ରଥଯାତ୍ରା ପାଇଁ ଟ୍ରାଫିକ୍‍ ନିୟନ୍ତ୍ରଣ ବ୍ୟବସ୍ଥା

ପୁରୀ: ଶ୍ରୀଗୁଣ୍ଡିଚା, ବାହୁଡ଼ା ଏବଂ ସୁନାବେଶ ପାଇଁ ପୁଲିସ ପକ୍ଷରୁ ଟ୍ରାଫିକ୍‍ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି। ଯାନବାହନ ଚଳାଚଳର ଗତିପଥ ପରିବର୍ତନ ସହ ୧୮ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ୩୧୬ ନଂ ଜାତୀୟ ରାଜପଥ ଦେଇ ଆସୁଥିବା ସମସ୍ତ ଅନ୍ତଃରାଜ୍ୟ ସଂରକ୍ଷିତ ବସ୍‍ଗୁଡ଼ିକ ପାଇଁ ମାଳତୀପାଟପୁର ବସ୍‍ଷ୍ଟାଣ୍ଡଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସେହିପରି କୋଣାର୍କ ଆଡ଼ୁ ଆସୁଥିବା ଟୁରିଷ୍ଟ ଗାଡ଼ିଗୁଡିକ ପାଇଁ ଗ୍ରୀଡ୍‍ ଷ୍ଟେସନ୍‍ଠାରେ ଥିବା ଉଦ୍ୟାନ କୃଷି ଫାର୍ମରେ ଏବଂ କୋଣାର୍କରୁ ପୁରୀ ଆସୁଥିବା ଅନ୍ତଃରାଜ୍ୟ ଯାତ୍ରୀବାହୀ ବସ୍‍ଗୁଡ଼ିକ ପାଇଁ ଉଦ୍ୟାନ କୃଷି ଫାର୍ମରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଫେରିବା ସମୟରେ ବାଲିଘାଟ ଛକ ଓ ହରେକୃଷ୍ଣପୁର ଛକ ଦେଇ ଜାତୀୟ ରାଜପଥରେ ଯିବାର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରୁ ପୁରୀ ଆସୁଥିବା ନିୟମିତ ଯାତ୍ରୀବାହୀ ବସ୍‍ଗୁଡ଼ିକ ମାଳତୀପାଟପୁରଠାରୁ ଆର୍‍ଓବି ଦେଇ ତାଳବଣିଆ ନୂତନ ପାର୍କିଂସ୍ଥଳକୁ ଆସିବ। ଫେରିବା ବେଳେ ଗ୍ରୀଡ୍‍ ଷ୍ଟେସନ୍‍ ଛକ, ବାଲିଘାଟ ଛକ, ସମଙ୍ଗରା, ବୀରହରେକୃଷ୍ଣପୁର ଦେଇ ଜାତୀୟ ରାଜପଥକୁ ବାହାରି ଗନ୍ତବ୍ୟସ୍ଥଳ ଅଭିମୁଖେ ଯିବେ। ବ୍ରହ୍ମଗିରିରୁ ପୁରୀ ଆସୁଥିବା ନିୟମିତ ଯାତ୍ରୀବାହୀ ବସ୍‍ଗୁଡ଼ିକ ମଙ୍ଗଳାଘାଟ ଛକ ନିକଟରେ ଥିବା ଫ୍ଲୋରିସ୍‍ ଇଣ୍ଡିଆ ପାର୍କିଂ ସ୍ଥଳରେ ପାର୍କିଂ କରିବେ ଏବଂ ସେହି ରାସ୍ତା ଦେଇ ଫେରିବେ। କୋଣାର୍କରୁ ପୁରୀ ଆସୁଥିବା ଯାତ୍ରୀବାହୀ ବସ୍‍ଗୁଡ଼ିକ ତାଳବଣିଆ ପାର୍କିଂ ସ୍ଥଳରେ ରହିବେ। ଫେରିବା ବେଳେ ସେହି ରାସ୍ତା ଦେଇ ଫେରିବେ। ଅଟୋରିକ୍ସା, କାର ଭଳି ହାଲୁକା ଯାନ ପାଇଁ ତାଳବଣିଆ ସାମ୍ନାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସେଠାରେ ଜାଗା ନହେଲେ ଇଣ୍ଡୋର ଷ୍ଟାଡିୟମ୍‍, ଭୂଦାନ, ତାଳବଣିଆ ଥାନା ପାର୍କିଂସ୍ଥାନରେ ପାର୍କିଂ କରିବେ।

