ଢେଙ୍କାନାଳ: ଅଳ୍ପକେ ବର୍ତ୍ତିଲା ବିଶାଖାପାଟଣା- ଅମୃତସର ଏକ୍ସପ୍ରେସ

ଢେଙ୍କାନାଳ:ଆଜି ସକାଳେ ଢେଙ୍କାନାଳ ଷ୍ଟେସନ ନିକଟସ୍ଥ ଶ୍ୟମାଚରଣପୁର ନିକଟରେ ବିଶାଖାପାଟଣା- ଅମୃତସର ଏକ୍ସପ୍ରେସ ଟ୍ରେନ ଏକ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛି। ଟ୍ରେନ୍‌ ଇଞ୍ଜିନ୍‌ର ଦୁଇଟି ଆଗ ଚକ ରେଳ ଧାରଣାରୁ ସ୍ଲିପ୍‌ କରି ଯାଇଥିବାବେଳେ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ସେ ବ୍ରେକ ମାରି ଟ୍ରେନ୍‌କୁ ଅଟକାଇବା ସହିତ ଏ ନେଇ ଢେଙ୍କାନାଳ ଷ୍ଟେସନକୁ ସୂଚନା ଦେଇଥିଲେ। ପ୍ରାୟ ୧ ଘଣ୍ଟା ପରିଶ୍ରମ କରାଯିବା ପରେ ଇଞ୍ଜିନ୍‌ର ଚକକୁ ତାର ପୂର୍ବସ୍ଥାନରେ ରଖାଯିବା ପରେ ଟ୍ରେନ୍‌ଟି ତାର ଗନ୍ତବ୍ୟ ପଥରେ ଯାତ୍ରା କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବିଶଖାପାଟଣା – ଅମୃତସର ଏକ୍ସପ୍ରେସ  ଶ୍ୟାମାଚରଣପୁର ନିକଟରେ ଯାଉଥିବା ବେଳେ ଟ୍ରାକ ମରାମତି ହେଉଥିଲା। ତେଣୁ ଟ୍ରେନଟି ଅପ୍‌ ଲାଇନ୍‌ରେ ଧୀରେ ଧୀରେ ଯାଉଥିବାବେଳେ କୌଣସି କାରଣରୁ ଇଞ୍ଜିନର ଆଗ ଚକ୍‌ ଟ୍ରାକ୍‌ରୁ ଖସିଯାଇଥିିଲା। ତେବେ ଚକ୍‌ ସମ୍ପୂର୍ଣ୍ଣ ଖସିଯିବା ପୂର୍ବରୁ ଡ୍ରାଇଭର ବ୍ରେକ ମାରି ଟ୍ରେନ୍‌କୁ ଅଟକାଇ ଦେଇଥିଲେ। ପରେ ଢେଙ୍କାନାଳ ଷ୍ଟେସନରୁ ଏକ ଇଞ୍ଜିନ ଓ କର୍ମଚାରୀମାନେ ଆସି ଟ୍ରେନ୍‌କୁ ପୁଣି ବ୍ୟବସ୍ଥିିତ କରିଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣାରୁ ଟ୍ରେନ୍ ରକ୍ଷା ପାଇଯିବା ସହିତ ଶହଶହ ଯାତ୍ରୀ ରକ୍ଷା ପାଇଯାଇଛନ୍ତି। ଶ୍ୟାମାଚରଣପୁର ଠାରେ ଟ୍ରେନ୍‌ଟି ପ୍ରାୟ ୧ ଘଣ୍ଟାରୁ ଊର୍ଧ୍ୱ ସମୟ ଅଟକିବା ପରେ ପୁଣି ଯାତ୍ରା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର