ଘନ କୁହୁଡ଼ି ଯୋଗୁଁ ଅଟକିଲା ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’, ଫେରିଗଲେ ୨୦୦ରୁ ଅଧିକ ଦେଶୀ-ବିଦେଶୀ ପର୍ଯ୍ୟଟକ

କୋଣାର୍କ: ବିଶ୍ୱ ପ୍ରସିଦ୍ଧ କୋଣାର୍କରେ ରବିବାର ଘନ କୁହୁଡ଼ି ଯୋଗୁଁ ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ବନ୍ଦ କରାଯାଇଛି। କୁହୁଡ଼ି ଯୋଗୁଁ ରବିବାର ସନ୍ଧ୍ୟା ୬ଟା ୩୦ରେ ଏହି ସୋ’ ହୋଇ ପାରି ନାହିଁ। ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ପ୍ରଦର୍ଶନ ପାଇଁ ଅନୁକୁଳ ନହେବାରୁ ପ୍ରାୟ ୨ଶହରୁ ଅଧିକ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଫେରି ଯାଇଛନ୍ତି। କର୍ତ୍ତୃପକ୍ଷ ତରଫରୁ ସମସ୍ତ ପର୍ଯ୍ୟଟକଙ୍କୁ ସେମାନଙ୍କ ଟିକେଟ ମୂଲ୍ୟ ଫେରାଇ ଦିଆଯାଇଛି।

କୋଣାର୍କରେ ପର୍ଯ୍ୟଟକ

୨୦୧୮ ଡିସେମ୍ବର ୨୫: ପର୍ଯ୍ୟଟକ ସଂଖ୍ୟା ୧୬,୨୩୬ (ସେଥିରୁ ବିଦେଶୀ ୧୯)
୨୦୧୯ ଜାନୁଆରି ୦୧: ପର୍ଯ୍ୟଟକ ସଂଖ୍ୟା ୧୮,୩୩୫ (ସେଥିରୁ ବିଦେଶୀ ୧୧)
୨୦୧୯ ଜାନୁଆରି ୦୬: ପର୍ଯ୍ୟଟକ ସଂଖ୍ୟା ୧୪,୩୫୪ (ସେଥିରୁ ବିଦେଶୀ ୩୫)
୨୦୧୯ ଜାନୁଆରି ୨୦: ପର୍ଯ୍ୟଟକ ସଂଖ୍ୟା ୧୨,୩୨୦ (ସେଥିରୁ ବିଦେଶୀ ୩୬)

କୋଣାର୍କରେ ଅଦ୍ଭୁତ ଧରଣର କୁହୁଡ଼ି ଦେଖିବାକୁ ମିଳିଛି। ଦୀର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ କୁହୁଡ଼ିର ପ୍ରଭାବ ରହିଥିବା ବେଳେ ଆଜି ହଜାର ହଜାର ପର୍ଯ୍ୟଟକ ସୂର୍ଯ୍ୟମନ୍ଦିର ପରିସରରେ ବୁଲିବାକୁ ସୁଯୋଗ ପାଇ ନାହାନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ ୩୦୦୦ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପରିସର ଭିତରକୁ ନଯାଇ ଦୂରରୁ ଟିକିଏ ଦେଖି ମୁହଁ ଫେରାଇ ନେଇଛନ୍ତି। କୁହୁଡି ଯୋଗୁଁ ସୂର୍ଯ୍ୟମନ୍ଦିର ୧୦୦ ମିଟର ଦୂରରୁ ମଧ୍ୟ ଦେଖା ଯାଉନଥିଲା। ମୁହଁ ଫେରାଇ ନେଇଥିବା ପର୍ଯ୍ୟଟକଙ୍କ କହିବା ଅନୁସାରେ ୪୦ ଟଙ୍କା ଟିକେଟ ଦେଇ ସୂର୍ଯ୍ୟ ମନ୍ଦିରର ସୌନ୍ଦର୍ଯ୍ୟକୁ ଠିକ ଭାବରେ ଦେଖି ନପାରିଲେ ଲାଭ କ’ଣ?

ସୂର୍ଯ୍ୟ ମନ୍ଦିର ପରିସର ଶନିବାର ରାତି ୧୧ଟା ପରଠାରୁ କୁହୁଡ଼ି ବଳୟରେ ଥିଲା। ଏହା ଆଜି ପୂର୍ବାହ୍ନ ୧୧ଟା ପରେ ଅପସାରିତ ହୋଇଥିଲା। ଲୋକଙ୍କ କହିବା ଅନୁସାରେ ଏହି ଅଦ୍ଭୁତ ଧରଣର କୁହୁଡ଼ି ରାମଚଣ୍ଡୀ ନିକଟରେ ସମୁଦ୍ର ଆଡୁ ମାଡି ଆସିଥିଲା। ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେମାନେ ଏଭଳି ଘଟଣା ପୂର୍ବରୁ କେବେ ଦେଖି ନଥିଲେ।

ସମ୍ବନ୍ଧିତ ଖବର