ବାଇକ ଓ ଟ୍ରାକ୍ଟର ଧକ୍କା, ଜଣେ ମୃତ ଜଣେ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ସହରଠାରୁ ମାତ୍ର ୨କିମି ଦୂର ସଦର ବ୍ଲକର ଅଗ୍ନିପୁର ପଞ୍ଚାୟତର ଶାସନ ଗାଁ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ ଓ ଟ୍ରାକ୍ଟର ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ସଦର ବ୍ଲକ ଚଟାହାଣ୍ଡି ଗ୍ରାମର ୨ ଜଣ ଯୁବକ ଖଗପତି ତନ୍ତି (୨୩) ଓ ରୂପଧର ଚଣ୍ଡାଳ (୧୮) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦୁହେଁ ଏକ ବାଇକ ଯୋଗେ ଆଜି ନବରଙ୍ଗପୁରରୁ ଚଟାହାଣ୍ଡି ଅଭିମୁଖେ ଯାଉଥିଲେ। ଶାସନ ଗାଁ ନିକଟରେ ଗୋଟିଏ ଟ୍ରାକ୍ଟର ଓ ବାଇକ ମଧ୍ୟରେ ଧକ୍କା ହୋଇଥିଲା। ବାଇକରେ ଯାଉଥିବା ଖଗପତି ତନ୍ତି ଓ ରୂପଧର ଚଣ୍ଡାଳ ଉଭୟେ ରାସ୍ତା କଡରେ କଚାଡି ହୋଇ ପଡିଯାଇଥିଲେ। ଏହି ଦୁର୍ଘଟଣା ପରେ ରାସ୍ତାରେ ଯାଉଥିବା ଯାତ୍ରୀମାନେ ୧୦୮ ଆମ୍ବୁଲାନସକୁ ଖବର ଦେଇଥିଲେ।

୧୦୮ ଆମ୍ବୁଲାନସ ସାହାଯ୍ୟରେ ଦୁହିଁଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। କୋରାପୁଟ ମେଡିକାଲରେ ରୂପଧରଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଖଗପତି କୋରାପୁଟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର