କଟକ ଆସିଲା, ଖତ ଖାଇଲା : ଭୁବନେଶ୍ୱର ଚାଲିଯିବ ୩୦ ଟାଉନ୍‌ ବସ୍‌, ହସ୍ତାନ୍ତର ପାଇଁ କମିସନରଙ୍କୁ ଚିଠି

କଟକ : ଭୁବନେଶ୍ୱର ଚାଲିଯିବ କଟକ ଟାଉନ୍‌ ବସ୍‌। ବିକାଶ ଭବନରେ ଖତ ଖାଉଥିବା ଏ ବସ୍‌ଗୁଡ଼ିକ ଆଉ କଟକରେ ଚାଲିବ ନାହିଁ। କଟକ ମହାନଗର ନିଗମ କମିସନରଙ୍କୁ ବସ୍‌ଗୁଡ଼ିକୁ ହସ୍ତାନ୍ତର କରିବା ପାଇଁ ନଗର ଉନ୍ନୟନ ବିଭାଗ ଚିଠି ଲେଖି ଜଣାଇଛନ୍ତି। ଏଭଳି ଚିଠି ମିଳିବା ପରେ ଗୋଟିଏପଟେ ବସ୍‌ ହସ୍ତାନ୍ତର ପ୍ରକ୍ରିୟା ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଅନ୍ୟପଟେ ସିଏମ୍‌ସି କର୍ତ୍ତୃପକ୍ଷଙ୍କ ଅପାରଗତାକୁ ନେଇ ପ୍ରଶ୍ନ ଉଠିଛି। କର୍ତ୍ତୃପକ୍ଷଙ୍କ ଆନ୍ତରିକ ଇଚ୍ଛାଶକ୍ତି ଅଭାବ ଯୋଗୁ କଟକକୁ ମିଳିଥିବା ୩୦ଟାଉନ୍‌ ବସ୍‌ ଚାଲିପାରିଲା ନାହିଁ ଏବଂ ସରକାର ବାଧ୍ୟ ହୋଇ ଏ ବସ୍‌ଗୁଡ଼ିକୁ ଭୁବନେଶ୍ୱର ନେଇଗଲେ ବୋଲି ଅଭିଯୋଗ ହେଉଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର କଟକକୁ ୧୦୦ଟି ଟାଉନ୍‌ ବସ୍‌ ଦୁଇଟି ଦଫାରେ ଦେବା ପାଇଁ ଯୋଜନା କରିଥିଲେ। ଏହି କ୍ରମରେ ୨୦୧୬, ଏପ୍ରିଲ୍‌ ୧୪ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ କଟକ ପାଇଁ ୩୦ଟି ଟାଉନ ବସ୍‌ ଶୁଭାରମ୍ଭ କରିଥିଲେ। ଏହାର ପରିଚାଳନା ପାଇଁ କଟକ ଅର୍ବାନ୍‌ ଟ୍ରାନ୍‌ସପୋର୍ଟ ସର୍ଭିସ୍‌ ଲିମିଟେଡ୍‌(ସିୟୁଟିଏସ୍‌ଏଲ୍‌) ଗଠନ କରାଯାଇଥିଲା। ଏହାର ମୁଖ୍ୟ ପରିଚାଳନା ଅଧିକାରୀ ଭାବେ ସିଏମ୍‌ସି କମିସନର ଓ ଚେୟାରମ୍ୟାନ୍‌ ଭାବେ ମେୟର ରହିଥିଲେ। ବସ୍‌ ଗୁଡ଼ିକର ରକ୍ଷାଣବେକ୍ଷଣ ଓ ଅପରେସନ୍‌ ପାଇଁ ସାହାରା ରୋଡେଓ୍ଵଜ୍‌ ସହ ସିଏମ୍‌ସି କାର୍ଯ୍ୟାଳୟରେ ଏକ ଚୁକ୍ତିନାମା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୦ଟି ବସ୍‌ ଚଳାଚଳ କରୁଥିଲା। ବାକି ୨୦ଟି ବସ୍‌ ଚଳାଚଳ ପାଇଁ କର୍ତ୍ତୃପକ୍ଷ ରାଜ୍ୟ ଟ୍ରାନ୍‌ସପୋର୍ଟ କମିସନରଙ୍କଠାରୁ ପରିମଟ୍‌ ଆଣିପାରିଲେ ନାହିଁ। ଫଳରେ ବସ୍‌ ଗୁଡ଼ିକ ବ୍ୟବହାର