ଦୁର୍ଗ-ବିଶାଖାପାଟଣା ପାସେଞ୍ଜର ଦୁର୍ଘଟଣାରୁ ଅଳ୍ପକେ ବର୍ତିଲା

ରାୟଗଡା: ରେଳ ଧାରଣାରେ ଫାଟ ଯୋଗୁଁ ଦୁର୍ଘଟଣାରୁ ଅଳ୍ପେକ ବର୍ତି ଯାଇଛି ଦୁର୍ଗ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍। ସିଙ୍ଗାପୁର ଷ୍ଟେସନର ଏକ ନଂବର ପ୍ଲାଟଫର୍ମକୁ ସଂଯୋଗ କରୁଥିବା ଟ୍ରାକରେ ଆଜି ସକାଳେ ଫାଟ ସୃଷ୍ଟି ହୋଇଥିଲା। ସିଗନାଲ୍ ମ୍ୟାନ୍ ଏ ସଂପର୍କରେ ସୂଚନା ପାଇବା ପରେ ଟ୍ରେନକୁ ଅଟକାଇଥିଲେ। ଟ୍ରାକ୍ ମରାମତି ପରେ ଘଣ୍ଟାଏ ବିଳମ୍ବରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଟ୍ରେନ୍ ଯାତ୍ରା କରିଥିଲା। ଗତ ୧୫ ଦିନ ମଧ୍ୟରେ ସିଙ୍ଗାପୁର ଷ୍ଟେସନରେ ରେଳ ଧାରଣା ଫାଟିବା ଯୋଗୁଁ ଅଳ୍ପକେ ଟ୍ରେନ୍ ଦୁର୍ଘଟଣାରୁ ବର୍ତିବା ଏହା ଦ୍ବିତୀୟ ଘଟଣା। ଦୁର୍ଗରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ପାସେଞ୍ଜର ଟ୍ରେନ୍ ନଂ-୫୮୫୨୯ ଆଜି ସକାଳ ୫ଟା ୪୫ ମିନଟରେ ରାୟଗଡା ଷ୍ଟେସନ ଛାଡିଥିଲା। ଟ୍ରେନ୍ ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ ୬ଟା ୩୦ ମିନଟରେ ସିଙ୍ଗାପୁର ଷ୍ଟେସନ ନିକଟରେ ପହଞ୍ଚିଥିଲା। ଏହି ସମୟରେ ହଠାତ୍ ସିଗ୍‌ନାଲ୍‌ ମ୍ୟାନ୍ ଟ୍ରେନକୁ ଅଟକାଇବା ପାଇଁ ଡ୍ରାଇଭରକୁ ନିର୍ଦେଶ ଦେଇଥିଲେ। ଟ୍ରେନ୍‌ର ଗତି ଏହି ସମୟରେ ଘଣ୍ଟା ପ୍ରତି ୧୦ରୁ ୨୦ କିମି ବେଗରେ ଥିବାରୁ ଟ୍ରେନ୍ ଡ୍ରାଇଭର୍ ହଠାତ୍ ଟ୍ରେନକୁ ରୋକିବାରେ ସଫଳ ହୋଇଥିଲେ। ଏକ ନମ୍ବର ପ୍ଲାଟଫର୍ମକୁ ସଂଯୋଗ କରୁଥିବା ରେଳ ଧାରଣାରେ ଫାଟ ଥିବା ଗାର୍ଡ ମ୍ୟାନ୍ ସୂଚନା ଦେବା ପରେ ଟ୍ରେନ୍ ବଡ ଦୁର୍ଘଟଣାରୁ ବର୍ତି ଯାଇଥିଲା।

ସମ୍ବନ୍ଧିତ ଖବର