ବଲାଙ୍ଗୀର ପଟୁ ଗଡ଼ିଲା ଟ୍ରେନ୍‌, ପ୍ରଥମ ଦିନ ରେଳରୋକ

ବଲାଙ୍ଗୀର: ବଲାଙ୍ଗୀର-ଖୋର୍ଦ୍ଧା ରେଳପଥରେ ଆଜି ବଲାଙ୍ଗୀର ପଟୁ ବିଛୁପାଲି ଯାଏଁ ଗଡ଼ିଲା ଟ୍ରେନ। ଏହି ଐତିହାସିକ ଘଟଣାରେ ନିଜର ଅନୁଭୂତି ସାଇତି ରଖିବା ଅପେକ୍ଷାରେ ରହିଥିଲେ ବଲାଙ୍ଗୀର-ବିଛୁପାଲି ଟ୍ରେନର ସହସ୍ରାଧିକ ଯାତ୍ରୀ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ନୂତନ ଟ୍ରେନରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଯାଇଥିଲା। ପ୍ରଥମ ଦିନରେ ୮୫୧ ଟିକଟ ବିଛୁପାଲିରୁ ବଲାଙ୍ଗୀରକୁ ଓ ପ୍ରାୟ ୭୦୦ ଟିକଟ ବଲାଙ୍ଗୀରରୁ ବିଛୁପାଲିକୁ କଟା ହୋଇଥିଲା। ରେଳ ଷ୍ଟେସନଠାରେ ଆୟୋଜିତ ସଭା ମଞ୍ଚରେ ଠିକ୍ ସାଢ଼େ୧୦ଟା ବେଳେ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଟ୍ରେନ୍ ଯାତ୍ରାର ଶୁଭାରମ୍ଭ କରିବା ମାତ୍ରେ ଏକ ନମ୍ବର ପ୍ଲାଟଫର୍ମରେ ବାଜି ଉଠିଥିଲା ବଲାଙ୍ଗୀର-ବିଛୁପାଲି ଟ୍ରେନର ପ୍ରଥମ ହର୍ଣ୍ଣ। ୭୦୦ରୁ ଅଧିକ ପାସେଞ୍ଜର ଓ କର୍ମଚାରୀଙ୍କୁ ଧରି ଟ୍ରେନ୍‌ ଗଡ଼ିଥିଲା। ଅଧଘଣ୍ଟା ପରେ ବିଛୁପାଲି ଷ୍ଟେସନରେ ପହଞ୍ଚିଥିଲା। ତେବେ ବିଛୁପାଲିରେ ପହଞ୍ଚିବା ପରେ ସେଠାରେ ଷ୍ଟେସନ ନାମ ପରିବର୍ତ୍ତନକୁ ବିରୋଧ କରି ଭଇଁଷାପାଲି ଗ୍ରାମବାସୀ ରେଳରୋକ କରିଥିଲେ। ଷ୍ଟେସନର ନାମ ପୁଣି ଭଇଁସାପାଲି ରଖାଯାଉ ବୋଲି ଦାବି କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଟ୍ରେନ ଅଟକି ରହିଥିଲା। ପରେ ପ୍ରଶାସନିକ ଅଧିକାରୀ, ତହସିଲଦାର ଓ ପୁଲିସ ଯାଇ ବୁଝାସୁଝା କରିବା ପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବଲାଙ୍ଗୀର-ବିଛୁପାଲି ପାସେଞ୍ଜର ଟ୍ରେନକୁ ଶୁଭାରମ୍ଭ କରିବା ସହ ୧୫୪୫କୋଟି ଟଙ୍କାର ରେଳ, ସଂସ୍କୃତି, ବୈଦେଶିକ ବ୍ୟାପାର, ମାନବ ସଂବଳ ବିଭାଗର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିଥିଲେ। ବଲାଙ୍ଗୀର ରେଳ ଷ୍ଟେସନ ଗୁଡ୍‌ସ ସେଡ୍ ପଡ଼ିଆରେ ଅନୁଷ୍ଠିତ ଏହି ସରକାରୀ ସଭାରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂହଦେଓ, ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଅତିଥି ଭାବରେ ମଞ୍ଚାସୀନ ଥିଲେ।

ସମ୍ବନ୍ଧିତ ଖବର