ଓଡ଼ିଆରେ ଟ୍ରେନ୍ ଟିକେଟ୍‌ ନିଷ୍ପତ୍ତି ସ୍ଥଗିତ, ନିର୍ବାଚନ ପରେ ଲାଗୁ

ଭୁବନେଶ୍ବର : ଏପ୍ରିଲ ପହିଲା ତଥା ଉତ୍କଳ ଦିବସ‌ରୁ ଓଡ଼ିଆ ଭାଷାରେ ଟ୍ରେନ୍ ଟିକେଟ୍ ଉପଲବ୍ଧ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ପୂର୍ବତଟ ରେଳପଥ, ଦକ୍ଷିଣ ପୂର୍ବ ରେଳପଥ ଓ ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଥିବା ୩୧୭ଟି ଷ୍ଟେସନ୍‌ର ନାମ ବି ଓଡ଼ିଆ ଭାଷାରେ ଲେଖାଯିବ ବୋଲି ଗତ ୮ ତାରିଖରେ ଘୋଷଣା କରାଯାଇଥିଲା। କିନ୍ତୁ ଏବେ ସାରା ଦେଶରେ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବାରୁ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ନିର୍ବାଚନ ଶେଷ ହେବା ପରେ ପୂର୍ବ ଘୋଷଣା ଅନୁଯାୟୀ ନିୟମ ଲାଗୁ କରାଯିବ ବୋଲି ରେଳବାଇ ପକ୍ଷରୁ ଆଜି ସୂଚନା ଦିଆଯାଇଛି।

ମାର୍ଚ୍ଚ ୮ରେ ରେଳ ବିଭାଗ ପକ୍ଷରୁ ଜାରି ହୋଇଥିବା ପ୍ରେସ୍‌ ବିଜ୍ଞପ୍ତି ଅନୁଯାୟୀ, ଇଂରାଜୀ ଓ ହିନ୍ଦୀ ଭାଷାରେ ରେଳ ଟିକେଟ୍‌ ଛପା ଯାଉଥିବାରୁ ଅଧିକାଂଶ ଓଡ଼ିଆ ଲୋକ ଟ୍ରେନ୍ ଟିକେଟରେ ଲେଖାଥିବା ଆରୋହଣ ଓ ଗନ୍ତବ୍ୟ ସ୍ଥଳ ଜାଣିବାରେ ଅସୁବିଧା ଭୋଗୁଥିଲେ। ତାହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ସବୁ ଅଣସଂରକ୍ଷିତ ଟିକେଟଗୁଡ଼ିକ ହିନ୍ଦୀ, ଇଂରାଜୀ ଭାଷା ବ୍ୟତୀତ ଆଞ୍ଚଳିକ ଭାଷା ଓଡ଼ିଆରେ ଛାପିବାକୁ ନିଷ୍ପତ୍ତି ହୋଇଛି। ଫଳରେ ଇଂରାଜୀ ଓ ହିନ୍ଦୀ ଜାଣି ନଥିବା ଯାତ୍ରୀଙ୍କୁ ଆଉ ଟ୍ରେନ୍ ଟିକେଟ ବିଷୟରେ ଜାଣିବାର ଅସୁବିଧା ହେବନାହିଁ। ଓଡ଼ିଶାରେ ଉପଲବ୍ଧ ହେବାକୁ ଥିବା ଅଣସଂରକ୍ଷିତ ଟିକେଟଗୁଡ଼ିକ ଓଡ଼ିଆ ଭାଷାରେ ଲେଖା ହେବ।

ସମ୍ବନ୍ଧିତ ଖବର