କୋଣାର୍କରୁ ପୁରୀ ଆସୁଥିବା ହାଲୁକା ଯାନଗୁଡ଼ିକ ଆଇଟିଆଇ ପାର୍କିଂ ସ୍ଥାନରେ ରହିବେ ଏବଂ ସେଠାରୁ ଫେରିବେ। ବ୍ରହ୍ମଗିରିରୁ ପୁରୀ ଆସୁଥିବା ହାଲୁକା ଯାନଗୁଡ଼ିକ ମଙ୍ଗଳହାଟ ଛକ ନିକଟରେ ଥିବା ଫ୍ଲୋରିସ୍‍ ଇଣ୍ଡିଆ ପାର୍କିଂ ସ୍ଥାନରେ ରଖାଯିବ ଏବଂ ଫେରିବା ସମୟରେ ସେହି ରାସ୍ତା ଦେଇ ଫେରିବେ। ଭୁବନେଶ୍ୱରରୁ ପୁରୀ ଆସୁଥିବା ପାସ୍‍ଧାରୀ ଯାନ ପାଇଁ ବି ଗତିପଥ ନିର୍ଦ୍ଦିଷ୍ଟ କରାଯାଇଛି। ପାସ୍‍ଧାରୀ ହାଲୁକା ଯାନଗୁଡ଼ିକ ବୀରହରେକୃଷ୍ଣପୁର ଦେଇ ଚାରିନଳା, ଅଠରନଳା, ଡାକ୍ତରଖାନା ଛକ, ସୁବାଷ ବୋଷ ଛକ, ହରିହର ଛକ, କୋକପାମ୍‍ ଛକ, ଲୋକନାଥ ରୋଡ୍‍ ଦେଇ ଲୋକନାଥ ମନ୍ଦିର ଏବଂ ଛପନଛକ ନିକଟରେ ଥିବା ପାର୍କିଂ ସ୍ଥାନରେ ରହିବେ। ଉକ୍ତ ପାର୍କିଂ ସ୍ଥାନ ପୂରଣ ହୋଇଯିବା ପରେ ବଳକା ଗାଡ଼ିଗୁଡ଼ିକ ଯାତ୍ରୀକା ପାର୍କିଂ ସ୍ଥାନରେ ରହିବେ। ଏହି ସ୍ଥାନ ପୂରଣ ହେବା ପରେ ପୁରୀ ଜିଲ୍ଲା ସ୍କୁଲ ଏବଂ ଏସ୍‍ସିଏସ୍‍ କଲେଜ ପଡ଼ିଆରେ ଗାଡ଼ିଗୁଡ଼ିକ ପାର୍କିଂ ହେବ। ଡାକ୍ତରଖାନା ଛକ ନିକଟରେ ଗହଳି ହେଲେ ମାଳତୀପାଟପୁର ଓଭରବ୍ରିଜ୍‍ (ଆର୍‍ଓବି) ଦେଇ ଗ୍ରୀଡ୍‍ ଷ୍ଟେସନ୍‍ ପୁରୀ ସହରକୁ ପ୍ରବେଶ କରିବେ ଏବଂ ଉପରୋକ୍ତ ପାର୍କିଂ ସ୍ଥାନରେ ଗାଡ଼ିଗୁଡ଼ିକ ପାର୍କିଂ ହେବ। ଭିଆଇପିଙ୍କୁ ଆଣିଥିବା ଏସ୍କଟ୍‍ ଗାଡ଼ିଗୁଡ଼ିକ ଲୋକନାଥ ରୋଡ୍‍ ଦେଇ ଗଦାଧର ହାଇସ୍କୁଲ ପଡ଼ିଆ ପାଖରେ ରଖାଯିବ। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଗାଡ଼ି ଗଦାଧର ହାଇସ୍କୁଲ, ଗାଣ୍ଡୁଆ ଚୌରା ଛକ, ଉତ୍ତର ଦ୍ୱାର ଦେଇ ସୂଚନା କେନ୍ଦ୍ର ନିକଟକୁ ଆସିବେ। ଭିଆଇପି ପାସ୍‍ଥିବା ଗାଡ଼ିଗୁଡ଼ିକ ଫେରିବା ସମୟରେ ଲୋକନାଥ ରୋଡ୍‍, ଚାରିଅଟ୍‍ ହୋଟେଲ୍‍ ଛକର ନୂଆ ବାଇପାସ୍‍ ରାସ୍ତା, ମଙ୍ଗଳାଘାଟ ଛକ ଦେଇ ଜାତୀୟ ରାଜପଥରେ ଫେରିବେ। ଭୁବନେଶ୍ୱରରୁ ପୁରୀ ଆସୁଥିବା ଦୁଇଚକିଆ ଯାନଗୁଡ଼ିକ ବାଟଗାଁ ଛକଠାରୁ ମଙ୍ଗଳାଘାଟ ବାଇପାସ୍‍ ରାସ୍ତା ଦେଇ ମଶାଣି ଚଣ୍ଡୀ ଛକ, ଦେବୀ ଘାଟ ଦେଇ ଜଗନ୍ନାଥ ବଲ୍ଲଭ ପାର୍କିଂରେ ରଖାଯିବ। ଏହି ସ୍ଥାନ ପୂରଣ ହୋଇଗଲେ ମଶାଣି ଚଣ୍ଡୀ ନିକଟରେ ଥିବା ପାର୍କିଂ ଷ୍ଟାଣ୍ଡରେ ରଖାଯିବ। ଉକ୍ତ ସ୍ଥାନ ପୂରଣ ହୋଇଗଲେ ମଙ୍ଗଳାଘାଟଠାରୁ ବାଟଗାଁ ବାଇପାସ୍‍ ରାସ୍ତାର ଗୋଟିଏ ପଟେ ପାର୍କିଂ କରାଯିବ। ବ୍ରହ୍ମଗିରିରୁ ଆସୁଥିବା ଦୁଇଚକିଆ ଯାନଗୁଡିକ ମଶାଣି ଚଣ୍ଡୀ ଛକ ଦେଇ ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥାନରେ ରହିବ। କୋଣାର୍କ ପଟୁ ଆସୁଥିବା ଦୁଇଚକିଆ ଯାନଗୁଡ଼ିକ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍‍ ପାର୍କିଂ ସ୍ଥାନରେ ରଖାଯିବ ଓ ସେହି ରାସ୍ତା ଦେଇ ଫେରିବ। ଟାଉନ୍‍ ବସ୍‍ ଓ ସିଟି ବସ୍‍ମାନଙ୍କ ପାଇଁ ବି ନିର୍ଦ୍ଦିଷ୍ଟ ବ୍ୟବସ୍ଥା କରାଯାଇଛି। ୨୦ଟି ଟାଉନ୍‍ ବସ୍‍ ଏବଂ ସିଟି ବସ୍‍ ମାଳତୀପାଟପୁର ବସ୍‍ଷ୍ଟାଣ୍ଡଠାରୁ ଯାତ୍ରୀମାନ ନେବା ଆଣିବାର ବ୍ୟବସ୍ଥା କରାଯାଇଛି। ୧୦ଟି ଟାଉନ୍‍ ବସ୍‍ ଏବଂ ସିଟି ବସ୍‍ ପୁରୀ ରେଳ ଷ୍ଟେସନ୍‍ରୁ ଅର୍ବାନ୍‍ ହାଟ, ସୁବାଷ ବୋଷ ଛକ, ବେଳାଭୂମି ରାସ୍ତା ଦେଇ ହଂସ କୋକୋପାମ୍‍ ହୋଟେଲ୍‍ ଛକ ପର୍ଯ୍ୟନ୍ତ ଯାତାୟାତ କରିବ। ଅଟୋଗୁଡ଼ିକ ଗରୁଡ଼ ଛକ ଆଡ଼କୁ ଯିବା ଉପରେ କଟକଣା ଲଗାଯାଇଛି। ସେହିପରି ବଡ଼ଦାଣ୍ଡ ସଂଲଗ୍ନ ରାସ୍ତା ଉପରେ ବି ଯାତାୟାତ କଟକଣା ଲାଗୁ ହୋଇଛି। ଆମ୍ବୁଲାନ୍ସ, ଦମକଳ ଗାଡ଼ି ଭଳି ଜରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ି ବ୍ୟତୀତ ଅନ୍ୟ କୌଣସି ଗାଡ଼ି ସକାଳ ୬ଟା ପରେ ବଡ଼ଦାଣ୍ଡକୁ ଯିବାକୁ ଦିଆଯିବନି। ଜରୁରୀକାଳୀନ ଡ୍ୟୁଟିରେ ଥିବା ଯାନଗୁଡ଼ିକ ଜନଗହଳିକୁ ଦେଖି ଟାଉନ୍‍ ଥାନା ପର୍ଯ୍ୟନ୍ତ ଯିବେ। ଡ୍ୟୁଟି ପାସ୍‍ ଥିବା ଗାଡ଼ିଗୁଡ଼ିକ ଜିଲ୍ଲା ସ୍କୁଲ ଏବଂ ଆୟୁର୍ବେଦିକ୍‍ କଲେଜ ପାର୍କିଂ ସ୍ଥାନରେ ରହିବ।

ସମ୍ବନ୍ଧିତ ଖବର