ଉତ୍ତରଭାରତରେ ତୁଷାରପାତ : ଉଦ୍ଧାର ହେଲେ ତୀର୍ଥଯାତ୍ରୀ

ଭୁବନେଶ୍ବର/ଭଂଜନଗର : ଉତ୍ତରଭାରତରେ ପ୍ରବଳ ତୁଷାରପାତ ଯୋଗୁଁ ବଦ୍ରିନାଥ ଦର୍ଶନରେ ଯାଇଥିବା ଗଞ୍ଜାମ ଜିଲ୍ଲାର ୪୨ ଜଣ ଓଡ଼ିଆ ତୀର୍ଥଯାତ୍ରୀ ଫସିଯାଇଥିଲେ। ସେମାନଙ୍କ ପରିବାର ଠାରୁ ସୂଚନା ମିଳିଲା ପରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଦିନତମାମ ରାଜ୍ୟ ସରକାର କସରତ୍ ଚଳାଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥ‌ିଲେ। ଶେଷରେ ସନ୍ଧ୍ୟା ସୁଦ୍ଧା ତୀର୍ଥଯାତ୍ରୀମାନେ ନିରାପଦ ଭାବେ ଉଦ୍ଧାର ହୋଇଥିଲେ। ସେହିପରି ବାଲେଶ୍ବରରୁ ଯାଇଥିବା ୩୩ ଜଣ ତୀର୍ଥଯାତ୍ରୀ ମଧ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି।

ଭଂଜନଗର, କୁଲାଡ଼ ଓ ବେଲଗୁଣ୍ଠାର ୪୦ରୁ ୪୨ ଜଣ ତୀର୍ଥଯାତ୍ରୀ ଧର୍ମଶାଳାରେ ଫସି ରହିଥିବା ବେଳେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ଘଟଣା ବିଷୟରେ ଜାଣିବା ପରେ ପରିବାରବର୍ଗ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ।

ଏହା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀସ୍ଥିତ ମୁଖ୍ୟ ଆବାସିକ କମିସନର୍‌ଙ୍କ କାର୍ଯ୍ୟାଳୟକୁ କୁହାଯାଇଥିଲା। ପରିସ୍ଥିତିର ତଦାରଖ କରିବାକୁ ସଙ୍ଗେ ସଙ୍ଗେ ‌କମିସନର୍‌ଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ କରାଗଲା। ଏହା ପରେ ଉତ୍ତରାଖଣ୍ଡ ଅତିରିକ୍ତ ଆବାସିକ କମିସନର୍‌ ଓସ୍ଥାନୀୟ ଏସ୍‌ଡିଏମ୍‌ଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯିବା ସହ ସେମାନଙ୍କୁ ଉଦ୍ଧାର କରି ସେମାନଙ୍କ ରହଣୀସ୍ଥଳ ପିପଲକୋଟି ଆଣିବାକୁ ଅନୁରୋଧ କରାଗଲା।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତଙ୍କ ସହ ଟେଲିଫୋନ୍‌ରେ କଥା ହୋଇ ଆବଶ୍ୟକ ସହଯୋଗ ଓ ସ୍ବାସ୍ଥ୍ୟ ସେବା ସେବା ଯୋଗାଇଦେବାକୁ ଅନୁରୋଧ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ରାୱତ ତୀର୍ଥଯାତ୍ରୀମାନଙ୍କୁ ନିରାପଦ ଭାବେ ଉଦ୍ଧାର କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଧର୍ମଶାଳରେ ଥିବା ଓଡ଼ିଆ ତୀର୍ଥଯାତ୍ରୀମାନଙ୍କୁ ଖାଦ୍ୟ, ପାଣି, ଔଷଧ ଓ ଅନ୍ୟାନ୍ୟ ‌େସବା ଯୋଗାଇ ଦିଆଯାଇଥିଲା। ତୁଷାରପାତ କମିବା ପରେ ଅପରାହ୍ନ ସୁଦ୍ଧା ରାସ୍ତା ସଫା କରାଯାଇଥିଲା। ତାହା ପରେ ବସ୍‌ ଯୋଗେ ସେମାନଙ୍କୁ ରହଣୀସ୍ଥଳକୁ ଅଣାଯାଇଥିଲା। ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି ବୋଲି ମୁଖ୍ୟ ଆବାସିକ କମିସନର୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର