ଜଙ୍ଗଲରେ ଘଣ୍ଟାଏ ଫସିଗଲା ‌ଟ୍ରେନ୍‌ ! ଘଣ୍ଟାକର ପ୍ରୟାସ ପରେ ଇଞ୍ଜିନକୁ ସଜାଡିଲେ ଟ୍ରେନ୍ ଡ୍ରାଇଭର

ଇଣ୍ଟରସିଟି ଏକ୍ସପ୍ରେସ୍‌ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି

ରାୟଗଡା: କୋରାପୁଟ-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରୀଙ୍କୁ ହଟହଟା ହେବାକୁ ପଡିଛି। ଜଂଗଲ ଭିତରେ ଟ୍ରେନ୍ ଘଣ୍ଟାଏ କାଳ ଫସି ରହିବା ସହ ସାଢ଼େ ୩ ଘଣ୍ଟା ବିଳମ୍ବରେ ଗନ୍ତବ୍ୟ ପଥରେ ଯାତ୍ରା କରିଛି। ସେହିପରି ଲାଇନ୍ କ୍ଲିଅର୍ ନଥିବା କାରଣରୁ କୋରାପୁଟ-ବିଶାଖାପାଟଣା ଡିଏମୟୁ ୨ ଘଣ୍ଟା ବିଳମ୍ବରେ ରାୟଗଡାରେ ପହଞ୍ଚିଛି।

ନିର୍ଧାରିତ ସମୟ ୫ଟା ୨୫ ମିନିଟରେ ଇଣ୍ଟରସିଟି ଏକ୍ସପ୍ରେସ୍ କୋରାପୁଟ ଷ୍ଟେସନରୁ ବିଶାଖାପାଟଣା ଅଭିମୁଖେ ବାହାରିଥିଲା। ଠିକ୍ ସମୟରେ ଟ୍ରେନ୍ ଗୋଟିଏ ପରେ ଗୋଟିଏ ଷ୍ଟେସନ ଅତିକ୍ରମ କରି ୭ଟା ୨୭ ମିନିଟରେ ରାଉଳି ଷ୍ଟେସନ ଛାଡିଥିଲା। କିନ୍ତୁ ସକାଳ ୭ଟା ୫୦ରେ ଷ୍ଟେସନ ଠାରୁ ମାତ୍ର ୨ ଶହ ମିଟର ଦୂର ଘଞ୍ଚ ଜଙ୍ଗଲ ଭିତରେ ଟ୍ରେନ୍ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଟ୍ରେନ୍ ଅଟକିବା ପରେ ଡ୍ରାଇଭର ଇଞ୍ଜିନକୁ ସଜାଡିବା ପାଇଁ ଚେଷ୍ଟା କରିଥିଲେ। ୧ ଘଣ୍ଟାର ପ୍ରୟାସ ପରେ ଟ୍ରେନ୍ ଡ୍ରାଇଭର କୌଣସି ମତେ ଇଞ୍ଜିନକୁ ସଜାଡି ୮ଟା ୫୫ ମିନିଟରେ ଟ୍ରେନକୁ ରାଉଳି ଷ୍ଟେସନକୁ ଫେରାଇ ଆଣିଥିଲେ। ଦାମନଯୋଡିରୁ ଅନ୍ୟ ଏକ ଡିଜେଲ୍ ଇଞ୍ଜିନ୍ ଆସି ପହଞ୍ଚିବା ପରେ ସାଢ଼େ ୩ ଘଣ୍ଟା ବିଳମ୍ବରେ ରାୟଗଡା ଅଭିମୁଖେ ଯାତ୍ରା କରିଥିଲା। ମଧ୍ୟାହ୍ନ ୧୨ଟା ୧୦ରେ ଟ୍ରେନ୍ ରାୟଗଡା ପହଞ୍ଚି ପୁଣି ବିଶାଖାପାଟଣା ଅଭିମୁଖେ ଯାଇଥିଲା। ଇଣ୍ଟରସିଟି ଏକ୍ସପ୍ରେସ ଯାନ୍ତ୍ରିକ ତ୍ରୁଟି ପାଇଁ କୋରାପୁଟ-ବିଶାଖାପାଟଣା ଡିଏମ୍‌ୟୁ ୨ଘଣ୍ଟା ବିଳମ୍ବରେ ଯାତ୍ରା କରିଛି। ଫଳରେ ଉଭୟ ଟ୍ରେନ୍‌ରେ ଥିବା ଯାତ୍ରୀଙ୍କୁ ହଟହଟା ହେବାକୁ ପଡିଛି।

ଗତ ୧୯ ତାରିଖରେ ଏହି ରୁଟର ଭାଲୁମାସ୍କା ଷ୍ଟେସନ ନିକଟ ଜଙ୍ଗଲରେ ଭୁବନେଶ୍ବର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଇଞ୍ଜିନ୍ ଫେଲ୍ ଯୋଗୁ ୩ ଘଣ୍ଟା ଜଙ୍ଗଲ ଭିତରେ ଫସି ରହିଥିଲା। ଅନ୍ୟ ଡିଜେଲ୍ ଇଞ୍ଜିନ୍ ସଂଯୋଗ ହେବା ପରେ ହୀରାଖଣ୍ଡ ୪ ଘଣ୍ଟା ୧୫ ମିନିଟ ବିଳମ୍ବରେ ଜଗଦଲପୁର ଅଭିମୁଖେ ଯାଇ ଦେଢ଼ ଘଣ୍ଟା ବିଳମ୍ବରେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲା। କେଆର୍ ରେଳଲାଇନରେ ଟ୍ରେନ୍ ଚଳାଚଳରେ ମାସର ଅଧାଦିନ ସମସ୍ୟା ପରିଲକ୍ଷିତ ହେଉଛି। ସମସ୍ତ ପ୍ରକାର ତ୍ରୁଟିକୁ ଏଡାଇବା ଉପରେ ରେଳ ବିଭାଗ ଗୁରୁତ୍ବ ଦେଇ ଆସୁଥିଲେ ମଧ୍ୟ ସମସ୍ୟା ସୁଧୁରିବା ପରିବର୍ତେ ଜଟିଳ ହେବାରେ ଲାଗିଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର