ସାତପଡ଼ାରେ ପୁଣି ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର

ବ୍ରହ୍ମଗିରି :ଚିଲିକା ବୁଲିବାକୁ ଆସିଥିବା ଏକ ପର୍ଯ୍ୟଟକଙ୍କ ପରିବାରକୁ ଆଜି ନାକେଦମ ହେବାକୁ ପଡିଛି।  ପର୍ଯ୍ୟଟକଙ୍କୁ ଆଣିଥିବା କାର୍‌ ଡ୍ରାଇଭର୍‌ କଥା ନ ମାନିବାରୁ ଏହି ପର୍ଯ୍ୟଟକଙ୍କ ପରିବାର ହଇରାଣରେ ପଡ଼ିଛନ୍ତି। ଖବର ନେବାରେ ଜଣାପଡିଛି ଆଜି ଛତିଶଗଡ଼ ରାୟପୁର ଅଞ୍ଚଳର ଜଣେ ପ୍ରଫେସର ଦମ୍ପତି ଓ ଦୁଇ ପୁଅ ଏକ କାର୍‌ (ଓଡି-୧୩ଜି-୨୨୮୮)ରେ ଚିଲିକା ବୁଲିବାକୁ ପୁରୀରୁ ସାତପଡ଼ା ଯାଇଥିଲେ। ସାତପଡ଼ାରେ ଏହି ପହଞ୍ଚିବା ପରେ ବୋଟିଂ ପାଇଁ କାର ଡ୍ରାଇଭର ସେମାନଙ୍କୁ କହିଥିଲେ। କିନ୍ତୁ ଏହି ପର୍ଯ୍ୟଟକ ପରିବାର କହିଥିଲେ ଚିଲିକା କୂଳରେ ବୁଲି ସେମାନେ ନିର୍ଦ୍ଦିଷ୍ଟ ସମୟରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚବେ। କିନ୍ତୁ ଗାଡ଼ି ଚାଳକ ଜଣକ ବୋଟିଂ କରିବାକୁ ସେମାନଙ୍କୁ ବାଧ୍ୟ କରିଥିଲେ। ତେବେ ବୋଟିଂ କରିବାକୁ ପର୍ଯ୍ୟଟକ ରାଜି ନ ହେବାରୁ ଡ୍ରାଇଭର ଜଣକ ସେମାନଙ୍କୁ ଚିଲିକା କୂଳରେ ଓହ୍ଲାଇବାକୁ ଦେଇ ନଥିଲା। ସେମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ସିଧାସଳଖ ସାତପଡ଼ାରୁ ଅତ୍ୟନ୍ତ ଦ୍ରୁତ ଗତିରେ ପୁରୀ ଆଡକୁ ମୁହାଁଇଥିଲା। ପ୍ରଫେସର ଜଣକ ବାରଣ କରିଥିଲେ ମଧ୍ୟ ଡ୍ରାଇଭର ଶୁଣି ନଥିଲେ। ଶେଷରେ ପ୍ରଫେସର କାର୍‌ର ହ୍ୟାଣ୍ଡ ବ୍ରେକ୍‌ ଲଗାଇ ଗାଡ଼ି ଅଟକାଇଥିଲେ। ଗାଡି ଅଟକିବା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫୋର ହୋଇ ଯାଇଥିଲା। ଡ୍ରାଇଭର ଚମ୍ପଟ ମାରିବା ପରେ ପ୍ରଫେସର ଗାଡି ଚଳାଇ ସହିତ ବ୍ରହ୍ମଗିରି ଥାନାରେ ପହଞ୍ଚ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ସଂଧ୍ୟା ସୁଦ୍ଧା ଥାନାରେ ଏହି ପର୍ଯ୍ୟଟକ ପରିବାର ରହିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର