ଟ୍ରେନ୍‌ ଅଟକି ନଥିଲେ…

ବାଜି ଲାଗିଥିଲା ଦେଢ଼ ହଜାର ଯାତ୍ରୀଙ୍କ ଜୀବନ
ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରି ଖସିବାକୁ ଉଦ୍ୟମ

ଭୁବନେଶ୍ୱର : ଶନିବାର ରାତିରେ ଅହମଦାବାଦ୍‌-ପୁରୀ ଏକ୍ସପ୍ରେସ୍‌ ଟିଟିଲାଗଡ଼ ଷ୍ଟେସନ୍‌ରୁ ବିନା ଇଂଜିନରେ ପ୍ରାୟ ୧୩ କିମି ପଛକୁ ଗଡ଼ିଯିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଶହ ଶହ ଯାତ୍ରୀଙ୍କ ଜୀବନ ଯେଭଳି ବାଜିରେ ଲାଗିଥିଲା, ଏହା ପଛର ଅସଲ ଖଳନାୟକ କିଏ? କେନ୍ଦ୍ର ସରକାର ସୁବିଧାସୁଯୋଗ ଦେବା ଛଳରେ ରେଳଭଡା ଆଦି ଆଖିବୁଜା ବୃଦ୍ଧି କରୁଥିବା ବେଳେ ଯାତ୍ରୀ ସୁରକ୍ଷା ପାଇଁ କାହାକୁ ଉତ୍ତରଦାୟୀ କରାଯିବ? ଏମିତି ଅନେକ ପ୍ରଶ୍ନ ଆଜି ରାଜ୍ୟବାସୀଙ୍କୁ ବିଚଳିତ କରିଦେଇଛି।

ଟ୍ରେନଟି ପଛକୁ ଗଡ଼ିଲା ବେଳେ ରାସ୍ତାରେ ଥିଲା ଗୋଟିଏ ଷ୍ଟେସନ ଏବଂ ୬ଟି ଲେବଲ କ୍ରସିଂ। ଟ୍ରେନ ଭିତରେ ଥିଲେ ଦେଢ଼ ହଜାର ଯାତ୍ରୀ ଏବଂ ଗଡ଼ିଲା ବେଳେ ଏହାର ବେଗ ଥିଲା ଘଣ୍ଟାକୁ ୩୦ରୁ ୪୦ କିଲୋମିଟର। ୧୩ କିଲୋମିଟର ପରେ ଯଦି ଟ୍ରେନ ଅଟକି ନଥାନ୍ତା, ତାହାହେଲେ କଣ ହୋଇଥାନ୍ତା। ଏଭଳି ପ୍ରଶ୍ନ ଆସିଲା ବେଳକୁ ଯାତ୍ରୀଙ୍କ ଦେହ ଥରିଉଠୁଛି। ବିନା ଇଞ୍ଜିନରେ ଟ୍ରେନ ଗଡ଼ିଲା ବେଳେ ପ୍ରଥମେ ଯାତ୍ରୀ ଜାଣି ପାରିନଥିଲେ। ଯେତେବେଳେ ଜାଣିଲେ ଆତଙ୍କିତ ହୋଇପଡ଼ିଲେ। କାନ୍ଦ ବୋବାଳି ଆରମ୍ଭ ହୋଇଗଲା। କେତେକ ଯାତ୍ରୀ ଠାକୁରଙ୍କୁ ଡାକିବା ଆରମ୍ଭ କଲେ ତ କେତେକ ଯାତ୍ରୀ ବାହାରକୁ ଡେଇଁବା ଲାଗି ସୁଯୋଗ ଖୋଜୁଥିଲେ। ସୌଭାଗ୍ୟକୁ ଟ୍ରେନଟି ୧୩ କିଲୋମିଟର ଗଲା ପରେ ଅଟକିଲା। ଯଦି ଏଠାରେ ନଅଟକି ଏହା ଅଧିକ ଦୂରକୁ ଗଡ଼ିଥାନ୍ତା ଏବଂ ଅଧିକ ସମୟ ନେଇଥାନ୍ତା ତାହାହେଲେ କଣ ହୋଇଥାନ୍ତା। ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ବିଚଳିତ କରୁଛି। କେବଳ ଯେ ଦେଢ଼ ହଜାର ଯାତ୍ରୀଙ୍କ ଜୀବନ ବାଜିରେ ଲାଗିଥିଲା ତାହାନୁହେଁ, ବାଟରେ ଥିବା ଲେବଲ କ୍ରସିଂରେ ଲୋକ ବା ଗାଡ଼ି ଭିଡ଼ ଥିଲେ ଏହା ଯେ ବଡ଼ ଧରଣର ବିପର୍ଯ୍ୟୟ ଘଟାଇ ଥାନ୍ତା ତାହା ନିଶ୍ଚିତ।

ଉଲ୍ଲେଖଯୋଗ୍ୟ, ଯାତ୍ରୀ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି ବୋଲି ଘୋଷୁଥିବା ରେଳ ବିଭାଗର କାର୍ଯ୍ୟକୁ ସବୁ ମହଲରେ ସମାଲୋଚନା ଆରମ୍ଭ ହେଲାଣି। ୨୨ଟି କୋଚ୍‌ ଥିବା ଏହି ଟ୍ରେନ୍‌ର ଶତାଧିକ ଯାତ୍ରୀଙ୍କ ଜୀବନକୁ ବିପନ୍ନରେ ପକାଇଥିବା ଏହି ଅଘଟଣରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। କେବଳ କିଛି ରେଳ କର୍ମଚାରୀଙ୍କୁ ନିଲମ୍ବିତ କରିଦେଇ ରେଳ ବିଭାଗ ଏହାର ଦାୟିତ୍ୱ ସାରିଦେବନି ତ? ରେଳ ବିଭାଗର କାର୍ଯ୍ୟକୁ ଦେଖି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଲାଣି।

ଅନ୍ୟପକ୍ଷରେ ସାଧାରଣରେ ସୃଷ୍ଟି ହୋଇଥିବା ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ରେଳ ବିଭାଗ ତନାଘନା ଆରମ୍ଭ କରିଛି। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଆଜି ଦାୟିତ୍ୱରେ ଅବହେଳା କରିଥିବା ଅଭିଯୋଗରେ ଆଉ ୫ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ଗତକାଲି ଦୁଇଜଣଙ୍କୁ ନିଲମ୍ବିତ କରାଯାଇଥିଲା। ଏଥିସହିତ ଏହି ଘଟଣାରେ ଏଯାଏ ମୋଟ୍‌ ୭ ଜଣ ରେଳ କର୍ମଚାରୀ ନିଲମ୍ବିତ ହେଲେଣି। ଆଜି ନିଲମ୍ବିତ ରେଳ କର୍ମଚାରୀମାନେ ହେଲେ ଲୋକୋ ପାଇଲଟ୍‌ ଏସ୍‌. ଭେଙ୍କଟ ରାଓ ଓ ଆସିଷ୍ଟାଣ୍ଟ୍‌ ଲୋକୋ ପାଇଲଟ୍‌ ସୁଶାନ୍ତ ସିଂଙ୍କ ସମେତ ତିନି ଜଣ ବଗି ମରାମତି କର୍ମଚାରୀ ଜି ଏସ୍‌ ପଣ୍ଡା, ଏଲ୍‌ କାସ୍ପେତା ଓ ପି ବାଗ।

ଶନିବାର ରାତି ପ୍ରାୟ ୯ଟା ୩୫ରେ ୧୮୪୦୬ ଅହମଦାବାଦ୍‌-ପୁରୀ ଏକ୍ସପ୍ରେସ୍‌ ସମ୍ବଲପୁର ରେଳ ମଣ୍ଡଳ ଅଧୀନ ଟିଟିଲାଗଡ଼ ଷ୍ଟେସନ୍‌ରେ ପହଞ୍ଚିଥିଲା। ଟିଟିଲାଗଡ଼ରୁ ଏହି ଟ୍ରେନ୍‌ ସମ୍ବଲପୁର ଆସିଥାଆନ୍ତା। ପାଇଲଟ୍‌ ଏଥିପାଇଁ ଇଂଜିନ୍‌ ପରିବର୍ତ୍ତନ କରୁଥିବା ବେଳେ ଟ୍ରେନ୍‌ଟି ଅଚାନକ ଗଡ଼ିବାକୁ ଆରମ୍ଭ କରିଥିଲା। ବିନା ଇଂଜିନ୍‌ରେ ଟ୍ରେନ୍‌ଟି ପ୍ରାୟ ୧୩ କିମି ପଛକୁ ଗଡ଼ିଯାଇ କେସିଙ୍ଗା ଷ୍ଟେସନ ମଧ୍ୟ ଅତିକ୍ରମ କରିଯାଇଥିଲା। କିଛି ବାଟ ଆଗକୁ ଗଡ଼ିଯିବା ପରେ ଚଢ଼ାଣି କାରଣରୁ ଟ୍ରେନ୍‌ଟି ପୁଣି ଆଗକୁ ଗଡ଼ି କେସିଙ୍ଗା ଷ୍ଟେସନରେ ଅଟକିଥିଲା। ସଠିକ୍‌ ଢଙ୍ଗରେ ସ୍ପିଡ଼୍‍ ବ୍ରେକ୍‌ର ବ୍ୟବହାର କରାଯାଇନଥିବାରୁ ଏପରି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତ କାଳରେ ପୂର୍ବତଟ ରେଳ ପକ୍ଷରୁ କୁହାଯାଇଛି। ସମ୍ବଲପୁର ଡିଆର୍‌ଏମ୍‌ ଜୟଦୀପ୍‌ ଗୁପ୍ତା ତିନିଦିନ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବା ଲାଗି ନିର୍ଦେଶ ଦେଇଛନ୍ତି।

କୌତୂହଳର କଥା ହେଉଛି, ଏପରି ଏକ ସଙ୍ଗିନ ଘଟଣାରେ କିନ୍ତୁ ରେଳ ମନ୍ତ୍ରୀ କୌଣସି ଟୁଇଟ୍‌ କରିନାହାନ୍ତି କିମ୍ବା କୌଣସି ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିନାହାନ୍ତି। ନିକଟରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ନିଜର ଦୁଇଦିନିଆ ଓଡ଼ିଶା ଗସ୍ତ କାଳରେ ବଲାଙ୍ଗୀର ଓ କଳାହାଣ୍ଡି ଜିଲାରେ ଦୁଇ ଦୁଇଟି ସଭା କରିଥିଲେ। ଆଉ ଏହି ଟ୍ରେନ୍‌ ଅଘଟଣ ମଧ୍ୟ ବଲାଙ୍ଗୀର ଜିଲାରେ ହିଁ ଘଟିଛି। ମାତ୍ର ବୁଲେଟ୍‌ ଟ୍ରେନ୍‌ ଚଲାଇବାର କଥା କହୁଥିବା ବିଜେପି ନେତାମାନେ ମଧ୍ୟ ଘଟଣାରେ ସେଭଳି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।

ମିଳିଥିବା ସୂଚନା ଅନୁସାରେ, ରେଳ ବୋର୍ଡ଼ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନୀ ସାରା ଦେଶରେ ଷ୍ଟେସନରେ ସଣ୍ଟିଂ ବ୍ୟବସ୍ଥାକୁ ନେଇ ଅପରେସନ ଓ ଇଲେକ୍ଟି୍ରକ୍‌ ବିଭାଗ ପକ୍ଷରୁ ମାସେବ୍ୟାପୀ ମିଳିତ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଣ୍ଟିଂ କର୍ମଚାରୀଙ୍କ ସମେତ ଲୋକୋ ପାଇଲଟ୍‌ ଏବଂ କ୍ୟାରେଜ୍‌ ଓ ଓ୍ଵାଗନ୍‌ କର୍ମଚାରୀଙ୍କୁ ମଧ୍ୟ କାଉନ୍‌ସେଲିଂ ସହିତ ତାଲିମ୍‌ ଦିଆଯିବା ଉପରେ ଗୁରୁତ୍ୱ ଦିଆଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ରେଳ ବିଭାଗର ମୁଖ୍ୟ ନିରାପତ୍ତା ଅଧିକାରୀ ସମଗ୍ର ପ୍ରକ୍ରିୟାକୁ ନିରୀକ୍ଷଣ କରିବେ। ବିଭିନ୍ନ କ୍ଷେତ୍ରର ମହାପ୍ରବନ୍ଧକମାନେ ଏହି ସର୍ଭେ ସମାପ୍ତ ହେବା ପରେ ସେମାନଙ୍କର ଅନୁଧ୍ୟାନ ଓ ପଦକ୍ଷେପ ସମ୍ବନ୍ଧରେ ରିପୋର୍ଟ ଦେବାକୁ କୁହାଯାଇଛି।

ପୂର୍ବତଟ ରେଳର ମହାପ୍ରବନ୍ଧକ ଉମେଶ ସିଂ କାଲିର ଅଘଟଣରେ ଜଡ଼ିତ ଥିବା ସମସ୍ତ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ରାତିରେ ଟିଟିଲାଗଡ଼ରୁ ଏକ ଇଂଜିନ୍‌ ଯାଇ ଅହମଦାବାଦ-ପୁରୀ ଏକ୍ସପ୍ରେସ୍‌କୁ ରାତି ପ୍ରାୟ ୧୨.୩୫ରେ କେସିଙ୍ଗାରୁ ଆଣିଥିଲା। ଆଜି ଦିନ ୧.୩୦ରେ ଏହି ଟ୍ରେନ୍‌ ପୁରୀରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର