୧୦ ଯାଏ ପୁରୀକୁ ଟ୍ରେନ୍‌ ବାତିଲ୍‌

ପୁରୀ, ଖୋର୍ଧା ରୋ‌ଡ, ଭୁବନେଶ୍ବର ଅଧିକ କ୍ଷତିଗ୍ରସ୍ତ, ବେଙ୍ଗାଲୁରୁ, ଜଗଦଲ୍‌ପୁର, ଜୁନା‌ଗଡ଼କୁ ଗଲା ସ୍ବତନ୍ତ୍ର ଟ୍ରେନ୍‌, ସମ୍ବଲପୁରରୁ ଭୁବନେଶ୍ବର ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ

ଭୁବନେଶ୍ବର : ମେ’ ୧୦ ପର୍ଯ୍ୟନ୍ତ ପୁରୀକୁ କୌଣସି ଟ୍ରେନ୍‌ ଗଡ଼ିବ ନାହିଁ। କାରଣ ପୁରୀ ସମେତ ଖୋର୍ଧା ରୋଡ୍‌ ଓ ଭୁବନେଶ୍ବର ରେଳ ଲାଇନ୍‌ରେ ବ୍ୟାପକ କ୍ଷତି ହୋଇଛି। ପୁରୀ ରେଳ ଷ୍ଟେସନ ଓ କୋଚ୍‌ ରକ୍ଷଣାବେକ୍ଷଣ ଡିପୋ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ତାହାକୁ ଏବେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଛି। ଏଥିପାଇଁ ସମୟ ଲାଗିବ ଏବଂ ୧୦ ତାରିଖ ପର୍ଯ୍ୟନ୍ତ ପୁରୀକୁ ସିଧାସଳଖ ଟ୍ରେନ୍ ସେବା ସମ୍ଭବ ନୁହେଁ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ରାତି ସୁଦ୍ଧା ଭୁବନେଶ୍ବର ଓ ଖୋର୍ଧା ରୋଡ୍‌ ‌ରେଳଲାଇନ୍‌କୁ କିଛି ମାତ୍ରାରେ ମରାମତି କରାଯାଇଛି। ଅଳ୍ପ କିଛି ଟ୍ରେନ୍‌ ଯାତ୍ରା କରିବା ଲାଗି ଉପଯୋଗୀ ହୋଇଛି। ପୂର୍ବତଟ ରେଳପଥ ଅଧୀନରେ ଥିବା ଲେବଲ୍‌ କ୍ରସିଂ ପେଟ୍ସ ଓ ସିଗନାଲ ପୋଷ୍ଟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଟ୍ରେନ୍‌ ଲାଇନ୍‌ରେ ଥିବା ବିଦ୍ୟୁତ୍‌ ତାର ନଷ୍ଟ ହୋଇଛି। ତଥାପି ସ୍ଥିତିକୁ ଗୁରୁତ୍ବ ଦେଇ ହାୱଡା-ଚେନ୍ନାଇ ରେଳ ଲାଇନକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ପୂର୍ବତଟ ରେଳପଥର ଜନସମ୍ପର୍କ ଅଧିକାରୀ ଜେ ପି ମିଶ୍ର ସୂଚନା ଦେଇଛନ୍ତି।

ଅନ୍ୟପକ୍ଷ‌ରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା ୭ଟାରେ ଭୁବନେଶ୍ବରରୁ ବେଙ୍ଗାଲୁରୁ ଅଭିମୁଖେ ଏକ ଟ୍ରେନ୍‌(୦୮୪୬୩) ଯାତ୍ରା ଆରମ୍ଭ କରିଛି। ଏହି ସ୍ବତନ୍ତ୍ର ଟ୍ରେନ୍‌ଟି ୬ ତାରିଖ ରାତି ୧ଟା ୩୫‌ ମିନିଟ୍‌(୫ ତାରିଖ ମଧ୍ୟରାତ୍ରି ପରେ)ରେ ‌ବେଙ୍ଗାଲୁରୁରେ ପହଞ୍ଚିବ। ଏଥିରେ ଗୋଟିଏ ଏସି ୨-ଟାୟାର, ୪ଟି ଏସି-୩ ଟାୟର, ୧୧ଟି ସ୍ଲିପର୍‌ କ୍ଲାସ, ୪ଟି ଦ୍ବିତୀୟ ଶ୍ରେଣୀ ସିଟିଂ, ୨ଟି ଗାର୍ଡ, ଲଗେଜ୍‌ ଭ୍ୟାନ୍‌ କୋଚ୍‌ ରହିଛି। ଏହି ‌ଟ୍ରେନ୍‌ଟି ଖୋର୍ଧା ରୋଡ୍‌, ବ୍ରହ୍ମପୁର, ପଲାସା, ବିଜୟନଗରମ୍‌, ବିଶାଖାପାଟଣା ପ୍ରଭୃତି ଷ୍ଟେସନ୍‌ରେ ରହିବ।

ସେହିପରି ଜଗଦଲପୁର ଓ ଜୁନାଗଡ଼ ରୋଡ୍‌କୁ ମଧ୍ୟ ସ୍ବତନ୍ତ୍ର ଟ୍ରେନ୍‌(୦୮୪୪୭/୦୮୪୩୭) ଆଜି ସନ୍ଧ୍ୟା ୭ଟା ୩୫ ମିନିଟ୍‌ରେ ଭୁବନେଶ୍ବରରୁ ଛାଡ଼ିଛି। ଜଗଦଲ୍‌ପୁରକୁ ଯାଉଥିବା ସ୍ବତନ୍ତ୍ର ଟ୍ରେନ୍‌ ମେ’ ୫ ତାରିଖ ଅପରାହ୍‌ଣ ଗୋଟାଏ ୪୦ରେ ପହଞ୍ଚିବ। ଜୁନାଗଡ଼ ରୋଡ୍‌ଠାରେ ସକାଳ ୯ଟା ୫‌ରେ ପହଞ୍ଚିବ। ସେହିପରି ଜଗଦଲ୍‌ପୁର ଓ ଜୁନାଗଡ଼ଠାରୁ ଦୁଇଟି ସ୍ବତନ୍ତ୍ର ଟ୍ରେନ୍‌ ଭୁବନେଶ୍ବର ଅଭିମୁଖେ ବାହାରିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି। ସମ୍ବଲପୁରରୁ ଭୁବନେଶ୍ବର ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଟ୍ରେନ୍‌(୦୮୩୧୧) ଆଜି ଅପରାହ୍‌ଣ ୫ଟାରେ ଭୁବନେଶ୍ବର ଅଭିମୁ‌ଖେ ବାହାରିଛି। ଏହି ଟ୍ରେନ୍‌ ଭୁବନେଶ୍ବରରେ ପହଞ୍ଚିବା ପରେ ରାତି ୧୦ଟା ୪୫ରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।

ସମ୍ବନ୍ଧିତ ଖବର