ନହୋଇ ବିକାଶ ଭବନରେ ପଡ଼ି ରହିଥିଲା। ଏଭଳି ସ୍ଥିତିରେ ଯେଉଁ ୧୦ଟି ବସ୍‌ ଚାଲିଥିଲା, ସେଥିରୁ ୪ଟି ବସ୍‌ ସିଡିଏରୁ ଚାରବାଟିଆ ଯାଉଥିଲା। କିନ୍ତୁ ୨୦୧୬, ଡିସେମ୍ବରରେ କୋର୍ଟ ସିଡିଏରେ ଭାରୀଯାନ ଚଳାଚଳ ଉପରେ କଟକଣା ଲଗାଇବା ପରେ ସିଡିଏକୁ ଟାଉନ୍‌ ବସ୍‌ ସେବା ବନ୍ଦ ହୋଇଯାଇଥିଲା। ବାକି ୬ଟି ବସ୍‌ ବାଦାମବାଡ଼ିରୁ ବାଙ୍କୀ ଯା’ଆସ କରୁଥିଲା। ମାତ୍ର କାଳକ୍ରମେ ତାହା ବି ବିଭିନ୍ନ କାରଣରୁ ବନ୍ଦ ହୋଇଗଲା। ପରମିଟ୍‌ ମିଳୁନଥିବା ଆଳ ଦେଖାଇ କର୍ତୃପକ୍ଷ ନିଜ ଦୋଷ ଖସାଇ ଦେଲେ। ପରିଣାମ, କଟକକୁ ମିଳିଥିବା ସମସ୍ତ ୩୦ଟି ବସ୍‌ ଦୀର୍ଘ ଦିନ ହେବ ବିକାଶ ଭବନରେ ପଡ଼ି ଖତ ଖାଉଥିଲା।

କଟକରେ ଟାଉନ୍‌ ବସ୍‌ଗୁଡ଼ିକର ଏଭଳି ଶୋଚନୀୟ ହାଲତ ଦେଖିବା ପରେ ସରକାର ଏହାକୁ ଭୁବନେଶ୍ୱର ଆଣିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ସିୟୁଟିଏସ୍‌ଏଲ୍‌ ଏବଂ ଭୁବନେଶ୍ୱର ଅର୍ବାନ୍‌ ଟା୍ରନ୍‌ସପୋର୍ଟ ସର୍ଭିସ୍‌ ଲିମିଟେଡ୍‌(ବିୟୁସିଏସ୍‌ଏଲ୍‌)କୁ ଭାଂଗି ସିଆର୍‌ପିଟି ଗଠନ କରିଛନ୍ତି। ଏଣିକି ରାଜଧାନୀରୁ ସିଆର୍‌ପିଟି ଅଧିନରେ ଏହି ବସ୍‌ଗୁଡ଼ିକ ବିଭିନ୍ନ ସ୍ଥାନକୁ ପରିଚାଳିତ ହେବ ବୋଲି କୁହାଯାଉଛି। ସେଥିପାଇଁ ଗତ ଜୁନ୍‌ ୩୦ତାରିଖରେ ନଗର ଉନ୍ନୟନ ବିଭାଗ ଚିଠି ଲେଖି ସିଏମ୍‌ସି କମିସନରଙ୍କୁ ବସ୍‌ ହସ୍ତାନ୍ତର କରିବାକୁ କହିଛନ୍ତି। ତଦନୁଯାୟୀ ଏବେ ହସ୍ତାନ୍ତର ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଅଧିକାଂଶ ବସ୍‌ଗୁଡ଼ିକ ଚାଲିବା ସ୍ଥିତିରେ ନଥିବାରୁ ସେଗୁଡ଼ିକ ମରାମତି କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ କମିିସନର ବିକାଶ ମହାପାତ୍ର କହିଛନ୍ତି ଯେ ନୂତନ ଭାବେ ସିଆର୍‌ପିଟି ଗଠନ କରାଯାଇଛି। ତାହାରି ଅଧିନରେ ଏହି ବସ୍‌ଗୁଡ଼ିକ ଚଳାଚଳ କରିବ। ଏଣୁ ସରକାରଙ୍କ ନିଷ୍ପତ୍ତି ମୁତାବକ ବସ୍‌ଗୁଡ଼ିକ ହସ୍ତାନ୍ତର କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର