁର ପରିବା ଚାଷୀ ମଙ୍ଗୁଳୁ ନାହାକ ବିଷ ପିଇ ଆତ୍ମହତ୍ୟା କରିଥିଲେ। ସେହି ଗାଁର ଅନ୍ୟଜଣେ ଚାଷୀ କାଙ୍ଗାଳି ନାହାକ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଚଳିତ ବର୍ଷ ମଧ୍ୟ ଏହି ଅଞ୍ଚଳରେ ସମାନ ଅବସ୍ଥା। ସାନ ରାମଚନ୍ଦ୍ରପୁରର ନାଏବ ସରପଞ୍ଚ ପ୍ରକାଶ ଚନ୍ଦ୍ର ନାୟକ କହିଛନ୍ତି, ଚଳିତ ବର୍ଷ ତିନିଟି ପଞ୍ଚାୟତରେ ପ୍ରାୟ ୯୦୦ ଏକର ଜମିରେ ଟମାଟୋ ଓ କୋବି ଚାଷ ହୋଇଥିଲା। ଫେବ୍ରୁଆରି ଶେଷ ବେଳକୁ ବଜାରରେ ଟମାଟୋ ଓ କୋବିର ଚାହିଦା ହ୍ରାସ ପାଇବାରେ ଲାଗିଲା। ଏହି ସମୟରେ ଟମାଟୋ ୨୫ କିଲୋ ପିଛା ୪୦ରୁ ୫୦ଟଙ୍କାରେ ବିକ୍ରି ହେଉଥିଲା। ମାର୍ଚ୍ଚ ମାସ ଆରମ୍ଭରୁ ଚାହିଦା ପୂରା ହ୍ରାସ ପାଇଲା। ବେପାରୀମାନେ କିଲୋପିଛା ଦୁଇଟଙ୍କା ଦେବାକୁ ବି ଅରାଜି ହେଉଥିବାରୁ ବର୍ତ୍ତମାନ ସାନରାମଚନ୍ଦ୍ରପୁରରେ ୬୦ ଏକର, ଡିଆଁଡେଇଁରେ ୪୦ ଏକର, ମଧୁରଚୁଆରେ ୭୦ ଏକର, ଝାରେଡିରେ ୯୦ଏକର ଜମିର ଟମାଟୋ ଅମଳ ହୋଇନପାରି ଜମିରେ ହିଁ ପଚିଯିବାକୁ ବସିଛି।

ମଧୂରଚୁହା ଗାଁର ପରିବାଚାଷୀ ଧରଣୀଧର ନାହକ ନିଜ ଭାଇ ସହ ମିଶି ୫ ଏକର ଜମିରେ ଟମାଟୋ ଚାଷ କରିଥିଲେ। ବର୍ତ୍ତମାନ ୨ଏକର ଜମିର ଟମାଟୋ ବିକ୍ରି ହୋଇଥିବା ବେଳେ ବଳକା ୩ଏକର ଜମିର ଟମାଟୋ କିଣିବାକୁ ଗ୍ରାହକ ନାହାନ୍ତି। ପ୍ରାୟ ୨ଟନ୍‌ ଟମାଟୋ ଚାଷଜମିରେ ପଡ଼ିରହି ଖତ ଖାଇବା ଅବସ୍ଥାକୁ ପହଞ୍ଚିଲାଣି।

ହିସାବ ଅନୁସାରେ, ପ୍ରତି ଏକର ଚାଷ ଜମିରେ ପ୍ରାୟ ୯ରୁ ୧୦ ପ୍ୟାକେଟ୍‌ ଟମାଟୋ ବିହନ ଲାଗିଥାଏ। ପ୍ରତି ହାଇବ୍ରିଡ୍‌ ଟମାଟୋ ବିହନ ପ୍ୟାକେଟ୍‌ର ବଜାର ମୂଲ୍ୟ ୩୫୦ ଟଙ୍କା। ଅର୍ଥାତ୍‌ ବିହନ ପାଇଁ ପ୍ରାୟ ୩୫୦୦ ଟଙ୍କା ଖର୍ଚ୍ଚ ହୋଇଥାଏ । ଏହା ବ୍ୟତୀତ ସାର ଓ କୀଟ ନାଶକ ବାବଦକୁ ଆହୁରି ୩୦ରୁ ୪୦ହଜାର ଟଙ୍କା ଖର୍ଚ୍ଚ ହୁଏ। ପରିଶ୍ରମ, ପାଣି ମଡ଼ାଇବା ଇତ୍ୟାଦି ଖର୍ଚ୍ଚ ସହ ପ୍ରତି ଏକର ପିଛା ୫୦ରୁ ୬୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ଅମଳ ବେଳେ ତୋଳା ପାଇଁ ଶ୍ରମିକ ମଜୁରି ବାବଦକୁ ଆହୁରି ୪-୫ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ଏହି ହିସାବରେ ଖର୍ଚ୍ଚ ହେଉଥିଲେ ବି ବର୍ତ୍ତମାନ ଚାଷୀ ଗୋଟିଏ ଏକର ଜମିରୁ ମାତ୍ର ୮ହଜାରରୁ ୯ହଜାର ଟଙ୍କା ପାଉଛି।

ସଂପ୍ରତି ଗଞ୍ଜାମ ବ୍ଲକର କେତେକ ସ୍ଥାନରେ ଟମାଟୋ କିଲୋଗ୍ରାମ ପିଛା ୩ରୁ୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ବ୍ରହ୍ମପୁରର ମର୍ଦ୍ଦରାଜ ଭେଣ୍ଡିଂଜୋନ୍‌ରେ କିଲୋପ୍ରତି ୫ଟଙ୍କାରୁ ୭ଟଙ୍କା ଦରରେ ବିକ୍ରି ହେଉଛି। ଝାରେଡିର ପରିବା ଚାଷୀ ସୁଧୀର ନାହକ ନିଜର ୮ ଏକର ଜମିରେ ଟମାଟୋ ଓ କୋବି ଚାଷ କରିଥିଲେ। ଏଥିପାଇଁ ସେ ୩ଲକ୍ଷ ୫୦ହଜାର ଟଙ୍କା କୃଷି ଋଣ କରିଛନ୍ତି। ତାଙ୍କ କହିବା କଥା ହେଲା ଲଗାତର ଦୁଇ ବର୍ଷ ଧରି ଏଭଳି ଅବସ୍ଥା ଲାଗି ରହିଥିବାରୁ ତାଙ୍କ ଉପରେ ଋଣ ବୋଝ ବଢ଼ିଯାଇଛି। ବର୍ତ୍ତମାନ ସୁଦ୍ଧା ସାର ଓ କୀଟନାଶକ ବାବଦକୁ ଦେଢ଼ଲକ୍ଷ ଟଙ୍କା ବାକିରହିଛି।

ଗତ ୨୦ ତାରିଖରେ ଝାରେଡିର ବାତ୍ୟା ଆଶ୍ରୟସ୍ଥଳରେ କୃଷି ବିଭାଗ, ଉଦ୍ୟାନ, ମତ୍ସ୍ୟ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ନେଇ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଚାଷୀମାନେ ଟମାଟୋ ଓ କୋବିର ଅଭାବୀ ବିକ୍ରି ସମ୍ପର୍କରେ ଉପସ୍ଥିତ ବିଡିଓ, କୃଷି ଅଧିକାରୀ, ବ୍ଲକ ଉଦ୍ୟାନ ଅଧିକାରୀଙ୍କୁ ଜଣାଇ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ସିପକୁଦାର ପଞ୍ଚାନନ ନାୟକଙ୍କ କହିବାନୁସାରେ, ପ୍ରତିବର୍ଷ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଆସୁଛନ୍ତି। ନିକଟରେ ଶୀତଳ ଭଣ୍ଡାର ତ ନାହିଁ, କିନ୍ତୁ ପରିବହନ ଓ ବଜାର ବ୍ୟବସ୍ଥା ଯୋଗାଇଦେବାକୁ ଅନେକ ଅନୁରୋଧ କରିଛନ୍ତି, କିନ୍ତୁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ।

ସମ୍ବନ୍ଧିତ ଖବର