ବିଶ୍ୱଶାନ୍ତି ପାଇଁ ପ୍ରତ୍ୟେକ ଧର୍ମାବଲମ୍ବୀ, ରାଷ୍ଟ୍ରମୁଖ୍ୟ ପୁରୀ ପରିଦର୍ଶନ କରିବା ଆବଶ୍ୟକ : ରାଜ୍ୟପାଳ ଗଣେଶୀ ଲାଲ

କୋଣାର୍କ : ଦୁନିଆର କୋଣ ଅନୁକୋଣରେ ହିଂସା, ବନାଗ୍ନି ଆଦି ଲାଗି ରହିଥିବା ବେଳେ ପୁରୀରେ ଶାନ୍ତି ବିରାଜମାନ କରୁଅଛି । ଏହାର ଆନନ୍ଦ ନେବା ଲାଗି ପ୍ରତ୍ୟେକ ରାଷ୍ଟ୍ର ପ୍ରମୁଖ ଓ ଧର୍ମାବଲମ୍ବୀ ପୁରୀ ପରିଦର୍ଶନ କରିବା ଆବଶ୍ୟକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁବାର କୋଣାର୍କ ଠାରେ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ ଉଦଘାଟନ କରିବା ଅବସରରେ କହିଛନ୍ତି ।

କୋଣାର୍କରେ ଦେଶର ପ୍ରମୁଖ ବ୍ୟବସାୟିକ ସଂଘ ଫିକି ଓ ଓଡିଶା ପର୍ଯ୍ୟଟନ ଦ୍ୱାରା ଆୟୋଜିତ ହେଉଥିବା ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ ଉଦଘାଟନ କରିବା ଅବସରରେ ରାଜ୍ୟପାଳ କହିଥିଲେ ଯେ ପର୍ଯ୍ୟଟନକୁ କେବଳ ଶିଳ୍ପ ହିସାବରେ ଦେଖିବା ଠିକ ହେବ ନାହିଁ । ଏଠାକୁ ଆସି ଜଣେ ଏକୁଟିଆ ବସିଲେ ଦିବ୍ୟତ୍ୱର ଅନୁଭୂତି ପାଇ ପାରିବ । ଏଣୁ ବିଶ୍ୱ ଶାନ୍ତି ପ୍ରତିଷ୍ଠା ହେବା ପାଇଁ ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ରମୁଖ୍ୟ ଓ ସମସ୍ତ ଧର୍ମାବଲମ୍ବୀ ମାନେ ପୁରୀ ଅନ୍ତତଃ ଥରୁଟିଏ ପରିଦର୍ଶନ କରିବା ଉଚିତ । କାରଣ ଯେଉଁ ଅନୁଭୂତି ଆତ୍ମ ପରିଚୟ ପ୍ରଦାନ କରିବାରେ ସହାୟକ ହୋଇଥାଏ, ତାହାହିଁ ବାସ୍ତବ ପର୍ଯ୍ୟଟନ । ଏହି ଅବସରରେ ଗୁଜରାଟ ପର୍ଯ୍ୟଟନ ମନ୍ତ୍ରୀ ବସନଭାଇ ଆହିର ଯୋଗ ଦେଇ ଓଡ଼ିଶାର ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟର ଭୂରି ପ୍ରଶଂସା କରିଥିଲେ ।

ସେହିପରି ଫିକିର ଜାତୀୟ ପର୍ଯ୍ୟଟନ କମିଟିର ସହ ସଭାପତି ତଥା ହୋଟେଲ ଶିଳ୍ପପତି ଜିତେନ୍ଦ୍ର କୁମାର ମହାନ୍ତି କହିଥିଲେ ଯେ ଆଗାମୀ ଦୁଇ ବର୍ଷ ଭିତରେ ଓଡିଶା ଭାରତର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ରୂପେ ପରିଗଣିତ ହେବାର କ୍ଷମତା ରଖିଛି । କେନ୍ଦ୍ର ସରକାରଙ୍କ ସହଯୋଗ ଓଡିଶା ସହିତ ସମଗ୍ର ପୂର୍ବ ଭାରତରେ ପର୍ଯ୍ୟଟକଙ୍କୁ ଅନେକ ଦର୍ଶନୀୟ ସ୍ଥାନ ଦେଖିବାକୁ ଅନେକ ସୁଯୋଗ ରହିଛି ଓ ସେଥିପାଇଁ ପର୍ଯ୍ୟଟକଙ୍କୁ ଏକ ପୂର୍ବ ଭାରତ ଟୁରିଜିମ ପ୍ୟାକେଜ ପ୍ରଦାନ କରାଯିବା ଆବଶ୍ୟକ ।  ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କ ସମର୍ଥନ ଲୋଡ଼ା ବୋଲି ସମ୍ମିଳନୀରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଥିଲେ । ଏଥିପାଇଁ ଖୁବ ଶୀଘ୍ର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି ସେ ସୂଚନା ଦେଇଥିଲେ । ଚଳିତ ବର୍ଷ ଶେଷ ଆଡକୁ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ ଆହୁରି ବଡ଼ ଆକାରରେ ଆୟୋଜନ କରିବାକୁରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି ଏହି ଅବସରରେ ସେ କହିଥିଲେ ।

ସମ୍ବନ୍ଧିତ ଖବର