ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ଯୋଜନା : ପ୍ରି-ସ୍କୁଲରେ ପଢ଼ାଇବେ ତାଲିମପ୍ରାପ୍ତ ଶିକ୍ଷକ

ଡ୍ରାଫ୍ଟରେ ଅଟକିଛି ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର : ପ୍ରି-ସ୍କୁଲ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ। ଏନେଇ ଏକ ପ୍ରସ୍ତାବ ଉପରେ ଆଲୋଚନା କରୁଛି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ। ଯଦି ସବୁ କିଛି ଠିକ୍‌ ଠାକ୍‌ ଚାଲେ ତେବେ ଆସନ୍ତା ଶିକ୍ଷାବର୍ଷରୁ ଏହି ନିୟମକୁ ସାରା ଦେଶରେ ଲାଗୁ କରିବାକୁ ମନ୍ତ୍ରଣାଳୟ ନିର୍ଦେଶ ଜାରି କରିବ।

ଅନ୍ୟପକ୍ଷରେ ଏହାପୂର୍ବରୁ ପ୍ରି-ସ୍କୁଲଗୁଡ଼ିକ ପରିଚାଳନା ନେଇ ଓଡ଼ିଶା ସରକାର ମଧ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି। ଅଙ୍ଗନବାଡି ମାଧ୍ୟମରେ ସରକାରୀ ପ୍ରି-ସ୍କୁଲ ଭାବେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି। କିନ୍ତୁ ଘରୋଇ ପ୍ରି-ସ୍କୁଲଗୁଡ଼ିକ ପରିଚାଳନା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ। ଗତ ୬ ମାସ ତଳେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପ୍ରି-ସ୍କୁଲଗୁଡ଼ିକର ପରିଚାଳନା ଲାଗି ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ପ୍ରି-ସ୍କୁଲଗୁଡ଼ିକର ପରିଚାଳନା କିଭଳି ହେବ? କେତେ ଯୋଗ୍ୟତା ଥିବା ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହେବେ? ସୁରକ୍ଷା ବ୍ୟବସ୍ଥା କିଭଳି ରହିବ? ପିଲାଙ୍କ ପାଠପଢ଼ା ଓ ଖେଳକୁଦ ପାଇଁ କ୍ଲାସରୁମ୍‌ର ଆକାର କିଭଳି ହେବ? ସେନେଇ ଡ୍ରାଫ୍ଟରେ ଉଲ୍ଲେଖ କରାଯାଇଛି। ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଭାଗର ଚୂଡ଼ାନ୍ତ ମୋହର ଲାଗିନି। ତେଣୁ ଲାଗୁ ହେବାରେ ବିଳମ୍ବ ହେଉଥିବା ଜଣାପଡ଼ିଛି।

ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜ୍ୟରେ କେତେ ପ୍ରି ସ୍କୁଲ ରହିଛି ତାହାର ତଥ୍ୟ ଏପର୍ଯ୍ୟନ୍ତ କାହା ପାଖରେ ନାହିଁ। ବିଭାଗ ଏବେ କେବଳ ଅଙ୍ଗନଓ୍ଵାଡିଗୁଡ଼ିକ ପରିଚାଳନା କରୁଛି ଓ ତଥ୍ୟ ରଖୁଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବି ଘରୋଇ ପ୍ରି-ସ୍କୁଲର ତଥ୍ୟ ରଖୁନି। ତେଣୁ ଏପର୍ଯ୍ୟନ୍ତ ଘରୋଇ ପ୍ରି-ସ୍କୁଲ ସମ୍ପର୍କରେ ତଥ୍ୟ ରାଜ୍ୟ ସରକାରଙ୍କ ନିକଟରେ ନାହିଁ। ଆଇନ ଆସିବା ପରେ ସରକାରୀ ଓ ଘରୋଇ ପ୍ରି-ସ୍କୁଲ ଉପରେ ଲଗାମ ଲାଗିବ।

ଅନ୍ୟପକ୍ଷରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ପ୍ରି-ସ୍କୁଲରେ ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରିବାକୁ ତାମିଲନାଡୁ ସରକାରଙ୍କ ପକ୍ଷରୁ ଏକ ପ୍ରସ୍ତାବ ଆସିଛି। ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେସନ(ଡିଇଆଇଇଡି) ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରି-ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ। ଯେଉଁମାନେ କି ଏବେ ନ୍ୟାସନାଲ କାଉନସିଲ୍‌ ଫର୍‌ ଟିଚର ଏଜୁକେସନ(ଏନ୍‌ସିଟିଇ) ନିୟମ ଅନୁଯାୟୀ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଉଛନ୍ତି। ଦକ୍ଷିଣ ଭାରତର କେତେକ ରାଜ୍ୟରେ ନର୍ସରୀ ଟିଚର୍ସ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ ରହିଛି। ଯେଉଁଠାରେ ଡିପ୍ଲୋମା ଇନ୍‌ ପ୍ରି-ସ୍କୁଲ ଏଜୁକେସନ(ଡିପିଏସ୍‌ଇ) ପାଠ୍ୟକ୍ରମରେ ଶିକ୍ଷା ଦିଆଯାଉଛି। ତାହାକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ଏବେ ବିଚାରବିମର୍ଶ ଚାଲିଛି।

ଶିକ୍ଷାବିତ୍‌ ପ୍ରିତୀଶ ଆଚାର୍ଯ୍ୟଙ୍କ ମତରେ ପ୍ରି-ସ୍କୁଲ ପାଇଁ ତାଲିମପ୍ରାପ୍ତ ଶିକ୍ଷକଙ୍କ ବହୁତ ଆବଶ୍ୟକତା ରହିଛି। ଏବେ କେତେକ ପ୍ରି-ସ୍କୁଲରେ କୋମଳମତି ଶିଶୁଙ୍କୁ ପାଠପଢ଼ା ବଦଳରେ ହୋମ୍‌ଓ୍ଵାର୍କ କରିବାକୁ ଦିଆଯାଉଛି। ସେମାନଙ୍କ ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଫଳରେ ଏହାର ପ୍ରଭାବ ପିଲାଙ୍କ ଉପରେ ପଡ଼ିବ। ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଖେଳ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ଏହାପୂର୍ବରୁ ପିଲାଙ୍କୁ ଯଦି ଅଧିକ ସମୟ ଧରି ଗୋଟିଏ ଜାଗାରେ ବସାଯିବ ତେବେ ସେମାନଙ୍କ ଶରୀର ଉପରେ ତାହାର ପ୍ରଭାବ ପଡ଼ିବ। ଯଦି ତାଲିମପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ମିଳିବ, ତେବେ ସେମାନେ ପିଲାଙ୍କ ଖେଳ ସହ ପାଠପଢ଼ା ଉପରେ ଗୁରୁତ୍ୱ ଦେଇପାରିବେ।

ସମ୍ବନ୍ଧିତ ଖବର