ପାରିବାରିକ କଳହର ଉଗ୍ରରୂପ : ପତ୍ନୀଙ୍କୁ ଛୁରି ମାରି ଟ୍ରେନ୍‌ ଆଗକୁ ଡେଇଁଲେ ଟ୍ରେନ୍ ଚାଳକ, ଉଭୟ ଗୁରୁତର, ଆଇଜିଏଚରେ ଭର୍ତ୍ତି

ରାଉରକେଲା : ବନ୍ଧମୁଣ୍ଡା ଡିଜେଲ କଲୋନିର ଜଣେ ଟ୍ରେନ ଚାଳକ ନିଜ ପତ୍ନୀଙ୍କୁ ଛୁରି ଭୁସି ଗୁରୁତର ଆହତ କରିବା ପରେ ନିଜେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ୍‌ ହସ୍ପିଟାଲ (ଆଇଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ପାରିବାରିକ କଳହରୁ ଟ୍ରେନ୍‌ ଚାଳକଙ୍କ ଏଭଳି କାଣ୍ଡ ସହରରେ ଆଲୋଚନାର ବିଷୟ ହୋଇଛି।

ବନ୍ଧମୁଣ୍ଡା ଡିଜେଲ୍‌ ଡ୍ରାଇଭର କଲୋନିରେ ରହୁଛନ୍ତି ଟ୍ରେନ୍‌ ଚାଳକ ଫିରୁ ବଡ଼ାଇକ (୪୮) ଓ ତାଙ୍କ ପତ୍ନୀ ସକସୀତା ବଡ଼ାଇକ (୪୦)। ଗତକାଲି ସଂଧ୍ୟାରେ ଫିରୁ ଓ ସକସୀତାଙ୍କ ମଧ୍ୟରେ ଘରୋଇ ସମସ୍ୟାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଫିରୁ ଭିତରପଟୁ ଘର କବାଟ ବନ୍ଦ କରି ପତ୍ନୀ ସକସୀତାଙ୍କୁ ମାଡ଼ ମାରିବା ସହ ଏକ ଛୁରିରେ ତାଙ୍କ ମୁଣ୍ଡ ଓ ଶରୀରରେ ବାରମ୍ବାର ଆଘାତ ଦେଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସକସୀତାଙ୍କୁ ବନ୍ଧମୁଣ୍ଡା ରେଳ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଆଇଜିଏଚ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏପଟେ ପତ୍ନୀଙ୍କର ଗୁରୁତର ଅବସ୍ଥା ଶୁଣି ମାନସିକ ଭାରସାମ୍ୟ ହରାଇ ଫିରୁ ଆଜି ସକାଳେ ବନ୍ଧମୁଣ୍ଡା କେ-କେବିନ ନିକଟରେ ଏକ ଚଳନ୍ତା ମାଲବାହୀ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଥିଲେ। ଟ୍ରେନ୍‌ ଧକ୍କାରେ ତାର ବାମ ଗୋଡ଼ କଟି ଯାଇଥିବା ବେଳେ ସେ ଗୁରୁତର ଆହତ ହୋଇଥିଲେ। ତାକୁ ମଧ୍ୟ ପ୍ରଥମେ ବନ୍ଧମୁଣ୍ଡା ରେଳ ହସ୍ପିଟାଲ୍‌ ଓ ପରେ ଆଇଜିଏଚ୍‌ ନିଆଯାଇଛି। ଆଇଜିଏଚ୍‌ରେ ଫିରୁ ଓ ତାଙ୍କ ପତ୍ନୀଙ୍କର ଚିକିତ୍ସା ଚାଲିଛି। ବନ୍ଧମୁଣ୍ଡା ରେଳବାଇ ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର